ଅଳ୍ପ ରନ୍‌, ଅଧିକ ରୋମାଞ୍ଚ; ‌କୋଲ୍‌କାତାକୁ ହରାଇଲା ମୁମ୍ବାଇ

Advertisment
ଅଳ୍ପ ରନ୍‌, ଅଧିକ ରୋମାଞ୍ଚ; ‌କୋଲ୍‌କାତାକୁ ହରାଇଲା ମୁମ୍ବାଇ

ଚେନ୍ନାଇ: ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ୍‌ ରାଇଡର୍ସ ମ୍ୟାଚ୍‌ରେ ଅଳ୍ପ ରନ୍‌ ହୋଇଥିଲେ ବି ଅଧିକ ରୋମାଞ୍ଚ ଭରି ରହିଥିଲା। ବ୍ୟାଟ୍ସମ୍ୟାନ୍‌ ନୁହେଁ ବୋଲରଙ୍କ ପ୍ରାଧାନ୍ୟ ରହିଥିଲା। ୫ ଥର ଆଇପିଏଲ୍ ମୁକୁଟ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୧୫୨ ରନ୍‌ର ସାଧାରଣ ସ୍କୋରରେ ଅଲ୍ଆଉଟ୍ ହୋଇଯାଇଥିଲେ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ଏହ‌ାକୁ ପିଛା କରିପାରିନଥିଲା। ନୀତୀଶ ରାଣା ଏବଂ ଶୁଭମନ ଗିଲ୍‌ ପ୍ରଥମ ୱିକେଟ୍‌ ପାଇଁ ୭୨ ରନ୍‌ ଉଠାଇଥିଲେ ମଧ୍ୟ ରାହୁଲ ଚହର (୪-୦-୨୭-୪), ଟ୍ରେଣ୍ଟ୍ ବୋଲ୍ଟ (୪-୦-୨୭-୨) ଏବଂ କୃନାଲ ପାଣ୍ଡ୍ୟା (୪-୦-୧୩-୧)ଙ୍କୁ ଖେଳିବା କୋଲକାତା ପାଇଁ କାଠିକର ପାଠ ହୋଇଥିଲା। କେକେଆର୍‌ ୧୪୨/୭ରେ ସୀମିତ ରହିଯାଇଥିଲା। ପୂର୍ବରୁ ୱେଷ୍ଟଇଣ୍ଡିଆନ୍‌ ଅଲରାଉଣ୍ଡର୍‌ ଆନ୍ଦ୍ରେ ରସେଲ୍‌ ଶେଷ ଓଭରରେ ୩ ୱିକେଟ୍‌ ଦଖଲ ସହ ୫ ୱିକେଟ୍ ସଫଳତା ଅର୍ଜନ କରିବାରୁ ମୁମ୍ବାଇ ଆହ୍ବାନ ଭରା ସ୍କୋର୍‌ ଛିଡ଼ା କରିପାରିନଥିଲା। ବୋଲରମାନେ କିନ୍ତୁ ଏହାକୁ ‌ଯଥେଷ୍ଟ ସାବ୍ୟସ୍ତ କରିଥିଲେ।

ରସେଲ୍‌ଙ୍କୁ ୫: ମୁମ୍ବାଇ ଅଲ୍‌ଆଉଟ୍‌
ମଙ୍ଗଳବାର ଉଭୟ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ନିଜ ନିଜର ଦ୍ବିତୀୟ ମ୍ୟାଚ୍‌ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ। ଇଅନ୍ ମୋର୍ଗାନ୍‌ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲେ। କ୍ରିସ୍‌ ଲିନ୍‌ଙ୍କ ବଦଳରେ କ୍ବିଣ୍ଟନ୍ ଡି’କକ୍‌ଙ୍କୁ ନେଇ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ। କ୍ବିଣ୍ଟନ୍‌ କିନ୍ତୁ ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ‌ହୋଇ ମାତ୍ର ୨ ରନ୍‌ କରିଥିଲେ। ରୋହିତ ଶର୍ମା (୪୩, ୩୨ ବଲ୍) ଏବଂ ସୂର୍ଯ୍ୟକୁମାର ଯାଦବ (୫୬, ୩୬ ବଲ୍) ଦ୍ବିତୀୟ ୱିକେଟ୍ ପାଇଁ ୭୬ ରନ୍‌ ଯୋଡ଼ିବାରୁ ମୁମ୍ବାଇ ଭଲ ସ୍ଥିତି ଆଡକୁ ଯାଉଥିଲା। ସୂର୍ଯ୍ୟଙ୍କୁ ଆଉଟ୍‌ କରି ସକିବ୍ ଅଲ୍ ହାସନ୍‌ ଏହି ଯୋଡିଙ୍କୁ ଅଲଗା କରିବା ପରେ ମୁମ୍ବାଇ ନିୟମିତ ୱିକେଟ୍ ହରାଇ ଚାଲିଥିଲା। ଈଶାନ କିଶନ, କିରଣ ପୋଲାର୍ଡ ବିଫଳ ହୋଇଥିବା ବେଳେ ପାଣ୍ଡ୍ୟା‌ ଭାଇ ପ୍ରତ୍ୟେକ ୧୫ ରନ୍‌ ଲେଖାଏଁ କରିପାରିଥ‌ିଲେ। ୧୬ତମ ଓଭର ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ରୋହିତ ଶର୍ମା ୩୨ ବଲ୍‌ରୁ ୪୩ ରନ୍‌ କରି କମିନ୍ସଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ଶେଷ ଓଭର ଶେଷ ୪ ବଲ୍‌ରେ ୩ ୱିକେଟ୍ ନେଇ ଆନ୍ଦ୍ରେ ରସେଲ୍‌ (୨-୦-୧୫-୫) କ୍ୟାରିୟର ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ଆର୍‌ସିବିର ହର୍ଷଲ ପଟେଲଙ୍କ ପରେ ଏହା ଥିଲା ଚଳିତ ସଂସ୍କରଣର ଦ୍ବିତୀୟ ୫ ୱିକେଟ୍ ସଫଳତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe