ନୂଆଦିଲ୍ଲୀ: ବେଙ୍ଗାଲୁରୁ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ)ରେ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କନିଷ୍ଠ ମହିଳା ଜାତୀୟ ଶିବିର ପାଇଁ ହକି ଇଣ୍ଡିଆ ୩୩ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି। ଶୁକ୍ରବାର ଘୋଷିତ ତାଲିକାରେ ଓଡ଼ିଶାରୁ ୫ ବାଳିକା ସାମିଲ ହୋଇଛନ୍ତି। ସେମାନେ ହେଲେ ଅଶ୍ମିତା ବାର୍ଲା, ମାରିଆନା କୁଜୁର (ଉଭୟ ହକି ଓଡ଼ିଶା), ଜୀବନକିଶୋରୀ ଟପ୍ପୋ, ପ୍ରିମାଞ୍ଜଳୀ ଟପ୍ପୋ ଓ ଜାହ୍ନବୀ ପ୍ରଧାନ (ସମସ୍ତେ ହକି ଗାଙ୍ଗ୍ପୁର-ଓଡ଼ିଶା)। ଏହି ପ୍ରଶିକ୍ଷଣ ଶିବିର ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମନୋନୀତ ୩୩ ଜଣଯାକ ଖେଳାଳି କନିଷ୍ଠ ମହିଳା ଦଳର ପ୍ରଶିକ୍ଷକ ବଲ୍ଜିତ୍ ସିଂହଙ୍କୁ ନିଜ ନିଜର ଉପସ୍ଥିତି ସଂପର୍କରେ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି। ଏବେ କୌଣସି ପ୍ରତିଯୋଗିତା ଖେଳିବାକୁ ନଥିଲେ ମଧ୍ୟ ୨୦୧୯ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଖେଳାଳିମାନଙ୍କ ଦକ୍ଷତା ପରଖିବା ପାଇଁ ଏହି ଶିବିର ଆୟୋଜନ କରାଯାଉଛି ବୋଲି ବଲ୍ଜିତ୍ କହିଛନ୍ତି। ଓଡ଼ିଆ ଝିଅ ଅଶ୍ମିତା ଭାରତୀୟ-ଏ ଦଳ ପାଇଁ ନିକଟରେ ପର୍ଥରେ ଶେଷ ହୋଇଥିବା ଅଷ୍ଟ୍ରେଲିଆନ୍ ହକି ଲିଗ୍ (ଏଏଚ୍ଏଲ୍)ରେ ଅଂଶ ଗ୍ରହଣ କରିଥିଲେ।
କନିଷ୍ଠ ମହିଳା ହକି ଜାତୀୟ ଶିବିରରେ ୫ ଓଡ଼ିଆ
Advertisment
Follow Us