ଅଶ୍ୱିନ୍‌ଙ୍କ ରହସ୍ୟମୟ ବଲ୍‌ ପକାଇବେ ମୁଜିବ୍‌

Advertisment
ଅଶ୍ୱିନ୍‌ଙ୍କ ରହସ୍ୟମୟ ବଲ୍‌ ପକାଇବେ ମୁଜିବ୍‌

ନୂଆଦିଲ୍ଲୀ: ଗତ ଆଇପିଏଲ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳିଥିଲେ ଆଫଗାନିସ୍ତାନର ଅନ୍ୟତମ ଯୁବ ସ୍ପିନର୍‌ ମୁଜିବ୍‌ ଉର୍‌ ରହମାନ। ପଞ୍ଜାବ ଦଳର ଭାରତୀୟ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କଠାରୁ ଶିଖିଥିଲେ ସ୍ପିନ୍‌ର କଳା କୌଶଳ। ଏବେ କିନ୍ତୁ ଟେଷ୍ଟ୍‍ କ୍ରିକେଟ୍‌ରେ ଉଭୟ ହେବେ ମୁହାଁମୁହିଁ। ସ୍ପିନରଙ୍କ ଭୂମିକା ନିର୍ଣ୍ଣାୟକ ହେବାକୁ ଯାଉଥିବାରୁ ନଜର ରହିଛି ଅଶ୍ୱିନ୍‌-ଜାଦେଜା ବନାମ ରସିଦ୍‌-ମୁଜିବ୍‌ଙ୍କ ସଫଳତା ଉପରେ। ମୁଜିବ୍‌ କିନ୍ତୁ କହିଛନ୍ତି ପଞ୍ଜାବ ଶିବିରରେ ମୁଁ ଅଶ୍ୱିନଙ୍କଠାରୁ ଶିଖିଥିବା ରହସ୍ୟପୂର୍ଣ୍ଣ ବଲ୍‌କୁ ସେ ଭାରତ ବିପକ୍ଷରେ ପକାଇବାକୁ ଚେଷ୍ଟା କରିବେ। ଗତବର୍ଷ ଅଗଷ୍ଟରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିବା ୧୭ ବର୍ଷୀୟ ମୁଜିବ୍‌ କହିଛନ୍ତି ଅଶ୍ୱିନଙ୍କ ସହିତ ନେଟ୍‌ସରେ ବତାଇଥିବା ଅନେକ ସମୟ ମୋତେ ସହାୟକ ହୋଇଛି। କେଉଁଠି ବଲ୍‌ ପକାଇବ ଏବଂ ନୂଆ ବଲ୍‌ରେ କିଭଳି ବୋଲିଂ କରିବା ଆଦି ମୁଁ ତାଙ୍କଠାରୁ ଶିଖିଛି।

ଅଫସ୍ପିନ୍‌ ଆକ୍ସନ ସହିତ କ୍ୟାରମ୍‌ ବଲ୍‌ ବୋଲିଂ କରିବାକୁ ମୁଁ ଉଦ୍ୟମ କରିଛି। ମୁଁ ଉଚ୍ଚସ୍ତରୀୟ କ୍ରିକେଟ୍‌ ଖେଳି ସାରିଥିବାରୁ କୌଣସି ଡର ଭୟ ନାହିଁ ବୋଲି କହିଛନ୍ତି ମୁଜିବ୍‌। ଆଇପିଏଲ୍‌କୁ ମୁଁ ଧନ୍ୟବାଦ ଦେବି। ଚାପକୁ କିଭଳି ହାତେଇବାକୁ ହୁଏ ମୁଁ ଜାଣି ପାରିଛି। କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ମୋତେ ଭୟ ଲାଗୁ ନାହିଁ ବୋଲି ମୁଜିବ୍‌ କହିଛନ୍ତି। ଖୋସ୍ତ ଜନ୍ମିତ ଏହି ଯୁବ ପ୍ରତିଭା ଓ୍ଵିକେଟ୍‌ର ଉଭୟ ପାର୍ଶ୍ୱକୁ ଫଳପ୍ରଦ ଭାବେ ଗୁଗ୍‌ଲି ବୋଲିଂ କରିବା ଦକ୍ଷତା ରଖିଛନ୍ତି। ଆଇପିଏଲ୍‌ରେ ସେ ବିରାଟ କୋହଲିଙ୍କ ଓ୍ଵିକେଟ୍‌ ମଧ୍ୟ ନେଇଥିଲେ। ଏକମାତ୍ର ଟେଷ୍ଟ୍‍ରେ ବିରାଟ କୋହଲି ନ ଥିଲେ ବି ଅଜିଙ୍କ୍ୟ ରାହାଣେ ଓ ଲୋକେଶ ରାହୁଲଙ୍କ ଭଳି ଖେଳାଳି ଅଛନ୍ତି ବୋଲି ସେ କହିଛନ୍ତି। କାହାରିକୁ ଆମେ ହାଲକାରେ ନେଉନାହୁଁ। ସମସ୍ତଙ୍କ ସହିତ ଖେଳିବାର ଅଭିଜ୍ଞତା ଆଇପିଏଲ୍‌ ଦେଇଛି। ଏହାକୁ ମୁଁ ଟେଷ୍ଟ୍‍ କ୍ରିକେଟ୍‌ରେ ଉପଯୋଗ କରିବାକୁ ଚେଷ୍ଟା କରିବି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe