ଅଳ୍ପକେ ୨ କାଂସ୍ୟ ହାତଛଡ଼ା: ସୁଟିଂରେ ମାହେଶ୍ବରୀ-ଅନନ୍ତ, ବ୍ୟାଡ୍‌ମିଣ୍ଟନରେ ଲକ୍ଷ୍ୟ ହାରିଗଲେ

Advertisment
ଅଳ୍ପକେ ୨ କାଂସ୍ୟ ହାତଛଡ଼ା: ସୁଟିଂରେ ମାହେଶ୍ବରୀ-ଅନନ୍ତ, ବ୍ୟାଡ୍‌ମିଣ୍ଟନରେ ଲକ୍ଷ୍ୟ ହାରିଗଲେ

ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ବ୍ୟାଡ୍‌ମିଣ୍ଟନ୍‌ ଓ ସୁଟିଂରେ ଦୁଇଟି କାଂସ୍ୟ ସୋମବାର ମିଳିବାର ଆଶା ଥିଲା। ହେଲେ ଏହି ଦୁଇ କାଂସ୍ୟ ମୁକାବିଲାରେ ଭାରତୀୟ ଖେଳାଳି ହାରିଯିବାରୁ ଦୁଇଟି ପଦକ ହାତଛଡ଼ା ହୋଇଛି। କାଂସ୍ୟ ମୁକାବିଲାରେ ବ୍ୟାଡ୍‌ମିଣ୍ଟନ ପୁରୁଷ ଏକକ ଖେଳାଳି ଲକ୍ଷ୍ୟ ସେନ୍‌ ଏବଂ ସୁଟିଂରେ ସ୍କିଟ୍‌ ସୁଟର ମାହେଶ୍ବରୀ ଚୌହାନ ଓ ଅନନ୍ତଜିତ ସିଂହ ପରାସ୍ତ ହୋଇଯାଇଛନ୍ତି।

ଲକ୍ଷ୍ୟ ୧୩-୨୧, ୨୧-୧୬, ୨୧-୧୧ରେ ମାଲେସିଆର ଲି ଜି ଜିଆଙ୍କଠୁ ହାରିଯିବାରୁ ଚତୁର୍ଥ ସ୍ଥାନରେ ରହି ପ୍ୟାରିସ୍‌ ଅଭିଯାନ ଶେଷ କରିଛନ୍ତି। ପ୍ରଥମ ଗେମ୍‌କୁ ଲକ୍ଷ୍ୟ ୨୧-୧୩ରେ ଜିତି ଭଲ ଆରମ୍ଭ କରିଥିଲେ। ଏହାପରେ ମାଲେସିଆ ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୨୧-୧୬, ୨୧-୧୧ରେ ପରବର୍ତ୍ତୀ ଦୁଇ ‌ଗେମ୍‌ ଜିତି କାଂସ୍ୟ ପଦକ ନିଶ୍ଚିତ କରିଥିଲେ। ଲକ୍ଷ୍ୟଙ୍କ ଏହି ପରାଜୟ ଯୋଗୁଁ ଭାରତ ୧୨ ବର୍ଷ ପରେ ପ୍ରଥମ ଥର ଲାଗି ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ୍‌ରୁ ଖାଲି ହାତରେ ଫେରିଛି। ୨୦୧୨ ଲଣ୍ଡନରେ ସାଇନା ନେହୱାଲ କାଂସ୍ୟ ଜିତିଥିଲା ବେଳେ ରିଓ ଓ ଟୋକିଓରେ ପିଭି ସିନ୍ଧୁ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ କରାୟତ୍ତ କରିଥିଲେ।

ସ୍କିଟ୍‌ ମିଶ୍ରିତ ଦଳଗତ କାଂସ୍ୟ ମୁକାବିଲାରେ ଭାରତୀୟ ସୁଟର ମାହେଶ୍ବରୀ ଓ ଅନନ୍ତ କଡ଼ା ସଂଘର୍ଷ କରି ୪୩-୪୪ରେ ଚୀନ୍‌ର ଜିଆନ୍‌ଲିନ୍‌ ଲିଉ ଓ ୟିତିଙ୍ଗ ଜିଆଙ୍ଗଠୁ ପରାସ୍ତ ହୋଇଛନ୍ତି। ଫଳରେ ଏହି ଭାରତୀୟ ଯୋଡ଼ି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ସୋମବାର ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଯୋଡ଼ି ୧୪୯ ସ୍କୋର୍‌ କରି କାଂସ୍ୟ ମୁକାବିଲାରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe