ଓଡ଼ିଶାରେ ଜାତୀୟ ଚେସ୍‌ ଏକାଡେମି

Advertisment
ଓଡ଼ିଶାରେ ଜାତୀୟ ଚେସ୍‌ ଏକାଡେମି

ପ୍ରବୀଣ ଥିପ୍‌ସେଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ
ରଂଜନ ମହାନ୍ତି ଏଆଇସିଏଫ୍‌ ଯୁଗ୍ମ ସମ୍ପାଦକ

ଭୁବନେଶ୍ବର : ଓଡ଼ିଶା ଚେସ୍‌ ପାଇଁ ବଡ଼ ଖବର ଆସିଛି। ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଆବାସିକ ଜାତୀୟ ଚେସ୍‌ ଏକାଡେମି ଓଡ଼ିଶାରେ ପ୍ରତିଷ୍ଠା ହେବ। କିଟ୍‌ ଓ କିସ୍‌ କ୍ୟାମ୍ପ୍‌ସରେ ଏହା ଅନୁଷ୍ଠିତ ହେବ ବୋଲି ନିଖିଳ ଓଡ଼ିଶା ଚେସ୍‌ ସଂଘ (ଏଓସିଏ) ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଗୁରୁବାର ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ଚେସ୍‌ ସଂଘ (ଏଆଇସିଏଫ୍‌)ର କେନ୍ଦ୍ରୀୟ ପରିଷଦ ଏବଂ ସାଧାରଣ ପରିଷଦ ବୈଠକରେ ଦେଶର ପ୍ରଥମ ତଥା ଏକମାତ୍ର ଚେସ୍‌ ଏକାଡେମିକୁ ଓଡ଼ିଶାରେ ପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜସ୍ଥାନ ପ୍ରବଳ ଆଗ୍ରହ ଦେଖାଇଥିଲେ ମଧ୍ୟ ଏଓସିଏର ଦାବି ଏବଂ କିଟ୍‌ ଓ କିସ୍‌ ଭିତ୍ତିଭୂମିକୁ ନଜରରେ ରଖି ଓଡ଼ିଶାକୁ ପ୍ରଦାନ କରାଯାଇଛି। ଓଡ଼ିଶା ସମେତ ଦେଶର ଚେସ୍‌ ଖେଳାଳିଙ୍କ ପାଇଁ ଏହା ଅପୂର୍ବ ସୁଯୋଗ ସୃଷ୍ଟି କରିବ ବୋଲି ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଓଡ଼ିଶା ପାଇଁ ଆଉ ଏକ ଉଲ୍ଲେଖନୀୟ ଖବର ହେଉଛି ଏଓସିଏ ସଭାପତି ରଂଜନ ମହାନ୍ତି ଏଆଇସିଏଫ୍‌ର ଯୁଗ୍ମ ସମ୍ପାଦକ ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି। ପୂର୍ବରୁ ରାଜ୍ୟର ପ୍ରଥମ ଆଇଏମ୍‌ ଶେଖର ଚନ୍ଦ୍ର ସାହୁ ଏଆଇସିଏଫ୍‌ର ଉପ ସଭାପତି ଭାବେ କାର୍ଯ୍ୟ ତୁଲାଇବା ପରେ ପୂର୍ବତନ ଖେଳାଳି ତଥା ଅୟକର ଅଧିକାରୀ ରଂଜନ ଏବେ ଏହି ଧାରାକୁ ଆଗକୁ ନେଇଛନ୍ତି।

ଓଡ଼ିଶାରେ ହେବାକୁ ଥିବା ଜାତୀୟ ଚେସ୍‌ ଏକାଡେମିର ରୂପରେଖ ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ। ଏଥିପାଇଁ ଗ୍ରାଣ୍ଡମାଷ୍ଟର୍‌ ପ୍ରବୀଣ ଥିପ୍‌ସେଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ ଯୋଜନା ଓ ସମନ୍ବୟ କାର୍ଯ୍ୟକାରୀ କମିଟି ଗଠିତ ହୋଇଛି। ଏହି କମିଟିରେ ଏଆଇସିଏଫ୍‌ ସଭାପତି ସଞ୍ଜୟ କପୁର, ସମ୍ପାଦକ ଭରତ ସିଂହ ଚୌହାନ, ଏଓସିଏ ସଭାପତି ତଥା ଏଆଇସିଏଫ୍‌ ନବନିର୍ବାଚିତ ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତି, କିଟ୍‌ ଓ କିସ୍‌ କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଏବଂ ତେଲେ‌ଙ୍ଗାନା ଚେସ୍‌ ସଂଘ ସଭାପତି କେଏସ୍‌ ପ୍ରସାଦ ସଦସ୍ୟ ରହିଛନ୍ତି। ଅକ୍ଟୋବର ପ୍ରଥମ ସପ୍ତାହରେ ଭରତ ସିଂହ ଚୌହାନ ବାର୍ସିଲୋନା ଫିଡେ କଂଗ୍ରେସରୁ ଫେରିବା ପରେ ପରବର୍ତୀ ବୈଠକରେ ଏହି କମିଟିର ରୂପରେଖ ଓ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି। ଏଆଇସିଏଫ, କିଟ୍‌ ଓ କିସ୍, ଏଓସିଏ ସହିତ ଓଡ଼ିଶା ସରକାରଙ୍କର ଏକ ବୁଝାମଣାପତ୍ର ସ୍ବାକ୍ଷର ହେବ। ଏକାଡେମିରେ ଦେଶର ବିଭିନ୍ନ ବର୍ଗର ଖେଳାଳିଙ୍କ ପାଇଁ ରହିବା, ପଢ଼ିବା, ତାଲିମ ନେବା ସହ ଲାଇବ୍ରେରୀ ପ୍ରତିଷ୍ଠାର ବ୍ୟବସ୍ଥା ରହିବ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି। ଓଡ଼ିଶାରେ ଦେଶର ପ୍ରଥମ ତଥା ଏକମାତ୍ର ଜାତୀୟ ଚେସ୍ ଏକାଡେମି ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଏଓସିଏ ପକ୍ଷରୁ ସଭାପତି ରଂଜନ ମହାନ୍ତି, ସମ୍ପାଦକ ଦେବବ୍ରତ ଭଟ୍ଟ ଏଆଇସିଏଫ୍‌ ସହିତ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ସଚିବ ଭିନୀଲ କ୍ରୀଷ୍ଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe