ଡାଏମଣ୍ଡ୍ ଲିଗ୍ ଫାଇନାଲ୍‌ରେ ନୀରଜ ଦ୍ବିତୀୟ

ସ୍ବିଜରଲାଣ୍ଡ୍‌ର ଜୁରିକ୍‌ଠାରେ ଆୟୋଜିତ ଡାଏମଣ୍ଡ୍ ଲିଗ୍ ଫାଇନାଲ୍‌ରେ ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ତଥା ଭାରତୀୟ ଜାଭଲିନ୍ କିଂବଦନ୍ତି ଲଗାତାର ତୃତୀୟ ଥର ଲାଗି ଦ୍ବିତୀୟ ସ୍ଥାନରେ ରହିଛନ୍ତି।

New Project (5)

ଜୁରିକ୍: ସ୍ବିଜରଲାଣ୍ଡ୍‌ର ଜୁରିକ୍‌ଠାରେ ଆୟୋଜିତ ଡାଏମଣ୍ଡ୍ ଲିଗ୍ ଫାଇନାଲ୍‌ରେ ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ତଥା ଭାରତୀୟ ଜାଭଲିନ୍ କିଂବଦନ୍ତି ଲଗାତାର ତୃତୀୟ ଥର ଲାଗି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଜର୍ମାନୀର ଜୁଲିଆନ୍ ୱେବର ଦୁଇ ଥର ୯୦ ମିଟରରୁ ଅଧିକ ଥ୍ରୋ’ ସହ ପ୍ରଥମ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏହି ୭ଜଣିଆ ଫାଇନାଲ୍‌ରେ ୱେବର୍ ନିଜ‌ ଦ୍ବିତୀୟ ଥ୍ରୋରେ ୯୧.୫୭ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗିଥିଲେ। ଯାହା ଚଳିତବର୍ଷର ଶ୍ରେଷ୍ଠ ଏବଂ ସହ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ’ ମଧ୍ୟ ଥିଲା। ଏହା ପୂର୍ବରୁ ନିଜ ପ୍ରଥମ ପ୍ରୟାସରେ ମଧ୍ୟ ୯୧.୩୭ ମିଟରର ସଫଳତା ପାଇଥିଲେ। ଅନ୍ୟ କୌଣସି ପ୍ରତିଦ୍ବନ୍ଦ୍ବୀ ତାଙ୍କ ନିକଟରେ ମଧ୍ୟ ପହଞ୍ଚି ନପାରିବା ଉଲ୍ଲେଖନୀୟ ଥିଲା। ଅନ୍ୟପକ୍ଷ‌ରେ ନିଜ ପ୍ରଥମ ଡାଏମଣ୍ଡ୍ ଲିଗ୍‌ ବିଜୟ ଲକ୍ଷ୍ୟରେ ଥିବା ନୀରଜ ପ୍ରଥମ ପ୍ରୟାସରେ ୮୪.୩୫ ମିଟର  ଦୂରତା ଛୁଇଁଥିଲେ।

ଦ୍ବିତୀୟରେ ୮୨ ମିଟରକୁ ଖସିବା ପରେ ତାଙ୍କ ତୃତୀୟ ପ୍ରୟାସ ନିଷ୍ଫଳ ରହିଥିଲା। ଫଳରେ ମଧ୍ୟାନ୍ତର ସୁଦ୍ଧା ୨୭ ବର୍ଷୀୟ ନୀରଜ, ତ୍ରିନିଦାଦ ଓ ଟବାଗୋର କେସ୍ରୋନ୍‌ ୱାଲକଟ୍‌ଙ୍କ ପଛକୁ ତୃତୀୟ ସ୍ଥାନକୁ ଖସି ଯାଇଥିଲେ। ପରବର୍ତ୍ତୀ ଦୁଇଟି ପ୍ରୟାସ ବେକାର ଯିବାପରେ ପ୍ରଥମ ତିନି ସ୍ଥାନ ବାହାରେ ଅଭିଯାନ ଶେଷ କରିବାର ଆଶଙ୍କା ବି ଦେଖା ଦେଇଥିଲା। ତେବେ ଷଷ୍ଠ ତଥା ଅନ୍ତିମ ଥ୍ରୋ’ରେ ୮୫.୦୧ ମିଟରକୁ ଜାଭଲିନ୍ ପଠାଇ ସମ୍ମାନ ରଖିଥିଲେ‌ ସେ। ୱାଲକଟ୍‌ଙ୍କଠାରୁ ମାତ୍ର ୬ ସେଣ୍ଟିମିଟର ଆଗରେ ରହି ଉପବିଜେତା ହୋଇଥିଲେ। ଗ୍ରେନେଡାର ଆଣ୍ଡରସନ୍ ପିଟର୍ସ (୮୨.୦୬ ମିଟର) ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାରେ ଆଶାଜନକ ପ୍ରଦର୍ଶନ କରିପାରି ନଥିବା ନୀରଜ ସ୍ବୀକାର କରିବା ସହ ଟୋକିଓରେ ଆୟୋଜିତ ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଆହୁରି ଭଲ କରିବାକୁ ଚେଷ୍ଟା କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ସେ ନିୟମିତ ଭାବେ ୮୮ ମିଟରରୁ ଅଧିକ ଦୂରତାକୁ ଜାଭଲିନ୍ ଫିଙ୍ଗୁଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଦୋହାରେ ପ୍ରଥମ ଥର ଲାଗି ୯୦ ମିଟର ମାଇଲଖୁଣ୍ଟ ବି ଟପିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe