ଆଉ ୨୦ ଦିନ:ନୂଆଦିଲ୍ଲୀରେ ନେଦରଲାଣ୍ଡ

Advertisment
ଆଉ ୨୦ ଦିନ:ନୂଆଦିଲ୍ଲୀରେ ନେଦରଲାଣ୍ଡ

ଭୁବନେଶ୍ୱର: ବିଶ୍ୱ ହକି ଲିଗ୍‌ର ପ୍ରଥମ ଅଧ୍ୟାୟ ୨୦୧୨ରେ ଆୟୋଜିତ ହୋଇଥିଲା। ୫୪ ଦଳ ଏବଂ ୧୫ ସହରରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତା ଅଗଷ୍ଟ ୨୦୧୨ରେ ଆରମ୍ଭ ହୋଇ ଜାନୁଆରି ୨୦୧୪ରେ ଶେଷ ହୋଇଥିଲା। ଉଦଘାଟନୀ ମ୍ୟାଚ୍‌ ଚେକଗଣରାଜ୍ୟର ପ୍ରାଗ୍‌ ସହରରେ ଏବଂ ଫାଇନାଲ୍‌ ନୂଆଦିଲ୍ଲୀରେ ଖେଳା ଯାଇଥିଲା। ପ୍ରତିଯୋଗିତାରେ ୧୨୧ ମ୍ୟାଚ୍‌ ଆୟୋଜିତ ହୋଇଥିଲା ବେଳେ ମୋଟ ୧୦୬୭ ଗୋଲ୍‌ ଦେଖିବାକୁ ମିଳିଥିଲା। ପ୍ରତିଯୋଗିତାର ଗୋଲ୍‌ ହାର ଥିଲା ୮.୮୨। ଆଉ ଏକ ଗୁରୁତ୍ୱପପୂର୍ଣ୍ଣ କଥା ହେଲା ପ୍ରତିଯୋଗିତାର ସେମିଫାଇନାଲ୍‌ ୨୦୧୪ ବିଶ୍ୱକପ୍‌ ଲାଗି ଯୋଗ୍ୟତା ପର୍ଯ୍ୟାୟର କାର୍ଯ୍ୟ କରିଥିଲା। ଏହାର ଶୀର୍ଷ ୬ ସ୍ଥାନ ଅଧିକାର କରିଥିବା ଦଳ ସିଧାସଳଖ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ନୂଆଦିଲ୍ଲୀ ସମେତ ଚାରିଟି ସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟ ଖେଳହେବା ପରେ ସେମିଫାଇନାଲ୍‌ ନେଦରଲାଣ୍ଡର ରୋଟରଡାମ୍‌ ଏବଂ ମାଲେସିଆର ଜୋହର ବାହୁରୁରେ ଆୟୋଜିତ ହୋଇଥିଲା। ଶେଷରେ ନୂଆଦିଲ୍ଲୀରେ ଫାଇନାଲ୍‌ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଆୟୋଜକ ଭାରତ ସହ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ଇଂଲଣ୍ଡ, ଜର୍ମାନି, ନେଦରଲାଣ୍ଡ ଓ ନ୍ୟୁଜିଲାଣ୍ଡ ଅଂଶ ଗ୍ରହଣ କରିଥିଲେ। ନେଦରଲାଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରଫି ଲଢ଼େଇ ଅନୁଷ୍ଠିତ ହୋଇଥିଲା। ଏହାକୁ ଏକତରଫା ଭାବେ ୭-୨ ଗୋଲ୍‌ରେ ଜିତି ନେଇ ନେଦରଲାଣ୍ଡ ବିଶ୍ୱ ହକି ଲିଗର ପ୍ରଥମ ବିଜେତା ହେବାର ସମ୍ମାନ ଲାଭ କରିଥିଲା। ଇଂଲଣ୍ଡ ତୃତୀୟ ଏବଂ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଥିଲା। ଭାରତ ଷଷ୍ଠ ସ୍ଥାନରେ ତା’ର ଅଭିଯାନ ଶେଷ କରିଥିଲା।

ଅଡ଼ୁଆରେ ପକାଇପାରେ ଅଧଖଣ୍ଡିଆ ନିର୍ମାଣ

publive-image

ଆସନ୍ତା ୧ ବର୍ଷ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଦୁଇଟି ବୃହତ୍‌ ଏବଂ ବିଶ୍ୱ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ। ଚଳତି ବର୍ଷ ଡିସେମ୍ବରରେ ୧ରୁ ୧୦ ପର୍ଯ୍ୟନ୍ତ ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ଖେଳାଯିବା ପରେ ଆସନ୍ତା ବର୍ଷ ଶେଷ ଭାଗରେ ଅର୍ଥାତ୍‌ ନଭେମ୍ବର ୨୪ରୁ ଡିସେମ୍ବର ୧୬ ୨୦୧୮ ପର୍ଯ୍ୟନ୍ତ ହକି ବିଶ୍ୱକପ୍‌ ଖେଳାଯିବ। ସେଥିପାଇଁ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସର ଚାରି ପଟେ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଫୁଙ୍ଗୁଳା ପଡ଼ିଥିବା କିଛି ନିର୍ମାଣ କାର୍ଯ୍ୟ ଏବେ ଚିନ୍ତାର କାରଣ ହୋଇଛି। ହକି କଂପ୍ଲେକ୍ସର ପଶ୍ଚିମ ଏବଂ ପୂର୍ବ ଷ୍ଟାଣ୍ଡର ସମ୍ମୁଖ ଭାଗରେ ଥିବା ପ୍ରବେଶ ପଥରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଚାରି ଆଡ଼େ ଖାଲ ଖମା ହୋଇଛି। ଲୁହା ଛଡ଼ ଉପରକୁ ଠିଆ ହୋଇ ରହିଥିଲା ବେଳେ ସିମେଣ୍ଟ ପିଲାର ମଧ୍ୟ ଅଧଖଣ୍ଡିଆ ହୋଇ ରହିଛି। ସେହିଭଳି ଅଭ୍ୟାସ ଫିଲ୍ଡ ପଟ ଷ୍ଟାଣ୍ଡ ନିର୍ମାଣ କିଛି ମାତ୍ରାରେ ଆଗେଇଛି। ସୁଇମିଂ ପୁଲ୍‌ ପଟ ଷ୍ଟାଣ୍ଡ ପାଇଁ ସେଠାରେ ଥିବା କିଛି ନିର୍ମାଣକୁ ଭାଙ୍ଗା ଯାଇଛି । ହେଲେ ସେପଟରେ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି। ସୁଇମିଂପୁଲ୍‌ର ପାଣି ଶୁଖି ଯାଇଥିବାରୁ ଏହା ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଆଉ ମାତ୍ର ୨୦ ଦିନ ଥିବା ବିଶ୍ୱ ହକି ଲିଗ୍‌ ବେଳେ ଏହି ଅସଂପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ପାଇଁ ଦର୍ଶକ ଏବଂ ଖେଳାଳି ଅସୁବିଧାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ବିଶେଷ କରି ଉଭୟ ଷ୍ଡାଣ୍ଡର ସମ୍ମୁଖ ଭାଗରେ ଚାଲିଥିବା ନିର୍ମାଣ କାର୍ଯ୍ୟ ନ ସରିଲେ ଅନ୍ତର୍ଜାତୀୟ ମ୍ୟାଚ୍‌ ବେଳେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇ ପାରେ । ଏହି ନିର୍ମାଣ କାର୍ଯ୍ୟ ବିଶ୍ୱକପକୁ ଆଖି ଆଗରେ ରଖି କରାଯାଉଛି। ତେବେ ବିଶ୍ୱ ହକି ଲିଗ୍‌ ମଧ୍ୟ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ହୋଇଥିବାରୁ ରାଜ୍ୟର ସମ୍ମାନକୁ ଆଖି ଆଗରେ ରଖି କଂପ୍ଲେକ୍ସର ଦୁଇ ପ୍ରବେଶ ପଥର ସୌନ୍ଦର୍ଯ୍ୟକୁ ଫେରାଇ ଆଣିବାକୁ ହକି ପ୍ରେମୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe