ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୫୭ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

Advertisment
ରାଜସ୍ଥାନକୁ ରୋକିଲା ମୁମ୍ବାଇ, ଚତୁର୍ଥ ବିଜୟ ସହ ଶୀର୍ଷକୁ ଉଠିଲା

India TV News

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୨୦ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୫୭ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଘାତକ ବୋଲିଂ ଆଗରେ ତିଷ୍ଠି ପାରି ନଥିଲେ ରାଜସ୍ଥାନ ରୟାଲ୍ସର ବ୍ୟାଟସମ୍ୟାନ୍ । ଦ୍ବିତୀୟ ପାଳିରେ ରାଜସ୍ଥାନ ୧୯୪ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୧୮.୧ ଓଭରରେ ସମସ୍ତ ୱିକେଟ ହରାଇ ୧୩୬ ରନ୍‌ କରି ପରାଜୟ ବରଣ କରିଛି ।  ରାଜସ୍ଥାନ ରୟାଲ୍ସର ଓପନର ଯଶସ୍ବୀ ଜୟସୱାଲ ଖାତା ଖୋଲିବାରେ ସକ୍ଷମ ହେଇ ନଥିବା ବେଳେ ସଞ୍ଜୁ ସାମସନ୍ ମଧ୍ୟ ୩ଟି ବଲ୍‌ ଖେଳି କୌଣସି ରନ୍‌ ନକରି ପାଭିଲିୟନକୁ ଫେରିଥିଲେ । ଅନ୍ୟପଟେ ଜୋସ୍ ବଟଲର୍ ଲଢୁଆ ବ୍ୟାଟିଂ କରି ୪୪ ବଲ ଖେଳି ୭୦ ରନ୍‌ କରିଥିଲେ ମଧ୍ୟ ଏହା ରାଜସ୍ଥାନକୁ ବିଜୟ ଦେଇପାରି ନଥିଲା। ଫଳରେ ମୁ୍ମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚ୍‌କୁ ୫୭ ରନ୍‌ରେ ଜିତି ନେଇଥିଲ‌ା । ମୁମ୍ବାଇ ପକ୍ଷରୁ ଜଶପ୍ରୀତ ବୁମରା ୪ ୱିକେଟ, ଟ୍ରେଣ୍ଟ ବୋଲ୍ଟ ଓ ଜେମ୍ସ ପାଟିନ୍ସନ୍ ୨-୨ଟି ୱିକେଟ ନେଇଥିବା ବେଳେ, ରାହୁଲ ଚହର ଓ କିରନ୍ ପୋଲାର୍ଡ ମଧ୍ୟ ଗୋଟିଏ ଗୋଟିଏ ୱିକେଟ ନେଇଥିଲେ । ଏହି ବିଜୟ ସହ ମୁମ୍ବାଇ ୮ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଲଗାତାର ୩ଟି ମ୍ୟାଚରେ ପରାଜୟ ହୋଇ ୪ ଅଙ୍କ ସହ ଦଳ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି ।

ପୂର୍ବରୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସୂର୍ଯ୍ୟକୁମାର ଯାଦବ ଅପରାଜିତ ଅର୍ଦ୍ଧଶତକ (୭୯ ରନ୍‌, ୪୭ ବଲ୍‌, ୧୧ ଚୌକା, ୨ ଛକା) ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଜି ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ୪୯ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇ ଥିଲା। ରାଜସ୍ଥାନର ବୋଲର କାର୍ତ୍ତିକ ଓପନର କ୍ୱିଣ୍ଟନ୍‌ ଡି କକ୍‌ଙ୍କୁ ପାଭ୍‌ଲିଅନ ପଠାଇଥିଲେ। ଏହା ପୂର୍ବରୁ ଡି କକ୍‌ ୨୩ ରନ୍‌ ସଂଗ୍ରହ କରିସାରିଥିଲେ। ସେ ୧୫ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ରାଜସ୍ଥାନର ୨ୟ ଶିକାର ହୋଇଥିଲେ ଅଧିନାୟକ ରୋହିତ୍‌ ଶର୍ମା (୩୫ ରନ୍‌, ୨୩ ବଲ୍‌, ୨ ଚୌକା, ୩ ଛକା)। ରୋହିତ ଶର୍ମା ଶ୍ରେୟସ୍‌ ଗୋପାଳଙ୍କ ବଲରେ‌ ରାହୁଲ ତେଓ୍ଵାତିଆଙ୍କୁ କ୍ୟାଚ୍‌ ଦେବା ପୂର୍ବରୁ ମୁମ୍ବାଇ ୮୮ ରନ୍‌ କରି ସାରିଥିଲା।

ମୁମ୍ବାଇର ତୃତୀୟ ଓ୍ଵିକେଟ୍‌ ଭାବେ ଈଶାନ କିଷାନ ଆଉଟ୍‌ ହୋଇଥିଲେ। ସେତେବେଳକୁ ମଧ୍ୟ ଦଳର ସ୍କୋର ୮୮ ରନ୍‌ ଥିଲା। ସେ ଗୋଟିଏ ବଲ୍‌ର ସମ୍ମୁଖୀନ ହୋଇ କୌଣସି ରନ୍‌ ନକରି ଶ୍ରେୟସ ଗୋପାଳଙ୍କ ବଲ୍ରେ ସଂଜୁ ସାମସନ୍‌ଙ୍କୁ କ୍ୟାଚ୍‌ ଦେଇ ପାଭ୍‌ଲିଅନ୍‌କୁ ଫେରିଥିଲେ। କ୍ରୁନାଲ୍ ପାଣ୍ଡ୍ୟା ୧୭ଟି ବଲ୍‌ ଖେଳି ୧୨ ରନ୍‌ କରିଥିଲେ। ଏଥିରେ  କେବଳ ଗୋଟିଏ ଚୌକା ଥିଲା। ଜ୍ରୋଫ୍ରା ଆର୍ଚ୍ଚରଙ୍କ ବଲ୍‌ ଶ୍ରେୟସ ଗୋପାଳଙ୍କୁ କ୍ୟାଚ ଦେଇ କ୍ରୁନାଲ୍ ଆଉଟ୍‌ ହୋଇଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୯ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ଅପରାଜିତ ୩୦ ରନ୍‌ ଯୋଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe