ନୀରଜ ଚମକ : ଜାଭେଲିନରେ ଭାରତକୁ ସ୍ୱର୍ଣ୍ଣ

Advertisment

ଆଜି ଦୂତିଙ୍କ ୨୦୦ ମିଟର

ଆଜି ଦୂତିଙ୍କ ୨୦୦ ମିଟର

ନୀରଜ ଚମକ : ଜାଭେଲିନରେ ଭାରତକୁ ସ୍ୱର୍ଣ୍ଣ

ଜାକର୍ତା/ପାଲେମବାଙ୍ଗ : ଅଷ୍ଟାଦଶ ଏସୀୟ କ୍ରୀଡ଼ାର ନବମ ଦିନରେ ଜାଭେଲିନ୍‌ ତାରକା ନୀରଜ ଚୋପ୍ରାଙ୍କ ଯାଦୁ ଦେଖିବାକୁ ମିଳିଛି। ପୁରୁଷ ଜାଭେଲିନ୍‌ରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ନୀରଜ ତୃତୀୟ ପ୍ରୟାସରେ ହାସଲ କରିଥିବା ୮୮.୦୬ ମିଟରର ସଫଳତା ତାଙ୍କୁ ସ୍ୱର୍ଣ୍ଣ ସହ ନୂଆ ଜାତୀୟ କୀର୍ତ୍ତିମାନର ଅଧିକାରୀ କରିଛି।

ନୀରଜ ଗତବର୍ଷ ଭୁବନେଶ୍ୱର ଏସିଆନ୍‌ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଥିବାରୁ ଜାକର୍ତାରେ ମଧ୍ୟ ଏହି ସଫଳତା ପାଇବେ ବୋଲି ଆଶା କରାଯାଉଥିଲା। ସେ ମଧ୍ୟ ଏହାକୁ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ପୂରଣ କରିଥିଲେ। ନୀରଜ ଆଜି ନିଜେ ସ୍ଥାପନ କରିଥିବା ଜାତୀୟ କୀର୍ତ୍ତିିମାନ (୮୭.୪୩ ମିଟର)କୁ ଭାଙ୍ଗି ଦେଇଥିଲେ। ଚଳିତ ଏସିଆଡ଼୍‌ରେ ଭାରତ ପାଇଁ ଅଷ୍ଟମ ସ୍ୱର୍ଣ୍ଣ ଜିତିଥିବା ନୀରଜ ୧୯୮୨ ନୂଆଦିଲ୍ଲୀ ଏସିଆଡ଼୍‌ରେ ଗୁରତେଜ ସିଂହ କାଂସ୍ୟ ପଦକ ଜିତିବା ପରେ ପ୍ରଥମ ଭାରତୀୟ ଜାଭେଲିନ୍‌ ପଦକ ବିଜେତା ହୋଇଥିଲେ। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଚୀନ ଏବଂ ପାକିସ୍ତାନ ପ୍ରତିଯୋଗୀ ତାଙ୍କଠାରୁ ବହୁ ପଛରେ ରହିଥିଲେ।

ଜାଭେଲିନ୍‌ ସ୍ୱର୍ଣ୍ଣ ସହ ସୋମବାର ଭାରତ ଦୌଡ଼କୁଦରୁ ତିନିଟି ରୌପ୍ୟ ଏବଂ ବ୍ୟାଡମିଣ୍ଟନ୍‌ରୁ ଗୋଟିଏ କାଂସ୍ୟ ଜିତିଥିଲା। ୩,୦୦୦ ମିଟର ମହିଳା ଷ୍ଟିପଲଚେଜରେ ସୁଧା ସିଂହ, ୪୦୦ ମିଟର ପୁରୁଷ ବାଧାଦୌଡ଼ରେ ଧାରୁନ୍‌ ଆୟାସ୍ୱାମୀ ଏବଂ ମହିଳା ଲମ୍ବଡିଆଁରେ ନିନା ଭରାକିଲ ରୌପ୍ୟ ପଦକ ପାଇଥିଲେ। ମହିଳା ଏକକ ବ୍ୟାଡମିଣ୍ଟନ୍‌ରେ ସାଇନା ନେହଓ୍ଵାଲ୍‌ ଏକମାତ୍ର କାଂସ୍ୟ ଜିତିଥିଲେ। ଓଡ଼ିଆ ଧାବିକା ଦୂତି ଚାନ୍ଦ ରବିବାର ୧୦୦ ମିଟରରେ ରୌପ୍ୟ ପଦକ ଜିତିବା ପରେ ମଙ୍ଗଳବାର ୨୦୦ ମିଟର ମଇଦାନକୁ ଓହ୍ଲାଇବେ।

ନୀରଜ ଆଜି ତାଙ୍କ ପ୍ରଥମ ପ୍ରୟାସରେ ୮୩.୪୬ ମିଟର ଦୂରତାକୁ ଜାଭେଲିନ୍‌ ଫିଙ୍ଗିଥିଲେ। ଯାହା ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଯଥେଷ୍ଟ ଥିଲା। ହେଲେ ୬ ପ୍ରୟାସ ମଧ୍ୟରୁ ଦୁଇଟି (ଦ୍ୱିତୀୟ ଏବଂ ଚତୁର୍ଥ)ରେ ସେ ଫାଉଲ୍‌ କରିଥିଲେ। ବଳକା ତିନିଟି ପ୍ରୟାସ ମଧ୍ୟରୁ ତୃତୀୟରେ ୮୮.୦୬, ଚତୁର୍ଥରେ ୮୩.୨୫ ଏବଂ ଷଷ୍ଠ ପ୍ରୟାସରେ ୮୬.୩୬ ମିଟର ଦୂରତାକୁ ଜାଭେଲିନ୍‌ ଫିଙ୍ଗିଥିଲେ। ତୃତୀୟ ପ୍ରୟାସରେ ହିଁ ସେ ନିଜ ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନକୁ ଟପିଥିଲେ। କନିଷ୍ଠ ସ୍ତରରେ ବିଶ୍ୱ କୀର୍ତ୍ତିମାନ (୮୬.୪୮ ମିଟର) ସ୍ଥାପନ କରିଥିବା ନୀରଜ ଚଳିତ ଋତୁରେ ଜବରଦସ୍ତ ଫର୍ମରେ ଥିଲେ। ସେ ନିୟମିତ ୮୫ ମିଟର ଦୂରତାକୁ ଜାଭେଲିନ୍‌ ଫିଙ୍ଗୁଥିଲେ। ସେ ମଧ୍ୟ ଚଳିତ ବର୍ଷର ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସୋମବାର ଚାଇନିଜ୍‌ ତାଇପେର ଚାଓ ସୁନ୍‌ ଚେଙ୍ଗ ନୀରଜଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଗତବର୍ଷ ଚେଙ୍ଗ ୯୧.୦୬ ମିଟର ଦୂରତାକୁ ଜାଭେଲିନ୍‌ ଫିଙ୍ଗିଥିଲେ। ହେଲେ ସେ ମାତ୍ର ୭୯.୮୧ ମିଟର ଦୂରତା ହାସଲ କରି ପାରିଥିଲେ। ଫଳରେ ଚୀନର ଲିୟୁ କ୍ୱିଝେନ (୮୨.୨୨) ରୌପ୍ୟ ଏବଂ ପାକିସ୍ତାନର ଅର୍ସଦ ନଦିମ (୮୦.୭୫) କାଂସ୍ୟ ପଦକ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe