ଭୁବନେଶ୍ବରରେ ସର୍ବଭାରତୀୟ ବନ କ୍ରୀଡ଼ା, ୨୩ ଇଭେଣ୍ଟ୍‌ରେ ଭାଗନେବେ ୨୫୦୦‌ ଖେଳାଳି

Advertisment

ଓଡ଼ିଶା ପତାକା ଧରିବେ ଆରାଧନା

ଓଡ଼ିଶା ପତାକା ଧରିବେ ଆରାଧନା

ଭୁବନେଶ୍ବରରେ ସର୍ବଭାରତୀୟ ବନ କ୍ରୀଡ଼ା, ୨୩ ଇଭେଣ୍ଟ୍‌ରେ ଭାଗନେବେ ୨୫୦୦‌ ଖେଳାଳି

ଭୁବନେଶ୍ବର: ଭାରତର କ୍ରୀଡ଼ା ରାଜଧାନୀ ଓଡ଼ିଶାରେ ଆୟୋଜିତ ହେବ ସର୍ବଭାରତୀୟ ବନ କ୍ରୀଡ଼ା (ଏଆଇଏଫ୍‌ଏସ୍‌ଏମ୍‌)। ଓଡ଼ିଶା ବନ ଓ ପରିବେଶ ବିଭାଗ ଆନୁକୂଲ୍ୟରେ ଆସନ୍ତା ମାସ ୩ରୁ ୭ ତାରିଖ ପର୍ଯ୍ୟନ୍ତ ମନ୍ଦିରମାଳିନୀ ସହର ଭୁବନେଶ୍ବରର ୪ ସ୍ଥାନ କଳିଙ୍ଗ ଷ୍ଟାଡିୟମ, କିଟ୍‌, ଗଲ୍ଫ କୋର୍ସ ଓ ରେଳବାଇ ଷ୍ଟାଡିୟମରେ ଏହି ପ୍ରତି‌ଯୋଗିତା ଅନୁଷ୍ଠିତ ହେବ। ମୋଟ ୨୩ କ୍ରୀଡ଼ା (ଆଉଟ୍‌ଡୋର୍‌, ଇନ୍‌ଡୋର୍‌)ର ୨୮୫ ଇଭେଣ୍ଟ୍‌ରେ ୩୭ ଦଳରୁ ପ୍ରାୟ ୨୫୦୦ କ୍ରୀଡ଼ାବିତ୍ ପ୍ରତିଦ୍ବନ୍ଦ୍ବିତା କରିବେ। ଏଥିରେ ୪୭୦ ଜଣ ମହିଳା ‌ଖେଳାଳି ରହିଛନ୍ତି। କର୍ଣ୍ଣାଟକରୁ ସର୍ବାଧିକ ୨୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ୯୨ ଜଣ ୧୫ଟି ‌କ୍ରୀଡ଼ାରେ ଭାଗନେବେ। ମୋଟ ଉପରେ ଖେଳାଳି, ଅଧିକାରୀ ଓ ସହଯୋଗୀ କର୍ମଚାରୀ ଏବଂ ଅତିଥିଙ୍କୁ ମିଶାଇ ପ୍ରାୟ ୩୩୦୦ ଜଣ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି।

କଳିଙ୍ଗରେ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏଠାରେ ଦୌଡ଼କୁଦ ଓ ବନ୍ଧୁକଚାଳନା ଏବଂ ରେଳବାଇ ଷ୍ଟାଡିୟମରେ କ୍ରିକେଟ୍‌ ଓ ବିଜିସି ଗଲ୍ଫ କୋର୍ସରେ ଗଲ୍ଫ ପ୍ରତିଯୋଗିତା ଅନୁଷ୍ଟିତ ହେବ। ଅନ୍ୟା‌ନ୍ୟ ୨୦ କ୍ରୀଡ଼ା କିଟ୍‌ରେ ଆୟୋଜିତ ହେବ। ଖେଳାଳିଙ୍କ ମନୋରଂଜନ ପାଇଁ ପ୍ରତ୍ୟେକ ଦିନ ସଂଧ୍ୟାରେ କିଟ୍‌ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଏଥିସହ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଖେଳାଳି, ଅତିଥିମାନଙ୍କ ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଭିତରକନିକା, ସାତକୋଶିଆ, ଚିଲିକା, ନଳବଣ, ରଘୁରାଜପୁର, ଚନ୍ଦକା ଜଙ୍ଗଲ ସଫାରି ବୁଲିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଗୁରୁବାର ଅନୁ‌ଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତା ଲାଗି ୧୩ ରାଜ୍ୟର ବନ ବିଭାଗର ମୁଖ୍ୟ, ୭୦ ବି‌ଶେଷଜ୍ଞ, ୩୭୫ ବନ ସେବା ଅଧିକାରୀଙ୍କ ସହ ୧୯୦୦ ବନ କର୍ମଚାରୀ ଓଡ଼ିଶା ଆଗମନ କରିବେ। ଏହି ପ୍ରତିଯୋଗିତା ୧୯୯୨ ମସିହାରୁ ଆରମ୍ଭ ହୋଇଥିଲା ବେଳେ ଓଡ଼ିଶାରେ ତୃତୀୟ ସଂସ୍କରଣ (୧୯୯୪) ପ୍ରଥମ ଥର ଆୟୋଜିତ ହୋଇଥିଲା। ଏବେ ଏହି ପ୍ରତି‌ଯୋଗିତାର ୨୫ତମ ସଂସ୍କରଣ (ରୌପ୍ୟ ଜୟନ୍ତୀ) ଓଡ଼ିଶାକୁ ଆୟାଜନ ଅଧିକାର ମିଳିଥିବାରୁ ଆମେ ବହୁତ ଖୁସି। ଏଥି ଲାଗି ଓଡ଼ିଶା ସରକାର ସବୁପ୍ରକାର ସ‌ହଯୋଗ ପ୍ରଦାନ କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ। ଗତବର୍ଷ ଛତିଶଗଡ଼ର ରାୟପୁରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଓଡ଼ିଶା ଏହି ସଂସ୍କରଣରେ ତ୍ରୟୋଦଶତମ ସ୍ଥାନରେ ରହିଥିଲା। କଳିଙ୍ଗ ଷ୍ଟାଡିୟମରେ ୩ ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବେ। ୪ ଥରର ବିଜେତା ତଥା ଡେରାଡୁନରେ ଅନୁ‌ଷ୍ଠିତ ବନ କ୍ରୀଡ଼ାରେ ୬ ସ୍ବର୍ଣ୍ଣ ଜିତିଥିବା ଆରାଧନା ଭୋଇ ଓଡ଼ିଶା ଦଳର ପତାକା ଧରିବେ। ୭ ତାରିଖରେ ଉଦ୍‌ଯାପନ ଉତ୍ସବ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଅନୁ‌ଷ୍ଠିତ ହେବ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ପ୍ରଭାକର ବେହେରା ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ବନ ସଂରକ୍ଷକ (କାମ୍ପା) ଉମା ନନ୍ଦୁରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe