ଭୁବନେଶ୍ୱର: ଭୁବନେଶ୍ୱର ନିଳାଦ୍ରୀବିହାର ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ୍ ଏବଂ ସହିଦନଗରସ୍ଥିତ ଇନ୍ଡୋର ଷ୍ଟଡିୟମ୍ଠାରେ ଚାଲିଥିବା ୟୋନେକ୍ସ ସନ୍ରାଇଜ୍ ୪୭ତମ ଜାତୀୟ କନିଷ୍ଠ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ଏକକ ବର୍ଗରେ ତାରକାଙ୍କ ଜୟଯାତ୍ରା ଜାରି ରହିଛି। ଓଡ଼ିଶାର ତନ୍ବୀ ପତ୍ରୀ ବାଳିକା ଏକକରେ ଗୁଜରାଟର ଐସାନୀ ତିୱାରୀଙ୍କୁ ସିଧାସଳଖ ୨୧-୧୦, ୨୧-୧୦ରେ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି l ସେହିଭଳି ତାମିଲନାଡୁର ଆଦର୍ଶିନୀ ଶ୍ରୀ, ମହାରାଷ୍ଟ୍ରର ଅଲିଶା ନାଏକଙ୍କ ଭଳି ସିଡେଡ୍ ଖେଳାଳି ମଧ୍ୟ ଏହି ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ବାଳକ ଏକକରେ ଟପ୍ ସିଡ୍ ରାଜସ୍ଥାନର ସଂସ୍କାର ସାରସ୍ୱତ, ତେଲେଙ୍ଗାନାର ଜ୍ଞାନ ଦତ୍ତ, କର୍ଣ୍ଣାଟକର ତୁଷାର ଶୁଭିର ଓ ମହାରାଷ୍ଟ୍ରର ପ୍ରଜ୍ବଳ ସନୱାନେ ନିଜନିଜ ମ୍ୟାଚ୍ ଜିତି କ୍ବାର୍ଟରଫାଇନାଲ୍କୁ ଯାଇଛନ୍ତି। ଯୁଗଳରେ ଛତିଶଗଡ଼ର ଦିବ୍ୟାଂଶ ଓ ମାନସ ଭଟ୍ଟାଚାର୍ଯ୍ୟ ଓଡ଼ିଶା ଯୋଡ଼ି ଦିବ୍ୟମ ଓ ବାପୁନ ରାଉତଙ୍କୁ ୨୧-୧୧, ୨୧-୧୮ରେ ହରାଇଛନ୍ତି।
ବାଳିକା ଯୁଗଳରେ ସ୍ଥାନୀୟ ଯୋଡ଼ି ତଥା ଅନ୍ୟତମ ଟ୍ରଫି ଦାବିଦାର ପ୍ରଗତି ପରିଡ଼ା ଓ ବିଶାଖା ଟପ୍ପୋ ପ୍ରତିପକ୍ଷ ତାମିଲନାଡ଼ୁର ମଣିକନ୍ଦନ ଓ ପି. ପ୍ରସିଥାଙ୍କୁ ସିଧାସଳଖ ୨୧-୯ ଓ ୨୧-୧୭ ପଏଣ୍ଟ୍ରେ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଉତ୍ତରାଖଣ୍ଡର ଗାୟତ୍ରୀ ଓ ମନସା ରାୱତ ଛତିଶଗଡ଼ର ରାଶି ମାଲ ଓ ଶ୍ୱେତା ପରଦେଶୀଙ୍କୁ, ହରିୟାଣାର ନିଶୁ ମଲିକ ଓ ତନୁ ମଲିକଙ୍କୁ ଆନ୍ଧ୍ରପ୍ରଦେଶର ଦୀପିକା ଦେବନାବୈନା ଓ ଶ୍ରାବନ୍ତୀ ଦେବନାବୈନା ପରାସ୍ତ କରି କ୍ୱାର୍ଟରଫାଇନାଲ ଟିକଟ ହାସଲ କରିଛନ୍ତି। ଭାରତୀୟ ବ୍ୟାଡ୍ମିଣ୍ଟନ୍ ସଂଘ (ବାଇ) ପର୍ଯ୍ୟବେକ୍ଷକ ପ୍ରଭାକର ରାଓ, ଓଡ଼ିଶା ବ୍ୟାଡମିଣ୍ଟନ୍ ସଂଘ (ଓସ୍ବା) ସଭାପତି ରାଜେଶ ପ୍ରଭାକର ପାଟିଲ, ସଂପାଦକ ନୀଲୀନ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାର ବିଭିନ୍ନ ବିଭାଗକୁ ଉପସଭାପତି ପ୍ରଦୀପ ପଟ୍ଟନାୟକ, ଶୈଳେନ୍ଦ୍ର ଚୌଧୁରୀ, ସୁରୁଲାଲ ମଟାରୀ, ଶୁଭ୍ରାଂଶୁ ପଣ୍ଡା, ମନରଞ୍ଜନ ଦାସ, କମଲଦାସ ପ୍ରୀତପାଳ ସିଂହ ପ୍ରମୁଖ ପରିଚାଳନା କରୁଛନ୍ତି l ଆସନ୍ତା ୨୫ ତାରିଖ ପୂର୍ବାହ୍ନରେ ସବୁ ବିଭାଗର ଫାଇନାଲ ଖେଳ ଅନୁଷ୍ଠିତ ହେବ।
Follow Us