ନୂଆଦିଲ୍ଲୀ: କମନ୍ୱେଲ୍ଥ୍ ଗେମ୍ସ-୨୦୨୨ରେ ଭାରତ ପାଇଁ ପଦକ ଜିତିବାର ଦୃଢ଼ ଦାବିଦାର ଥିବା ଜାଭ୍ଲିନ ତାରକା ନୀରଜ ଚୋପ୍ରା ଖେଳରୁ ବାଦ୍ ପଡ଼ିବା ପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। କମନ୍ୱେଲ୍ଥ୍ ଗେମ୍ସରେ ଖେଳି ନପାରୁଥିବାରୁ ସେ ଆଘାତ ପାଇଛନ୍ତି ବୋଲି କହିଛନ୍ତି। ସେ ତାଙ୍କ ଟ୍ବିଟର୍ରେ ଏକ ଲମ୍ବା ବିବୃତ୍ତି ଜାରି କରି ସେ କାହିଁକି ସେ ଆଗାମୀ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ପାରିବେନି ବୋଲି କହିଛନ୍ତି। ଏହାଛଡ଼ା ସେ କିପରି ବିଶ୍ବ ଆଥଲେଟିକ୍ ଚାମ୍ପିୟନ୍ସିପ୍ରେ ଆହତ ହୋଇଥିଲେ ସେ ସଂପର୍କରେ ବି ଉଲ୍ଲେଖ କରିଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ମଧ୍ୟ ଆମେରିକାର ଇଉଜେନିଠାରେ ନିକଟରେ ଶେଷ ହୋଇଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ରୌପ୍ୟ ଜିତି ଦେଶ ପାଇଁ ଆଉ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ତେଣୁ ବର୍ମିଂହାମ୍ରେ ପୁରୁଷ ଜାଭ୍ଲିନ୍ ପଦକ ବଜାୟ ରଖିବା ଲକ୍ଷ୍ୟରେ ରହିଥିଲେ। ହେଲେ ବିଶ୍ବ ପ୍ରତିଯୋଗିତାରେ ତାଙ୍କର ସେହି ଐତିହାସିକ ସଫଳତା ଅବସରରେ ଆହତ ହୋଇଥିଲେ ନୀରଜ।
ଫଳରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଯାଇଛନ୍ତି। ମଙ୍ଗଳବାର ଏଭଳି ଝଟ୍କା ଖବର ଭାରତକୁ ମିଳିଛି। ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ମହାସଚିବ ରାଜୀବ ମେହଟା ଏହି ସୂଚନା ଦେବା ସାଙ୍ଗକୁ ନୀରଜଙ୍କ ଏମ୍ଆର୍ଆଇ ସ୍କାନ୍ ସୋମବାର ଆମେରିକାରେ ହୋଇଥିଲା ଏବଂ ତାଙ୍କୁ ଗୋଟିଏ ମାସ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିବା କହିଥିଲେ।
Follow Us