ମେଲବର୍ଣ୍ଣ: ପ୍ରଥମ ଦୁଇଟି ସେଟ୍ରେ ପଛୁଆ ଥାଇ ମଧ୍ୟ ଅବିଶ୍ବସନୀୟ ତଥା ଅସାଧାରଣ ପ୍ରତ୍ୟାବର୍ତ୍ତନର ବଳିଷ୍ଠ ନମୁନା ଦେଖାଇ ୫ ସେଟ୍ ବିଶିଷ୍ଟ ତୀବ୍ର ସଂଘର୍ଷପୂର୍ଣ୍ଣ, ନାଟକୀୟ ତଥା ମାରାଥନ ଫାଇନାଲ୍ରେ ଉତ୍କଣ୍ଡାପୂର୍ଣ୍ଣ ଭାବେ ରୁଷିଆର ଡାନିଲ ମେଦଭେଦେଭଙ୍କୁ ୨-୬, ୬-୭ (୫), ୬-୪, ୬-୪, ୭-୫ ସେଟ୍ରେ ପରାସ୍ତ କରି ସ୍ପେନର ମହାନ ଟେନିସ୍ ତାରକା ରାଫେଲ ନାଦାଲ ରବିବାର ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଏକକ ଟ୍ରଫି ଜିତି ନେଇଛନ୍ତି। ତା’ ସହ ନିଜ ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା କ୍ୟାରିୟରରେ ସଫଳତାର ଆଉ ଏକ ସୁନେଲି ଫର୍ଦ୍ଦ ଯୋଡ଼ିଛନ୍ତି। ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତି ପ୍ରଥମ ପୁରୁଷ ଖେଳାଳି ଭାବେ ୨୧ ଗ୍ରାଣ୍ଡସ୍ଲାମ୍ ବିଜୟର ଗୌରବମୟ ତଥା ବିରଳ ସଫଳତା ଲାଭ କରିଛନ୍ତି ସେ। ସେହିଭଳି ଟେନିସ୍ ଦୁନିଆର ନୂଆ ମହାନାୟକ ଭାବେ ଉଭା ହୋଇଛନ୍ତି। ଗୁରୁତର ଆହତ ହେବା ପରେ ମାତ୍ର ମାସକ ତଳେ ନାଦାଲଙ୍କ ଟେନିସ୍ ଜୀବନ ଅକାଳରେ ଶେଷ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ସବୁ ବାଧା ବିଘ୍ନକୁ ସାହସର ସହ ମୁକାବିଲା କରି ସେ ଆଜି ନୂଆ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଯାହା କେହି କେବେ କରି ନଥିଲେ, ତାହା କରି ଦେଖାଇଛନ୍ତି। ନାଦାଲ ମୋଟ ୨୯ ଥର ଗ୍ରାଣ୍ଡ୍ସ୍ଲାମ୍ ଫାଇନାଲ୍ ପ୍ରବେଶ କରିଥିଲା ବେଳେ ୨୧ ଥର ଟ୍ରଫି ତୋଳି ଧରିଛନ୍ତି। ୮ ଥର ଉପବିଜେତା ରହିଛନ୍ତି।
ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ ସ୍ବିଜରଲାଣ୍ଡର ରୋଜର ଫେଡେରର ଏବଂ ସର୍ବିୟାର ନୋଭାକ ଜୋକୋଭିକଙ୍କ ସହ ସମାନ ୨୦ ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟର ସମ୍ମାନ ନେଇ ଚଳିତ ଅଷ୍ଟ୍ରେଲିଆନ୍ ଓପନକୁ ଯାଇଥିଲେ ନାଦାଲ। ସେଠାରେ କିନ୍ତୁ ନିଜ ସ୍ବପ୍ନର ସଫଳତା ହାସଲ କରି ଐତିହାସିକ ୨୧ତମ ଗ୍ରାଣ୍ଡସ୍ଲାମ୍ ବିଜୟ ହାସଲ କଲେ। ତା’ ସହ ଫେଡେରର ଏବଂ ଜୋକୋଭିକଙ୍କୁ ପଛରେ ପକାଇ ଟେନି୍ସ କୋର୍ଟରେ ପୁଣି ଥରେ ନୂଆ ମାଇଲଖୁଣ୍ଟ ଛୁଇଁଲେ।
