ଜାତୀୟ ବାଳକ ହକି: ଫାଇନାଲରେ ଓଡ଼ିଶା-ଉତ୍ତରପ୍ରଦେଶ

Advertisment
ଜାତୀୟ ବାଳକ ହକି: ଫାଇନାଲରେ ଓଡ଼ିଶା-ଉତ୍ତରପ୍ରଦେଶ

ରାଉରକେଲା : ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ଫାଇନାଲକୁ ପ୍ରବେଶ କରିଛି। ଶନିବାର ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଓଡ଼ିଶା ୩-୧ ଗୋଲ୍‌ରେ ଶକ୍ତିଶାଳୀ ମଧ୍ୟପ୍ରଦେଶକୁ ପରାସ୍ତ କରିଛି। ଅପରପକ୍ଷରେ ପୂର୍ବଥରର ବିଜେତା ଉତ୍ତରପ୍ରଦେଶ ଏକତରଫା ଭାବେ ୭-୦ ଗୋଲ୍‌ରେ ହରିୟାଣାକୁ ପରାସ୍ତ କରି ଫାଇନାଲ ସ୍ଥାନ ସୁରକ୍ଷିତ କରିଛି। ରବିବାର ଫାଇନାଲ୍‌ରେ ଓଡ଼ିଶା ଓ ଉତ୍ତରପ୍ରଦେଶ ମୁହାଁମୁହିଁ ହେବେ।

ଓଡ଼ିଶା ଓ ମଧ୍ୟପ୍ରଦେଶ ସେମିଫାଇନାଲ୍‌ରେ କଡ଼ା ଟକ୍କର ହୋଇଥିଲା। ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଶୈଳୀ ଆପଣେଇଥିଲେ। ନବମ ମିନିଟ୍‌ରେ ଓଡ଼ିଶା ଏକ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ପାଇଥିଲା। ଏହାକୁ ପ୍ରଦୀପ ମଣ୍ଡଳ ସଫଳତାର ସହ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୧୯ତମ ମିନିଟ୍‌ରେ ଦୀପକ ପ୍ରଧାନ ଏକ ଆକର୍ଷଣୀୟ ଗୋଲ୍‌ ଦେଇ ଓଡ଼ିଶା ସପକ୍ଷରେ ବ୍ୟବଧାନକୁ ୨-୦କୁ ବଢ଼ାଇଥିଲେ। ପ୍ରଥମ ଦୁଇ କ୍ବାର୍ଟର୍‌କୁ ଓଡ଼ିଶା ନିଜ କବ୍‌ଜାରେ ରଖିଥିଲା। ତେବେ ତୃତୀୟ କ୍ବାର୍ଟର୍‌ରେ ମଧ୍ୟପ୍ରଦେଶ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ଏହି କ୍ବାର୍ଟର୍‌ର ଶେଷ ମୂହୁର୍ତ୍ତ ଅର୍ଥାତ୍‌ ୪୫ତମ ମିନିଟ୍‌ରେ ମଧ୍ୟପ୍ରଦେଶ ଏକ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ପାଇଥିଲା। ଏହାକୁ ହାତଛଡ଼ା କରିନଥିଲେ ଆଶୀର ଆଦିଲ ଖାନ। ପେନାଲ୍‌ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିଣତ କରି ବ୍ୟବଧାନକୁ ୧-୨କୁ ଆଣିଥିଲେ। ଚତୁର୍ଥ କ୍ବାର୍ଟର୍‌ରେ ମଧ୍ୟପ୍ରଦେଶ ଆକ୍ରମଣକୁ ବ୍ୟାପକ କରିଥିଲେ ମଧ୍ୟ ଓଡ଼ିଶା ଖେଳାଳି ସବୁଗୁଡ଼ିକୁ ସଫଳତାର ସହ ରୋକିଥିଲେ। ମ୍ୟାଚ୍‌ ଶେଷ ହେବାର ତିନି ମିନିଟ୍‌ ପୂର୍ବରୁ ଦୀପକ ପ୍ରଧାନ ଆଉ ଏକ ଫିଲ୍‌ଡ ଗୋଲ୍‌ ଦେଇ ସ୍କୋର୍‌କୁ ୩-୧ରେ ପହଞ୍ଚାଇଥିଲେ। ଅବଶିଷ୍ଟ ସମୟରେ ମଧ୍ୟପ୍ରଦେଶ ଆଉ ଗୋଲ୍‌ ପରିଶୋଧ କରିନପାରି ଫାଇନାଲ୍‌ ଦୌଡ଼ରୁ ବିଦାୟ ନେଇଥିଲା।

ଏହା ପୂର୍ବରୁ ଉତ୍ତରପ୍ରଦେଶ ଓ ହରିୟାଣା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ମ୍ୟାଚ୍‌ସାରା ଆଧିପତ୍ୟ ବିସ୍ତାର କରିଥିବା ଉତ୍ତରପ୍ରଦେଶ ପକ୍ଷରୁ ଉଜ୍ଜ୍ବଳ ପାଲ (୪, ୩୪), କେତନ କୁଶୱାହ (୧୪, ୩୩) ଓ ରାହୁଲ ରାଜଭର(୩୮, ୫୧) ଦୁଇଟି ଲେଖାଏ ଗୋଲ୍‌ ଦେଇଥିବା ବେଳେ ରାହୁଲ ୟାଦବ ଗୋଟିଏ ଗୋଲ୍‌ (୧୭) ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe