ଆୟର୍ଲାଣ୍ଡ ବିଦା: ସୁପର-୧୨ରେ ନାମିବ୍ୟା, ଶ୍ରୀଲଙ୍କା ଅପରାଜେୟ

Advertisment
ଆୟର୍ଲାଣ୍ଡ ବିଦା: ସୁପର-୧୨ରେ ନାମିବ୍ୟା, ଶ୍ରୀଲଙ୍କା ଅପରାଜେୟ

DNA India

ସାର୍‌ଜା: ସ୍କଟ୍‌ଲାଣ୍ଡ୍‌, ବାଂଲାଦେଶ ଓ ଶ୍ରୀଲଙ୍କା ପରେ ନାମିବ୍ୟା ଚତୁର୍ଥ ତଥା ଶେଷ ଯୋଗ୍ୟତାପର୍ଯ୍ୟାୟ ଦଳ ଭାବେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସୁପର-୧୨ରେ ପ୍ରବେଶ କରିଛି। ଗୁରୁବାର ଗ୍ରୁପ୍‌-ବି’ରେ ଅପରାଜେୟ ରହି ସ୍କଟ୍‌ଲାଣ୍ଡ ଏବଂ ଦ୍ବିତୀୟ ବିଜୟ ସହ ବାଂଲାଦେଶ ଯୋଗ୍ୟତାପର୍ଯ୍ୟାୟରୁ ସୁପର-୧୨ ଟିକେଟ୍‌ କରାୟତ୍ତ କରିଥିଲା ବେଳେ ଗ୍ରୁପ୍‌-ଏ’ରୁ ଶ୍ରୀଲଙ୍କା ପରେ ନାମିବ୍ୟା ଦ୍ବିତୀୟ ଦଳ ଭାବେ ଏହି ଟିକେଟ ପାଇଛି। ଶୁକ୍ରବାର ଗ୍ରୁପ୍‌-ଏ’ରେ ଆୟର୍ଲାଣ୍ଡକୁ ବିଦା କରି ନାମିବ୍ୟା ସୁପର-୧୨ ଯୋଗ୍ୟତା ହାତେଇ ନେଇଛି। ଫଳରେ ସ୍କଟ୍‌ଲାଣ୍ଡ୍‌ ଏବଂ ନାମିବ୍ୟା ସୁପର-୧୨ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆଫ୍‌ଗାନିସ୍ତାନ ସହ ଗ୍ରୁପ୍‌-ବି’ରେ ସ୍ଥାନ ପାଇଥିଲା ବେଳେ ଶ୍ରୀଲଙ୍କା ଏବଂ ବାଂଲାଦେଶ ଗ୍ରୁପ୍‌-ଏ’ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ସହ ଯୋଡ଼ି ହୋଇଛନ୍ତି।

ଶୁକ୍ରବାର ଦିନ ବେଳା ମ୍ୟାଚ୍‌ରେ ଆୟର୍ଲାଣ୍ଡ ଓ ନାମିବ୍ୟା ମୁହାଁମୁହିଁ ହୋଇଥିଲେ। ସୁପର-୧୨କୁ ଯୋଗ୍ୟତା ହାସଲ କରିବାକୁ ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ଏଥିରେ ଟସ୍‌ ଜିତି ଆୟର୍ଲାଣ୍ଡ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ନାମିବ୍ୟା ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଆୟର୍ଲାଣ୍ଡ୍‌ ପାଳି ୧୨୫/୮ରେ ସୀମିତ ରହିଯାଇଥିଲା। କେବଳ ପ୍ରଥମ ତିନି ବ୍ୟାଟ୍‌ସମ୍ୟାନ୍‌ ପଲ୍‌ ଷ୍ଟିର୍ଲିଂ (୩୮), କେଭିନ୍‌ ଓ’ବ୍ରାଏନ୍‌ (୨୪) ଏବଂ ଅଧିନାୟକ ବଲ୍‌ବିର୍ନେ (୨୧)ଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ନାମିବ୍ୟା ପକ୍ଷରୁ ଜାନ୍‌ ଫ୍ରିଲିଙ୍କ୍‌ (୩/୨୧), ଅଲ୍‌ରାଉଣ୍ଡର ଡେଭିଡ୍‌ ୱିଜି (୨/୨୨) ସଫଳ ବୋଲର ରହିଥିଲେ। ଜବାବରେ ଦୁଇ ଓପ୍‌ନର କ୍ରେଗ୍‌ ୱିଲିୟମ୍‌ସ (୧୫) ଓ ଜାନେ ଗ୍ରିନ୍‌ (୨୪)ଙ୍କ ୱିକେଟ୍‌ ହରାଇ ନାମିବ୍ୟା ୯ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଅଧିନାୟକ ଗେରାଡ ଏରାସମସ୍‌ (୫୩*)ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଡେଭିଡ୍‌ ୱିଜି (୨୮*, ୧୪ ବଲ୍‌)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନାମିବ୍ୟା ୧୮.୩ ଓଭରରେ ୧୨୬/୨ କରିନେଇଥିଲା। କର୍ଟିସ୍‌ କାମ୍ଫେର ହିଁ ନାମିବ୍ୟାର ପତନ ଘଟିଥିବା ୨ଟିଯାକ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ୱିଜି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଆୟର୍ଲାଣ୍ଡ୍‌ ୨୦ ଓଭରରେ ୧୨୫/୮ (ପଲ୍‌ ଷ୍ଟିର୍ଲିଂ-୩୮, କେଭିନ୍‌ ଓ’ବ୍ରାଏନ୍‌-୨୪, ବଲ୍‌ବିର୍ନେ-୨୧, ଜାନ୍‌ ଫ୍ରିଲିଙ୍କ୍‌-୩/୨୧, ଡେଭିଡ୍‌ ୱିଜି-୨/୨୨)। ନାମିବ୍ୟା ୧୮.୩ ଓଭରରେ ୧୨୬/୨ (କ୍ରେଗ୍‌ ୱିଲିୟମ୍‌ସ-୧୫, ଜାନେ ଗ୍ରିନ୍‌-୨୪, ଗେରାଡ ଏରାସମସ୍‌-୫୩*, ଡେଭିଡ୍‌ ୱିଜି-୨୮*, କର୍ଟିସ୍‌ କାମ୍ଫେର-୨/୧୪)।

ଶ୍ରୀଲଙ୍କା ଅପରାଜେୟ

ସାର୍‌ଜା: ଯୋଗ୍ୟତା ପର୍ଯ୍ୟାୟରେ ଅପରାଜେୟ ରହି ଗ୍ରୁପ୍‌-ଏ ବିଜେତା ସହ ଶ୍ରୀଲଙ୍କା ସୁପର-୧୨ରେ ପ୍ରବେଶ କରିଛି। ଏହି ଗ୍ରୁପ୍‌ରେ ପ୍ରଥମ ଦୁଇ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ୍‌ ଏବଂ ନାମିବ୍ୟାକୁ ପରାସ୍ତ କରିଥିବା ଶ୍ରୀଲଙ୍କା ଶୁକ୍ରବାର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଥିଲା। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ସିଂହଳୀ ଦଳ। ବୋଲରମାନେ ମଧ୍ୟ ଅଧିନାୟକଙ୍କ ନିଷ୍ପତ୍ତିକୁ ଯଥାର୍ଥ କରି ଏହି କଷ୍ଟସାଧ୍ୟ ପିଚ୍‌ରେ ନେଦରଲାଣ୍ଡ୍‌ ପାଳିକୁ ୪୪ ରନ୍‌ରେ ସଫା କରିଦେଇଥିଲେ। ଲାହିରୁ କୁମାରା (୩-୧-୭-୩), ୱାନିନ୍ଦୁ ହସରଙ୍ଗା (୩-୦-୯-୩), ମହେଶ ଥିକ୍‌ସାନା (୧-୦-୩-୨) ଏବଂ ଦୁଷ୍ମନ୍ତ ଚାମିରା (୨-୦-୧୩-୧)ଙ୍କ କମାଲ ବୋଲିଂ ଯୋଗୁଁ ନେଦରଲାଣ୍ଡ୍‌ ୧୦ ଓଭରରେ ହିଁ ୪୪ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। କେବଳ କଲିନ ଆକରମ୍ୟାନ୍‌ (୧୧)ଙ୍କ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର୍‌ ଏକ ଅଙ୍କ ଟପି ପାରିନଥିଲେ। ଫଳରେ ଟି-୨୦ ବିଶ୍ବକପ୍‌ରେ ଏହି ଦଳ ତା’ର ଦ୍ବିତୀୟ ସର୍ବନିମ୍ନ ଦଳୀୟ ସ୍କୋର୍‌ର ଅଲୋଡ଼ା କୀର୍ତ୍ତି ପାଇଥିଲା। ଏହା ପୂର୍ବରୁ ୨୦୧୪ ବିଶ୍ବକପ୍‌ରେ ସେହି ଶ୍ରୀଲଙ୍କା ଦଳ ବିପକ୍ଷରେ ୩୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ସର୍ବନିମ୍ନ ଦଳୀୟ ସ୍କୋର୍‌ କରିଥିଲା ନେଦରଲାଣ୍ଡ୍‌।

ଜବାବରେ ଛୋଟିଆ ସ୍କୋରର ପିଛା କରିଥିବା ଶ୍ରୀଲଙ୍କା ମଧ୍ୟ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ୨ ୱିକେଟ୍‌ ହରାଇଥିଲା। ପାଥୁନ ନିଶାଙ୍କ (୦) ଏବଂ ଚରିଥ ଆଶାଲଙ୍କା (୬) ବୋଲରଙ୍କୁ ସୁହାଉଥିବା ଏହି ପିଚ୍‌ରେ ବିଫଳ ହୋଇଥିଲା ବେଳେ କୁସାଲ ପେରେରାଙ୍କ ଅପରାଜିତ ୩୩ (୨୪ ବଲ୍‌, ୬ ଚୌକା) ରନ୍‌ ବଳରେ ହିଁ ଶ୍ରୀଲଙ୍କା ୭.୧ ଓଭରରେ ୪୫/୨ କରିନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe