ଏସୀୟ ରଗ୍‌ବି ପ୍ରତିଯୋଗିତା:ଭାରତୀୟ ଦଳରେ ମୁନା ମୁର୍ମୁ

ଏସୀୟ ରଗ୍‌ବି ପ୍ରତିଯୋଗିତା:ଭାରତୀୟ ଦଳରେ ମୁନା ମୁର୍ମୁ

ଭୁବନେଶ୍ୱର: ମଙ୍ଗଳବାରଠାରୁ ଚାଇନିଜ ତାଇପେଇରେ ଆରମ୍ଭ ହେଉଥିବା ଏସୀୟ ରଗ୍‌ବି ପ୍ରତିଯୋଗିତାରେ ଓଡ଼ିଆ ପୁଅ ମୁନା ମୁୁର୍ମୁଙ୍କୁ ଭାରତୀୟ ଦଳରେ ପୁଣି ସ୍ଥାନ ମିଳିଛି। କିସ୍‌ର ଏହି ଛାତ୍ର ହରିଆଣାର ସୋନିପତ୍‌ ସାଇ କେନ୍ଦ୍ରରେ ଚାଲିଥିବା ଭାରତୀୟ ସମ୍ଭାବ୍ୟ ଖେଳାଳିଙ୍କ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇ ଚୟନକର୍ତାଙ୍କୁ ପ୍ରଭାବିତ କରିବା ପରେ ଚୂଡାନ୍ତ ଦଳରେ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ ମଧ୍ୟ ମୁନା ୪ ଥର ଏସୀୟ ପ୍ରତିଯୋଗିତାରେ ଭାଗ ନେଇ ସାରିଛନ୍ତି। ଫଳରେ ଭାରତୀୟ ଦଳରେ ମୁନା ଏବେ ନିୟମିତ ସଦସ୍ୟ ପାଲଟିଯାଇଛନ୍ତି। ଭାରତୀୟ ଦଳର ପ୍ରବଂଧକ ଭାବେ ମଧ୍ୟ ପ୍ରଶିକ୍ଷକ ମାନସ କୁମାର ଜେନାଙ୍କୁ ସୁଯୋଗ ମିଳିଛି। ଉଭୟଙ୍କୁ ଏଭଳି ଅନ୍ତର୍ଜାତୀୟ ସୁଯୋଗ ମିଳିଥିବାରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହିତ ଓଡ଼ିଶା ରଗ୍‌ବି ସଂଘ ସଭାପତି ବିଧାୟକ ପ୍ରିୟଦର୍ଶି ମିଶ୍ର, ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି, କିସ୍‌ର ସହକାରୀ କ୍ରୀଡ଼ା ନିର୍ଦେଶକ ରୁଦ୍ରକେଶ ଜେନା ଶୁଭକାମନା ଜଣାଇଛନ୍ତି।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକାଥାନା ଅନ୍ତର୍ଗତ ଚୂଡଙ୍ଗ ନିବାସୀ ସୁରେନ୍ଦ୍ର ମୁର୍ମୁ ଏବଂ ନେହା ମୁର୍ମୁଙ୍କ ପୁଅ ମୁନା ୨୦୧୦ ମସିହାରୁ ଭାରତୀୟ ଦଳରେ ସ୍ଥାନ ପାଇ ଆସିଛନ୍ତି। ୨୦୧୦ରେ ଲାଓରେ ୧୯ ବର୍ଷରୁ କମ୍‌ ଏସୀୟ ରଗ୍‌ବି, ୨୦୧୩ରେ ଏସୀୟ ୫ ରାଷ୍ଟ୍ରୀୟ (ମାଲେସିଆ) ଏବଂ ଏସୀୟ ସେଭେନ୍‌ସ (ଥାଇଲାଣ୍ଡ୍‌) ଏବଂ ୨୦୧୫ରେ ଏସୀୟ ୫ ରାଷ୍ଟ୍ରୀୟ ରଗ୍‌ବି ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ଏହା ଛଡ଼ା ୨୦୧୧ ଏବଂ ୨୦୧୫ରେ ଜାତୀୟ କ୍ରୀଡ଼ାରେ ଓଡ଼ିଶା ଦଳରୁ ଖେଳିଥିଲେ। ବର୍ତମାନ ସେ କିସ୍‌ରେ ସ୍ନାତକୋତ୍ତର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe