ଭୁବନେଶ୍ଵର: ତେଲେଙ୍ଗାନାର ଆୟୋଜିତ ୫୮ତମ ବରିଷ୍ଠ ଜାତୀୟ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋଖୋ ହାଇ ପରଫର୍ମାନ୍ସ ସେଣ୍ଟର (ଏଚ୍ପିସି)ର ୧୭ ଜଣ ଆଥଲେଟ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ମହିଳା ଦଳ ଏହି ପ୍ରତିଯୋଗିତାରେ ଉପବିଜେତା ହୋଇ ରାଜ୍ୟକୁ ଗୌରବାନ୍ୱିତ କରିଥିବାବେଳେ ଓଡ଼ିଶା ପୁରୁଷ ଦଳ କୋହ୍ଲାପୁର ଦଳ ସହିତ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲା। ଓଡ଼ିଶା ମହିଳା ଦଳରେ ଏଚ୍ପିସିର ୮ଜଣ ଅର୍ଚ୍ଚନା ମାଝୀ, ଶୁଭଶ୍ରୀ ସିଂହ, ମାଗାଇ ମାଝୀ, ଅର୍ଚ୍ଚନା ପ୍ରଧାନ, ହରପ୍ରିୟା ଭୂୟାଁ, ସବିତା ମୁର୍ମୁ, ଲିସାରାଣୀ ରାଇତା ଓ କାଦମ୍ବିନୀ ମାଝୀ ରହିଥିଲେ। ସେହିଭଳି ପୁରୁଷ ଦଳରେ ଏଚ୍ପିସିର ୮ଜଣ ଅର୍ଜୁନ ସିଂହ, ଦୀପକ କୁମାର ସାହୁ, ପବନୀ ଶବର, ପପୁ ମାର୍ଣ୍ଡି, ସୁନୀଲ ପାତ୍ର, ବିଶାଲ ଓରାମ, ଟି. ଶଙ୍କର ଓ ଶିବ ଗୁଣ୍ଟା ଥିଲେ।
ଆହୁରି ପଢନ୍ତୁ: Indian Railways: ଯାତ୍ରୀ ଭିଡ଼ ଦୂର କରିବାକୁ ଅତିରିକ୍ତ କୋଚ୍ ସଂଯୋଗ କରିବ ପୂର୍ବତଟ ରେଳପଥ
ଏଚ୍ପିସିର ଆଉ ଜଣେ ଖେଳାଳି ସମୀର ଆଦିୱାଲ ମଧ୍ୟ ଭାରତ ଦଳର ପ୍ରତିନିଧିତ୍ୱ କରିଥିଲେ। ଅର୍ଚ୍ଚନା ପ୍ରଧାନ ପ୍ରତିଯୋଗିତାର ଶ୍ରେଷ୍ଠ ଡିଫେଣ୍ଡର ଭାବେ ପୁରସ୍କୃତ ହୋଇଥିଲେ। ପ୍ରତିଯୋଗିତାରେ ଏଚ୍ପିସି ଆଥଲେଟ୍ମାନେ ଅସାଧାରଣ ଦଳଗତ ଭାବନା ଏବଂ ଏକ ଅଦମ୍ୟ ନିଷ୍ଠା ପ୍ରଦର୍ଶନ କରିଥିଲେ, ଯାହା ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋଖୋ ଏଚ୍ପିସିରେ ସେମାନେ ହାସଲ କରିଥିବା ପ୍ରଶିକ୍ଷଣ ଓ ମାର୍ଗଦର୍ଶନକୁ ପ୍ରତିଫଳିତ କରୁଛି। ଏଚ୍ପିସିର ମୁଖ୍ୟ ପ୍ରଶିକ୍ଷକ ସଞ୍ଜୀବ ଶର୍ମା କହିଛନ୍ତି, ‘‘ଏହି ପ୍ରଦର୍ଶନ ଆମ ଆଥଲେଟ୍ମାନଙ୍କ ଅନୁଶାସନ, ମାନସିକ ଶକ୍ତି ଓ ବୈଷୟିକ ଦକ୍ଷତାକୁ ପ୍ରତିଫଳିତ କରୁଛି।
ଆହୁରି ପଢନ୍ତୁ: Kalinga Lancers Lost: କଳିଙ୍ଗ ଲାନ୍ସର୍ସର ପ୍ରଥମ ପରାଜୟ
ଏହି ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଶୀର୍ଷ ଦଳ ବିପକ୍ଷରେ ଏହିପରି ଫଳାଫଳ ପ୍ରଦାନ କରିବା ଏଚ୍ପିସିରେ ଆଥଲେଟ୍ମାନଙ୍କ ବିକାଶ ପାଇଁ ଆମର ଦୀର୍ଘକାଳୀନ ଦୃଷ୍ଟିକୋଣକୁ ସଠିକ୍ ବୋଲି ପ୍ରମାଣିତ କରୁଛି।’’ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋଖୋ ଏ ଚଳିତ ବର୍ଷ ୪୪ତମ କନିଷ୍ଠ ଜାତୀୟ ଏବଂ ୧୭ତମ ଉପକନିଷ୍ଠ ରାଜ୍ୟ ଖୋଖୋ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ନିଜର ବିଜୟ ଧାରା ଜାରି ରଖିଛି।
Follow Us