ଭୁବନେଶ୍ବର: ମହାରାଷ୍ଟ୍ରର ପୁଣେରେ ଆୟୋଜିତ ଜାତୀୟ ପାରା ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ରେ ଓଡ଼ିଶା ୪ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୪ କାଂସ୍ୟ ସହ ମୋଟ ୯ ପଦକ ପାଇ ଅଭିଯାନ ଶେଷ କରିଛି। ସୋମବାର ଶେଷ ଦିବସରେ ଓଡ଼ିଶାକୁ ୨ ପଦକ ମିଳିଛି। ଏଥିରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଏବଂ ରୌପ୍ୟ ସାମିଲ ରହିଛି। ଦୀର୍ଘ ୧୩ ବର୍ଷ ପରେ ଓଡ଼ିଶା ୯ ପଦକ ଛୁଇଁବା ସହ ପଦକ ତାଲିକାରେ ଦଶମ ସ୍ଥାନ ଅଧିକାର କରିଛି। ବାଲେୱାଡିର ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟସ କଂପ୍ଲେକ୍ସରେ ଆୟୋଜିତ ଏହି ପ୍ରତିଯୋଗିତାର ଟି-୪୭ ବର୍ଗ ୪୦୦ ମିଟର ଓ ୧୦୦ ମିଟର ସ୍ବର୍ଣ୍ଣ ଜିତିଥିବା ଜୟନ୍ତୀ ସୋମବାର ୨୦୦ ମିଟରରେ ପୁଣି ସ୍ବର୍ଣ୍ଣ ଜିତି ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ୨୦୧୬ ଠାରୁ ଜୟନ୍ତୀ ଲଗାତାର ହାଟ୍ରିକ ସ୍ୱର୍ଣ୍ଣ ପଦକ ଜିତୁଛନ୍ତି।
ସେ ୨୦୦ ମିଟର ଦୌଡ଼କୁ ୨୭.୩୮ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ମହିଳା ଜାଭେଲିନ୍ ଟି-୫୫ରେ ସୁଚିତ୍ରା ପରିଡ଼ା ରୌପ୍ୟ ପଦକ ଜିତିଥିଲେ। ସେ ୧୪.୬୬ ମିଟର ଜାଭେଲିନ୍ ଫିଙ୍ଗି ଏହି ପଦକ କରାୟତ୍ତ କରିଥିଲେ। ପାରା ଅଲମ୍ପିଆନ ତଥା ପ୍ରଶିକ୍ଷକ ମାର୍କଣ୍ଡ ରେଡ୍ଡୀ ଓ ବିଷ୍ଣୁ ପ୍ରସାଦ ମିଶ୍ର, ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ ଏବଂ ଓଡ଼ିଶା ପାରା ସ୍ପୋର୍ଟ୍ସ ସଂଘର ସୁନୀଲ ପ୍ରଧାନ ଓ ବଙ୍କିମ ଚନ୍ଦ୍ର ମହାନ୍ତି ପ୍ରମୁଖ ବାଲେୱାଡିରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
Follow Us