ଜାତୀୟ କ୍ରୀଡ଼ା ଉଦ୍‌ଘାଟିତ: ଅତୀତରେ ଦୁର୍ନୀତି, ପ୍ରିୟାପ୍ରୀତି କ୍ରୀଡ଼ାବିତ୍‌ଙ୍କ ପ୍ରଦର୍ଶନକୁ ପ୍ରଭାବିତ କରୁଥିଲା

Advertisment

ଆମେ ସ୍ବଚ୍ଛତା ଆଣିଛୁ: ପ୍ରଧାନମନ୍ତ୍ରୀ

ଆମେ ସ୍ବଚ୍ଛତା ଆଣିଛୁ: ପ୍ରଧାନମନ୍ତ୍ରୀ

ଜାତୀୟ କ୍ରୀଡ଼ା ଉଦ୍‌ଘାଟିତ: ଅତୀତରେ ଦୁର୍ନୀତି, ପ୍ରିୟାପ୍ରୀତି କ୍ରୀଡ଼ାବିତ୍‌ଙ୍କ ପ୍ରଦର୍ଶନକୁ  ପ୍ରଭାବିତ କରୁଥିଲା

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅହମଦାବାଦର ମୋ‌‌ଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୩୬ତମ ଜାତୀୟ କ୍ରୀଡ଼ାକୁ ଉଦ୍‌ଘାଟନ କରିଛନ୍ତି। ନିଜ ନାମରେ ନିର୍ମିତ ହୋଇଥିବା ଏହି ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ପ୍ରବେଶ କରୁକରୁ ଉପସ୍ଥିତ ହଜାର ହଜାର ଦର୍ଶକ ତାଙ୍କୁ କରତାଳି ଦ୍ବାରା ସ୍ବାଗତ କରିଥିଲେ। ଶ୍ରୀ ମୋଦୀ ଏକ ଖୋଲା ଗାଡ଼ିରେ ଷ୍ଟାଡିୟମ ବୁଲି ଖେଳାଳିମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଜାତୀୟ କ୍ରୀଡ଼ା ମାସ୍କଟ ‘ସିଂହ’ ମଧ୍ୟ ତାଙ୍କ ସହ ଷ୍ଟାଡିୟମ ବୁଲିଥିଲା। ‌ଏହା ପରେ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନୀ ଉତ୍ସବ ମଞ୍ଚକୁ ଯାଇଥିଲେ। ଏତିକିବେଳେ ‘‘ଜୁଡ଼େଗା ଇଣ୍ଡିଆ, ଜିତେଗା ଇଣ୍ଡିଆ’’ ସ୍ଲୋଗାନରେ ଷ୍ଟାଡିୟମ୍‌ ପ୍ରକମ୍ପିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ଭାରତୀୟ ଅଲିମ୍ପିକ୍‌ ସଂଘ ମହାସଚିବ ରାଜୀବ ‌ମେହଟା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଅଲିମ୍ପିଆନ୍‌ ନୀରଜ ଚୋପ୍ରା, ପିଭି ସିନ୍ଧୁ, ମୀରାବାଇ ଚାନୁ, ଗଗନ ନାରଙ୍ଗ, ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ତଥା ହକି ଇଣ୍ଡିଆର ନୂଆ ସଭାପତି ଦିଲୀପ ତିର୍କି, ରବି କୁମାର ଦାହିୟା ଏବଂ ଅଞ୍ଜୁ ବବି ଜର୍ଜ ମଧ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।

publive-image

ଏହି ଅବସରରେ ଶ୍ରୀ ମୋଦୀ ଭର୍ଚୁଆଲ୍‌ ମାଧ୍ୟମରେ ସ୍ବର୍ଣ୍ଣିମ ଗୁଜରାଟ ସ୍ପୋର୍ଟ୍ସ କ୍ରୀଡ଼ା ବିଶ୍ବବିଦ୍ୟାଳୟ ଉଦ୍‌ଘାଟନ କରିଥିଲେ। ନିଜର ଅଭିଭାଷଣରେ ଶ୍ରୀ ମୋଦୀ କହିଲେ ଯେ ‘‘ଅତୀତରେ ଦୁର୍ନୀତି ଓ ପ୍ରିୟାପ୍ରୀତି ପୋଷଣ ଯୋଗୁଁ କ୍ରୀଡ଼ାବିତ୍‌ମାନେ ଭଲ ପ୍ରଦର୍ଶନ କରିପାରୁନଥିଲେ। କିନ୍ତୁ ‌ଏବେ ଆମ ସରକାର ଏଥିରେ ସ୍ବଚ୍ଛତା ଆଣିଛି। ଫଳରେ ଦିନକୁ ଦିନ କ୍ରୀଡ଼ାବିତ୍‌ଙ୍କ ପ୍ରଦର୍ଶନରେ ଉନ୍ନତି ପରିଲକ୍ଷିତ ହେଉଛି। ଦେଶର ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମୀ ଖେଳାଳିମାନଙ୍କୁ ଉତ୍ସାହିତ କରିଛି। ଏଥି ସହ ବିଶ୍ବସ୍ତରରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ମଧ୍ୟ ରହୁଛି। ବୈଷୟିକ ଜ୍ଞାନକୌଶଳ ଭାରତକୁ ଆଗକୁ ନେଉଛି। ୮ ବର୍ଷ ତଳେ ଭାରତର ଖେଳାଳିମାନେ ୧୦୦ରୁ କମ୍‌ ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗ ନେଉଥିଲେ। ଏବେ ୩୦୦ରୁ ଊର୍ଧ୍ବ ଇଭେଣ୍ଟ‌୍‌ରେ ଭାଗନେଲେଣି। ୮ ବର୍ଷ ତଳେ ଭାରତୀୟ ୨୦-୨୫ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିଲେ। ଏବେ ଏହା ୪୦ରେ ପହଞ୍ଚିଲାଣି। ଏସବୁ କ୍ରୀଡ଼ା କ୍ଷେତ୍ର ବଜେଟ ୭୦ ପ୍ରତିଶତକୁ ବୃଦ୍ଧି ହୋଇଛି। ଏପରିକି ଖେ‌ଲୋ ଇଣ୍ଡିଆ ଓ ଫିଟ୍‌ ଇଣ୍ଡିଆ ଦ୍ବାରା ଅନେକକୁ ଯୋଡ଼ିବା ଯୋଗୁଁ ଏହା ସମ୍ଭବ ହୋଇଛି। ଅଲିମ୍ପିକ୍‌ ଭଳି ଖେଳରେ ଅଧିକ ସଂଖ୍ୟକ ପଦକ ଜିତିବାରୁ କ୍ରୀଡ଼ାବିତ୍‌ମାନେ ଦେଶକୁ ବିଶ୍ବ ଦରବାରରେ ପରିଚିତ କରାଇବା ଦିଗରେ ବାଟ କଢ଼ାଉଛନ୍ତି’’ ବୋଲି ଶ୍ରୀ ମୋଦୀ ଜାତୀୟ କ୍ରୀଡ଼ାର ଶୁଭାରମ୍ଭ ଅବସରରେ କହିଥିଲେ।

ସଂପ୍ରତି ଗୁଜରାଟରେ ଚାଲିଥିବା ନବରାତ୍ରୀ ଉତ୍ସବ ସହ କ୍ରୀଡ଼ା ଉପଭୋଗ କରିବାକୁ ସେ ଖେଳାଳିମାନଙ୍କୁ କହିଥିଲେ। ‌‘‘ଏଭଳି ଭବ୍ୟ ଆୟୋଜନର ଭାବନା ଶବ୍ଦ ବାହାରେ। ୭୦୦୦ରୁ ଅଧିକ କ୍ରୀଡ଼ାବିତ୍‌, ୩୫୦୦୦ରୁ ଅଧିକ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟର ୫୦ ଲକ୍ଷ ଛାତ୍ରଛାତ୍ରୀ ଏହି ଜାତୀୟ କ୍ରୀଡ଼ା ସହ ଯୋଡ଼ି ହେବା ଆଶ୍ଚର୍ଯ୍ୟଜନକ। ଦୁନିଆର ସବୁଠୁ ବଡ଼ ଷ୍ଟାଡିୟମରେ ସବୁଠୁ ବଡ଼ କ୍ରୀଡ଼ା ମହୋତ୍ସବ ଆୟୋଜିତ ହେଉଛି। ଏହା ଚମତ୍କାର ଏବଂ ଅସାଧାରଣ ହେବା ଉଚିତ୍।” ବୋଲି ସେ କହିଛନ୍ତି। ପ୍ରଥମ ଥର ଲାଗି ଗୁଜରାଟରେ ଆୟୋଜିତ ଜାତୀୟ କ୍ରୀଡ଼ା ଆସନ୍ତା ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରାୟ ୭୦୦୦ କ୍ରୀଡ଼ାବିତ୍‌ ୩୬ କ୍ରୀଡ଼ା ଶୃଙ୍ଖଳରେ ନିଜ ନିଜର ପାରିଦର୍ଶିତା ଦେଖାଇବେ। ଏହି ପ୍ରତିଯୋଗିତା ଗୁଜରାଟର ୬ଟି ସହର ଅହମଦାବାଦ, ଗାନ୍ଧିନଗର, ସୁରତ, ଭଦୋଦରା, ରାଜକୋଟ ଓ ଭାବନଗରରେ ଆୟୋଜିତ ହେଉଛି। କ୍ରୀଡ଼ାବିତ୍‌ଙ୍କ ପକ୍ଷରୁ ଭାରତୀୟ ଟେନିସ ତାରକା ଅଙ୍କିତା ରାଇନା ଶପଥ ପାଠ କରିଥିଲେ। ଓଡ଼ିଶା ପକ୍ଷରୁ ହକି ଅଲିମ୍ପିଆନ୍‌ ଦୀପ୍‌ଗ୍ରେସ୍‌ ଏକ୍କା ପତାକା ଧରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe