ନୂଆ ଭାରତର ଯୁବ ଶକ୍ତି: ଧୋନିଙ୍କୁ ଟପିଲେ ପନ୍ତ,୧୦୦୦ ରନ୍‌ ସଂଗ୍ରହରେ ଦ୍ରୁତତମ ଭାରତୀୟ ୱିକେଟ୍‌ରକ୍ଷକ

ନୂଆ ଭାରତର ଯୁବ ଶକ୍ତି: ଧୋନିଙ୍କୁ ଟପିଲେ ପନ୍ତ,୧୦୦୦ ରନ୍‌ ସଂଗ୍ରହରେ ଦ୍ରୁତତମ ଭାରତୀୟ ୱିକେଟ୍‌ରକ୍ଷକ

ବ୍ରିସବେନ୍: ବ୍ରିସବେନ୍‌ରେ ଭାରତ ମଙ୍ଗଳବାର ଯେଉଁ ଐତିହାସିକ ବିଜୟ ହାସଲ କଲା ତାହା ଅନେକ ଦୃଷ୍ଟିରୁ ସ୍ମରଣୀୟ ଏବଂ ମହତ୍ବପୂର୍ଣ୍ଣ। ବଡ଼ କଥା ହେଲା ଭାରତର ଏହି ବିଜୟରେ ପଦାର୍ପଣକାରୀ ଏବଂ ଅନଭିଜ୍ଞ ଖେଳାଳିମାନେ ହିଁ ପ୍ରମୁଖ ଭୂମିକା ତୁଲାଇଛନ୍ତି। ଅଷ୍ଟ୍ରେଲିଆର ପ୍ରଥମ ପାଳି ସ୍କୋର ୩୬୯ ଜବାବରେ ଭାରତ ଯେତେ‌ବେଳେ ୧୮୬ ରନ୍‌ରେ ୬ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା, ସେତେବେଳେ ଦୁଇ ଯୁବ ବୀର ୱାସିଂଟନ୍ ସୁନ୍ଦର ଓ ସାର୍ଦୁଲ ଠାକୁର ୧୨୩ ରନ୍‌ର ଭାଗୀଦାରି କରି ଦଳକୁ ରକ୍ଷା କରିଥିଲେ। ଏହି ଦୁଇ ଜଣଙ୍କ ଅସୀମ ଧୈର୍ଯ୍ୟଭରା ଭାଗୀଦାରି ପାଇଁ ଭାରତ ୩୩୬ ରନ୍ କରିଥିଲା ଏବଂ ଅଷ୍ଟ୍ରେଲିଆ କେବଳ ୩୩ ରନ୍‌ର ଅଗ୍ରଣୀ ଲାଭ କରିଥିଲା। ଦ୍ବିତୀୟ ପାଳିରେ ନିଜ ତୃତୀୟ ଟେଷ୍ଟ୍ ଖେଳୁଥିବା ମହମ୍ମଦ ସିରାଜ ଏବଂ ସାର୍ଦୁଳ ଠାକୁର ୯ ୱିକେଟ୍ ବାଣ୍ଟିନେବା ପରେ ମାତ୍ର ୨୯୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା ଅଷ୍ଟ୍ରେଲିଆ। ଫଳରେ ଭାରତ ସମ୍ମୁଖରେ ୩୨୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାହାକୁ ଅତି ନାଟକୀୟ ଭାବେ ପଞ୍ଚମ ଦିନ ଖେଳ ଶେଷ ହେବାର ୩ ଓଭର ପୂର୍ବରୁ ହାସଲ କରିନେଇ ମ୍ୟାଚ୍ ଓ ଶୃଙ୍ଖଳା ଉପରେ କବ୍‌ଜା କରି ନେଇଥିଲା ୟଙ୍ଗ ଇଣ୍ଡିଆ।

ଟର୍ନ, ବାଉନ୍ସ, ସୁଇଂ ଓ ସିମ୍‌ଭରା ଗାବା ପିଚ୍‌ରେ ଭାରତ ସମ୍ମୁଖରେ ବିଜୟ ପାଇଁ ୩୨୮ ରନ୍‌ର ଅସାଧ୍ୟ ଓ ଅତ୍ୟନ୍ତ କଠିନ ଲକ୍ଷ୍ୟ ଥିଲା। ଚତୁର୍ଥ ଦିନ ଖେଳର ଶେଷ ଅଧିବେଶନକୁ ବର୍ଷା ଧୋଇ ନେବା ପରେ ଭାରତ ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନର ଖେଳ ୪/୦ରୁ ଆରମ୍ଭ କରିଥିଲା। ତେବେ ୧୮ ରନ୍‌ରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ହରାଇଥିଲା। ହେଲେ ବାଉନ୍ସର ବର୍ଷା ଭିତରେ ଶରୀରର ସବୁ ଅଙ୍ଗରେ ବଲ୍ ମାଡ଼ ଖାଇବା ସତ୍ତ୍ବେ ଅସୀମ ଧୈର୍ଯ୍ୟ ଓ ଅପୂର୍ବ ଏକାଗ୍ରତା ସହ ଖେଳି ଚେତେଶ୍ବର ପୂଜାରା (୫୬) ଓ ପ୍ରତିଭାବାନ ଯୁବ ଓପ୍‌ନର ଶୁବମନ୍ ଗିଲ୍ (୯୧) କେବେ ବି ବିଜୟ ଆଶା ଛାଡ଼ି ନଥିଲେ। ପ୍ରଥମ ଶତକ ହାସଲରୁ ବଞ୍ଚିତ ହୋଇଥିଲେ ମଧ୍ୟ ଗିଲ୍‌ ହିଁ ଭାରତ ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଅଧିନାୟକ ଅଜିଙ୍କ୍ୟ ରାହାଣେ (୨୪ ରନ୍, ୨୨ ବଲ୍) ଦ୍ରୁତ ବ୍ୟାଟିଂ କରି ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ୱାସିଂଟନ୍ ସୁନ୍ଦର (୨୨ ରନ୍, ୨୯ ବଲ୍) ନିଜ ଦାୟିତ୍ବ ସଫଳତାର ସହ ତୁଲାଇଥିଲେ। ଭାରତ ବିଜୟର ପ୍ରମୁଖ ନାୟକ କିନ୍ତୁ ୱିକେଟ୍‌ରକ୍ଷକ ଋଷବ ପନ୍ତ ଥିଲେ। ଅପରାଜିତ ୮୯ ରନ୍‌ର ଅସାଧାରଣ, ଅବିଶ୍ବସନୀୟ ଏବଂ ନିଜ ଖେଳ ଜୀବନର ଅନ୍ୟତମ ଶ୍ରେଷ୍ଠ ପାଳି ଖେଳି ଅଷ୍ଟ୍ରେଲିଆ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ ସେ। ଜୋସ୍ ହାଜଲଉଡ୍‌ଙ୍କୁ ପନ୍ତ ଯେଉଁ ବିଜୟୀ ଚୌକା ମାରିଥିଲେ, ତାହାକୁ ଏବେ କ୍ରିକେଟ୍ ପ୍ରେମୀ ୨୦୧୧ ମସିହାରେ ମହେନ୍ଦ୍ର ସିଂହ ଧୋନି ଶ୍ରୀଲଙ୍କାର ନୁୱାନ କୁଳସେକରାଙ୍କୁ ଛକା ମାରି ଭାରତକୁ ବିଶ୍ବକପ୍ ବିଜୟ ଉପହାର ଦେବା ସହ ତୁଳନା କରୁଛନ୍ତି।

ଋଷବ ପନ୍ତ ମଙ୍ଗଳବାର ଭାରତକୁ ଅବିଶ୍ବସନୀୟ ଭାବେ କେବଳ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ୍‌ ଓ ଶୃଙ୍ଖଳା ବିଜୟ ଭେଟି ଦେଇନାହାନ୍ତି। ଏହି ଟେଷ୍ଟ ବେଳେ ସେ ଆଉ ଏକ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ୱିକେଟ୍‌ରକ୍ଷକ ଭାବେ ୧୦୦୦ ଟେଷ୍ଟ୍‌ ରନ୍‌ ପୂରଣ କରିବାରେ ସେ ଦ୍ରୁତତମ ହୋଇଛନ୍ତି। ଏହା କରିବାରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ‌ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି। ଧୋନି ୩୨ ପାଳି ଖେଳି ୧୦୦୦ ରନ୍‌ ପୂରଣ କରିଥିଲା ବେଳେ ପନ୍ତ ୨୭ ପାଳି ଖେଳି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏହି ଶୃଙ୍ଖଳାରେ ମଧ୍ୟ ପନ୍ତ ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ୱିକେଟ୍‌ରକ୍ଷକ ଭାବେ ଚତୁର୍ଥ ପାଳିରେ ୫୦ରୁ ଊର୍ଧ୍ବ ରନ୍ କରିବାରେ ସେ ସର୍ବକନିଷ୍ଠ ହୋଇଛନ୍ତି। ସିଡ୍‌ନି ଟେଷ୍ଟ୍‌ର ଚତୁର୍ଥ ପାଳିରେ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚ୍‌ ଅମୀମାଂସିତ ରଖିବାରେ ପ୍ରମୁଖ ଭୂମିକା ନେଇଥିବା ପନ୍ତ (୯୭ ରନ୍‌) ୱିକେଟ୍‌ରକ୍ଷକ ଭାବେ ୫୦ରୁ ଊର୍ଧ୍ବ ରନ୍‌ କରିବାରେ ସର୍ବକନିଷ୍ଠ ୱିକେଟ୍‌ରକ୍ଷକ ହୋଇଥିଲେ। ଗାବାରେ‌ ଚତୁର୍ଥ ତଥା ଶେଷ ‌ଟେଷ୍ଟ୍‌ରେ ପନ୍ତ କରିଥିବା ଅପରାