ଭୁବନେଶ୍ବର: ବେଙ୍ଗାଲୁରୁରେ ସୋମବାରଠାରୁ ଆରମ୍ଭ ହୋଇଥିବା ନାଗେଶ ଟ୍ରଫି ଦୃଷ୍ଟିହୀନ ଜାତୀୟ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍ ଜିତିଛି। ନିର୍ମାଣ-୧ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଓଡ଼ିଶା ୧୩୯ ରନ୍ରେ ମଧ୍ୟପ୍ରଦେଶକୁ ହରାଇଛି। ନକୁଳ ବଡ଼ନାୟକ ଙ୍କ ପ୍ରଥମ ଶତକ (୧୦୧*, ୫୯ ବଲ୍), ସୁଖରାମ ମାଝୀଙ୍କ ଅର୍ଦ୍ଧଶତକ (୭୨*, ୩୯ ବଲ୍) ଏବଂ ଅଧିନାୟକ ମହମ୍ମଦ ଜାଫର୍ ଇକବାଲ୍ଙ୍କ ଉପଯୋଗୀ ୩୬ ରନ୍ (୧୭ ବଲ୍) ବଳରେ ଓଡ଼ିଶା ୨୦ ଓଭରରେ ୨ ୱିକେଟ୍ ହରାଇ ୨୪୯ ରନ୍ କରିଥିଲା। ଜବାବରେ ମଧ୍ୟପ୍ରଦେଶ ୧୧୦/୯ରେ ସୀମିତ ରହିଥିଲା। ଓଡ଼ିଶା ପକ୍ଷରୁ ସୁଖରାମ ମାଝୀ ୩, ପଙ୍କଜ ଭୁଇ ୨, ତପନ ଗୌଡ଼ ଓ ରଘୁରାମ ନାୟକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ସୁଖରାମ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମଙ୍ଗଳବାର ଓଡ଼ିଶା ସଚିନ ତେନ୍ଦୁଲକର ଗ୍ରାଉଣ୍ଡରେ ବେଙ୍ଗଲ ସହ ମୁକାବିଲା କରିବ।
ନାଗେଶ ଟ୍ରଫିରେ ନକୁଳଙ୍କ ଶତକ, ଓଡ଼ିଶାର ବଡ଼ ବିଜୟ
Advertisment
Follow Us