ଯୋକଡ଼ିଆ/ବାରବାଟୀ: ଯାଜପୁର କବାଡ଼ି ସଂଘ ଆନୁକୂଲ୍ୟରେ ରସୁଲପୁର ବ୍ଲକ୍ ଖଣ୍ଡିତରଠାରେ ଚାଲିଥିବା ୬୩ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଶନିବାର ଉଦ୍ଯାପିତ ହୋଇଯାଇଛି। ପୁରୁଷ ବିଭାଗରେ ଫରିଦାବାଦର ସୀମା ସୁରକ୍ଷା ବଳ ଏବଂ ମହିଳାରେ ଭୁବନେଶ୍ୱର କିଟ୍ ଦଳ ବିଜେତା ହୋଇଛନ୍ତି। ପୁରୁଷ ବର୍ଗ ଫାଇନାଲ୍ରେ ଫରିଦାବାଦ୍ ସୀମା ସୁରକ୍ଷା ବଳ ୩୮-୩୪ ପଏଣ୍ଟ୍ ବ୍ୟବଧାନରେ ମହାରାଷ୍ଟ୍ର ପୁଲିସକୁ ହରାଇ ଦେଇଥିଲା ବେଳେ ମହିଳା ବର୍ଗ ଫାଇନାଲ୍ରେ କିଟ୍ ୨୮-୨୬ ପଏଣ୍ଟ ବ୍ୟବଧାନରେ ଯାଜପୁରକୁ ପରାସ୍ତ କରିଥିଲା। ପୂର୍ବରୁ ପୁରୁର୍ଷ ସେମି ଫାଇନାଲରେ ଫରିଦାବାଦ ସୀମା ସୁରକ୍ଷା ବଳ ୪୩-୨୫ ପଏଣ୍ଟରେ ସିଆଇଏସଏଫ୍ ଦଳକୁ ଏବଂ ମହାରାଷ୍ଟ୍ର ପୁଲିସ୍ ୪୧-୩୫ରେ ଦକ୍ଷିଣପୂର୍ବ ରେଳବାଇକୁ ପରାସ୍ତ କରିଥିଲା। ମହିଳା ସେମିଫାଇନାଲରେ କିଟ୍ ଦଳ ୩୫-୨୦ରେ କଳିଙ୍ଗ ଷ୍ଟାଡିୟମ୍ ଦଳକୁ ଏବଂ ଯାଜପୁର ଦଳ ୨୬-୧୯ ପଏଣ୍ଟ୍ରେ ଭୁବନେଶ୍ୱରର କିଶୋର କ୍ଲବ୍କୁ ପରାସ୍ତ କରିଥିଲା। ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଯାଜପୁର ସାଂସଦ ରୀତା ତରାଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର କବାଡି ସଂଘ ସଭାପତି ନିଗମାନନ୍ଦ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ସର୍ବଭାରତୀୟ କବାଡ଼ି: କିଟ୍କୁ ମହିଳା ଟ୍ରଫି
Advertisment
Follow Us