ରବିବାର ଅପରାହ୍ନର ବହୁ ପ୍ରତୀକ୍ଷିତ ଫାଇନାଲ୍ରେ ବିଶ୍ବମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ମେଦଭେଦେଭ କିନ୍ତୁ କ୍ଲେ କୋର୍ଟ ମହାରାଜା ଭାବେ ପରିଚିତ ନାଦଲଙ୍କୁ ପୂରା ନୟାନ୍ତ କରି ଦେଇଥିଲେ। ଏପରିକି ପ୍ରଥମ ଦୁଇ ସେଟ୍କୁ ଜିତି ନେଇ ୨-୦ରେ ଆଗୁଆ ହୋଇଯାଇଥିଲେ। ଦ୍ବିତୀୟ ସେଟ୍କୁ ମେଦଭେଦେଭ ଯେତେବେଳେ ଜିତିନେଲେ ନାଦାଲଙ୍କ ଇତିହାସ ରଚିବା ସ୍ବପ୍ନ ସ୍ବପ୍ନରେ ରହିଯିବ ବୋଲି ପ୍ରଶଂସକ ଭାବି ନେଇଥିଲେ। ହେଲେ ରଡ୍ ଲେଭର ଏରିନା ଦର୍ଶକଙ୍କ ବିପୁଳ ସମର୍ଥନ ଏବଂ ନିଜ ଅଦମ୍ୟ ଆତ୍ମବିଶ୍ବାସ ବଳରେ ତୃତୀୟ ଓ ଚତୁର୍ଥ ସେଟ୍କୁ ଲଗାତାର ଜିତି ଫାଇନାଲ୍କୁ ପଞ୍ଚମ ସେଟ୍କୁ ନେଇଯାଇଥିଲେ ନାଦାଲ। ସେଠାରେ ୫-୪ରେ ଆଗୁଆ ଥିଲା ବେଳେ ମେଦଭେଦେଭ ସଫଳତାର ସହ ସର୍ଭିସ୍ ବ୍ରେକ୍ କରିଥିଲେ। ହେଲେ ନାଦାଲ ହାର ମାନି ନଥିଲେ। ଖୁବକମ୍ ସମୟ ଭିତରେ ପୁଣି ଥରେ ମେଦେଭେଦେଭଙ୍କ ସର୍ଭିସ୍ ବ୍ରେକ୍ କରି ବ୍ୟାକହ୍ୟାଣ୍ଡ୍ ଭଲିରେ ମ୍ୟାଚ୍ ପଏଣ୍ଟ ଜିତିବା ସହ ଦୀର୍ଘ ୧୩ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତି ନେଇଥିଲେ। ସେ ୨୦୦୯ରେ ପ୍ରଥମ ଓ ଶେଷ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଏକକ ଟ୍ରଫି ଜିତିଥିଲେ। ସେପଟେ ରବିବାର ଫାଇନାଲ୍ ଅଷ୍ଟ୍ରେଲିଆନ୍ ଓପନ୍ ଇତିହାସର ଦ୍ବିତୀୟ ସବୁଠାରୁ ଲମ୍ବା ଫାଇନାଲ୍ ଥିଲା। ଏହି ମ୍ୟାଚ୍ ୫ ଘଣ୍ଟା ୨୪ ମିନିଟ୍ରେ ଶେଷ ହୋଇଥିଲା। ଯାହାକି ୨୦୧୯ ୟୁଏସ୍ ଓପନ୍ ଫାଇନାଲ୍ (ନାଦାଲ ବନାମ ମେଦ୍ଭେଦେଭ୍)ର ୪ ଘଣ୍ଟା ୫୩ ମିନିଟ୍ର ଅବଧିକୁ ପଛରେ ପକାଇ ଦେଇଥିଲା। ଅନ୍ୟପକ୍ଷରେ ଏହି ପରାଜୟ ପରେ ମେଦଭେଦେଭଙ୍କ ହୃଦୟ କିନ୍ତୁ ଭାଙ୍ଗି ଯାଇଥିଲା। କାରଣ ୨୦୧୯ ୟୁଏସ୍ ଓପନ୍ ଫାଇନାଲ୍ରେ ମଧ୍ୟ ନାଦାଲ ଠିକ୍ ଏହିଭଳି ଭାବେ ୫ ସେଟ୍ ବିଶିଷ୍ଟ ଫାଇନାଲ୍ରେ ତାଙ୍କୁ ପରାସ୍ତ କରିଥିଲେ। ତେବେ ନାଦାଲଙ୍କୁ ଦେଇଥିବା କଡ଼ା ଟକ୍କର ପାଇଁ ସେ ପ୍ରଶଂସାର ପାତ୍ର ହୋଇଥିଲେ। ସୂଚନାଯୋଗ୍ୟ ଯେ ୩୫ ବର୍ଷୀୟ ନାଦାଲ ପୂର୍ବରୁ ୨୦୧୨, ୨୦୧୪, ୨୦୧୭, ୨୦୧୯ରେ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ ଖେଳିଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ଏବର୍ଷ ଟ୍ରଫି ଜିତିବା ପରେ ଜୋକୋଭିକଙ୍କ ପରେ (୧୯୬୮ ମସିହାରେ ଓପନ୍ ଏରା ଆରମ୍ଭ ହେବା ପରଠାରୁ) ଦ୍ବିତୀୟ ଖେଳାଳି ଭାବେ ସମସ୍ତ ଚାରିଟି ଯାକ ଗ୍ରାଣ୍ଡସ୍ଲାମକୁ ଦୁଇ ଥର ଜିତିବାର ଅନନ୍ୟ ସଫଳତା ହାସଲ କରିଥିଲେ ନାଦାଲ।
Follow Us