ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ରେ ଭାରତ ଆଶା ମୁତାବକ କ୍ବାର୍ଟର ଫାଇନାଲରେ ୩ ଥର ବିଜେତା ନେଦରଲାଣ୍ଡ୍ ସହିତ ଖେଳିବ। ଗୁରୁବାର ଅପରାହ୍ନ ୪.୪୫ ମିନିଟରେ ଏହି ମ୍ୟାଚ୍ ଖେଳାଯିବ। ଉକ୍ତଦିନ ଚତୁର୍ଥ ତଥା ଶେଷ କ୍ବାର୍ଟର ଫାଇନାଲରେ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ବେଲଜିୟମ୍ ଭେଟିବ ୨ ଥର ବିଜେତା ଜର୍ମାନିକୁ। ମଙ୍ଗଳବାର ଶେଷ ଦୁଇ କ୍ରସ୍ ଓଭରରେ ବେଲଜିୟମ୍ ୫-୦ରେ ପାକିସ୍ତାନକୁ ଏବଂ ଗତ ଥରର ଉପ ବିଜେତା ନେଦରଲାଣ୍ଡ୍ ସମାନ ଗୋଲ୍ ବ୍ୟବଧାନ ୫-୦ରେ କାନାଡ଼ାକୁ ହରାଇ ଏହି ଲାଇନ୍ ଅପ୍ ଧାର୍ଯ୍ୟ କରିଛି।
ମଙ୍ଗଳବାର ତୃତୀୟ କ୍ରସ୍ ଓଭରରେ ବେଲ୍ଜିୟମ ଏକତରଫା ପ୍ରଦର୍ଶନ କରି ଜିତିଥିଲା। ଯାହାକି ସ୍କୋରଲାଇନ୍ (୫-୦)ରେ ପ୍ରତିଫଳିତ ହୋଇଥିଲା। ୪ ଥର ବିଶ୍ବ ବିଜେତା ପାକିସ୍ତାନର ଖେଳ ଆଦୌ ବିଶ୍ବକପ୍ ସ୍ତରୀୟ ନ ଥିଲା। ବେଲ୍ଜିୟମ୍ ପ୍ରଥମ କ୍ବାର୍ଟରରେ ୨ଟି ଗୋଲ୍ ଦେଇ ଆଗୁଆ ରହି ସାରିଥିଲା। ଦଶମ ମିନିଟରେ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ପେନାଲଟି କର୍ନରରୁ, ୧୩ ମିନିଟରେ ଅଧିନାୟକ ଥମାସ୍ ବ୍ରିଲ୍ସ ଫିଲଡ୍ ଖେଳରୁ ଏହି ଦୁଇ ଗୋଲ୍ ଦେଇଥିଲେ। ପରବର୍ତୀ ୩ କ୍ବାର୍ଟରରେ ବେଲଜିୟମ୍ ମଧ୍ୟ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲା। ୨୭ ମିନିଟରେ ସେଡ୍ରିକ୍ ଚାର୍ଲିୟର, ୩୫ ମିନିଟରେ ସେବାଷ୍ଟିଏନ୍ ଡକିୟର, ୫୩ ମିନିଟରେ ଟମ୍ ବୁନ୍ (ପେନାଲଟି ଷ୍ଟ୍ରୋକ୍) ଗୋଲ୍ କରିଥିଲେ। ଏହି ମ୍ୟାଚ୍ରେ ବେଲ୍ଜିୟମ ୭ ଏବଂ ପାକିସ୍ତାନ ୨ଟି ପେନାଲଟି ଅର୍ଜନ କରିଥିଲା। କିନ୍ତୁ ଏହି ୯ଟିରୁ ମାତ୍ର ଗୋଟିଏ ଗୋଲ୍ ହେବା ବେଲ୍ଜିୟମ୍ର ଡ୍ରାଗ୍ ବିଫଳତା ଧାରାକୁ ବଜାୟ ରଖିଥିଲା। ବିଜୟୀ ଦଳର ସାଇମନ ଗଗ୍ନାର୍ଡଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ମଙ୍ଗଳବାରର ଦ୍ବିତୀୟ ତଥା ଶେଷ କ୍ରସ୍ ଓଭର ମ୍ୟାଚ୍ରୁ ମଧ୍ୟ ସମାନ ୫-୦ ସ୍କୋର୍ ଲାଇନ୍ ମିଳିଥିଲା। ୟୁରୋପୀୟ ସାମର୍ଥ୍ୟ ନେଦରଲାଣ୍ଡ୍ ଏହି ବ୍ୟବଧାନରେ ଉତ୍ତର ଆମେରିକୀୟ ଦେଶ କାନାଡ଼ାକୁ ହରାଇ ଦେଇଥିଲା। ଭାରତ ନିକଟରୁ ୧-୫ରେ ହାରିବା ସହିତ ମନୋବଳ ହରାଇଥିବା ଏହି ଅସଫଳ ହକି ଦେଶ ମଧ୍ୟ ସହଜରେ ପରାଜୟ ମାନି ନେଇଥିଲା। କିନ୍ତୁ ୧୭ତମ ମିନିଟରେ ଦଳର ଗୋଲ୍ରକ୍ଷକ ଡେଭିଡ୍ କାର୍ଟର ଏକ ପେନାଲଟି ଷ୍ଟ୍ରୋକ ରୋକିଦେବା ଏହି ଦଳ ପାଇଁ ଉଲ୍ଲେଖନୀୟ ଥିଲା। ଚଳିତ ବିଶ୍ବକପ୍ର ପ୍ରଥମ ହ୍ୟାଟ୍ରିକ ହାସଲକାରୀ ଜୋରୋନ୍ ହାର୍ଟବର୍ଜରଙ୍କ ପେନାଲଟି ଷ୍ଟ୍ରୋକ୍କୁ ବାମ ପାଦ ଗାର୍ଡରେ ରୋକି ଦେଇଥିଲେ କାର୍ଟର। ପ୍ରଥମ କ୍ବାର୍ଟର ଗୋଲ୍ଶୂନ୍ୟ ବିତିବା ପରେ ପରବର୍ତୀ ୨ କ୍ବାର୍ଟରରେ ନେଦରଲାଣ୍ଡ୍ ୨ ଲେଖାଏଁ ଗୋଲ୍ ଦେଇଥିଲା। ଥିସ୍ ଭାନ୍ ଡାମ (୪୦ ଏବଂ ୫୮ ମିନିଟ) ଏକା ଦୁଇଟି ଗୋଲ୍ ଦେଇଥିବା ବେଳେ ୧୬ ମିନିଟରେ ଲାର୍ସ ବାକ୍, ୨୦ ମନିଟରେ ରବର୍ଟ କେମ୍ପରମ୍ୟାନ୍, ୪୧ ମିନିଟରେ ଥିଏରି ବ୍ରିଙ୍କ୍ମ୍ୟାନ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। କିନ୍ତୁ ପରାଜୟ ସତ୍ତ୍ବେ ପେନାଲଟି ଷ୍ଟ୍ରୋକ୍ ରୋକିଥିବା କାନାଡ଼ା ଗୋଲ୍ରକ୍ଷକ ଡେଭିଡ୍ କାର୍ଟର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଭାରତର ସେମି ବାଟରେ ନେଦରଲାଣ୍ଡ୍
Advertisment
Follow Us