ଲୋଜାନ୍‌ ଡାଇମଣ୍ଡ୍‌ ଲିଗ୍‌ରେ ୮୯.୦୮ ମିଟର୍‌ ଜାଭ୍‌ଲିନ୍‌ ଥ୍ରୋ’ କରି ପ୍ରଥମ ସ୍ଥାନରେ ନୀରଜ ଚୋପ୍ରା; ଜ୍ୟୁରିକ୍‌ରେ ଫାଇନାଲ୍‌ ଖେଳିବାକୁ ଯୋଗ୍ୟ ବିବେଚିତ

Advertisment
ଲୋଜାନ୍‌ ଡାଇମଣ୍ଡ୍‌ ଲିଗ୍‌ରେ ୮୯.୦୮ ମିଟର୍‌ ଜାଭ୍‌ଲିନ୍‌ ଥ୍ରୋ’ କରି ପ୍ରଥମ ସ୍ଥାନରେ ନୀରଜ ଚୋପ୍ରା; ଜ୍ୟୁରିକ୍‌ରେ ଫାଇନାଲ୍‌ ଖେଳିବାକୁ ଯୋଗ୍ୟ ବିବେଚିତ

Image Courtesy of India Today

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ‘ଲୋଜାନ୍‌ ଡାଇମଣ୍ଡ୍‌ ଲିଗ୍‌’ରେ ପ୍ରଥମ ଉଦ୍ୟମରେ ନୀରଜ ଚୋପ୍ରା ଚମତ୍କାର ଭାବେ ୮୯.୦୮ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ହାସଲ କରିଛନ୍ତି।

‘ଡାଇମଣ୍ଡ୍‌ ଲିଗ୍‌’ରେ ପ୍ରଥମ ଥର ଶୀର୍ଷ ସ୍ଥାନରେ ପହଞ୍ଚିଥିବା ଚୋପ୍ରା ଏହାପରେ ଜ୍ୟୁରିକ୍‌ରେ ହେବାକୁ ଥିବା ଚୂଡ଼ାନ୍ତ ପ୍ରତିଯୋଗିତାରେ ଭାଗ ନେବେ।

ସୂଚନାଯୋଗ୍ୟ, ଜୁଲାଇ ଶେଷ ଭାଗରେ ଓରେଗନ୍‌ରେ ଚାଲିଥିବା ‘ୱାର୍ଲଡ୍‌ ଆଥ୍‌ଲେଟିକ୍‌ ଚାମ୍ପିୟନ୍‌ସିପ୍‌’ରେ ନୀରଜଙ୍କ କଟୀରେ ଆଘାତ ଲାଗିଥି‌ଲା। ଫଳରେ ସେ ବର୍ମିଙ୍ଗ୍‌ହାମ୍‌ରେ ଅନୁଷ୍ଠିତ ‘ସିଡବ୍ଲୁସି ୨୦୨୨’ରେ ଅଂଶ ଗ୍ରହଣ କରିପାରି ନ ଥିଲେ। ଜର୍ମାନିରେ ଚିକିତ୍ସା ହୋଇ ପ୍ରାୟ ମାସେ କାଳ ବିଶ୍ରାମ ନେଇ ସୁସ୍ଥ ହେବା ପରେ ସେ ଉପରୋକ୍ତ ମ୍ୟାଚ୍‌ରେ ଭାଗ ନେଇଥିଲେ।

୮୯.୦୮ ମିଟର୍‌ ଥ୍ରୋ’ ହେଉଛି ତାଙ୍କ କ୍ୟାରିୟର୍‌ରେ ତୃତୀୟ ସର୍ବୋତ୍ତମ ଉଦ୍ୟମ। କିନ୍ତୁ, ତାଙ୍କର ଦ୍ବିତୀୟ ଥ୍ରୋ’ ୮୫.୧୮ ମିଟର୍‌ ହୋଇଥିଲା। ସେହିପରି, ତାଙ୍କ ଚତୁର୍ଥ ଥ୍ରୋ’ ଫାଉଲ୍‌ ହୋଇଥିବା ବ‌େଳେ ୫ମ ଉଦ୍ୟମରେ ସଫଳ ହୋଇଥିଲେ। ଏହାପରେ ୬ଷ୍ଠ ତଥା ଶେଷ ରାଉଣ୍ଡ୍‌ରେ ନୀରଜ ୮୦.୦୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଥ୍ରୋ’ କରିଥିଲେ।

publive-image Image Courtesy of Mint

ପ୍ରତିଯୋଗିତା ଶେଷ ହେବା ପରେ ସାମ୍ବାଦିକମାନଙ୍କୁ ନୀଜର ଚୋପ୍ରା କହିଛନ୍ତି, ଆଜିର ଫଳାଫଳରେ ମୁଁ ଖୁବ୍‌ ଆନନ୍ଦିତ। ୮୯ ମିଟର୍‌ ଥ୍ରୋ’ ଖୁବ୍‌ ଭଲ ପ୍ରଦର୍ଶନ। ଆଘାତରୁ ସୁସ୍ଥ‌ ହୋଇ ଫେରିଥିବାରୁ ମଧ୍ୟ ମୁଁ ଖୁବ୍‌ ଖୁସି। ମୁଁ ଯେ, ପୂର୍ଣ୍ଣରୂପେ ସୁସ୍ଥ ହୋଇଯାଇଛି, ଆଜି ରାତିର ଫଳାଫଳ ତା’ର ସୂଚନା ଦେଉଛି। ଅବଶ୍ୟ ଆଘାତ ଯୋଗୁଁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ନ ଥିବାରୁ ଆଜି ସାମାନ୍ୟ ଡରି ଯାଇଥିଲି।

ଏହି ପ୍ରତିଯୋଗିତାରେ ଜାକୁବ୍‌ ଭାଦ୍‌ଲେଜ୍‌ଚ୍‌ ଦ୍ବିତୀୟ ଏବଂ କର୍ଟିସ୍‌ ଟମ୍ପ୍‌ସନ୍ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe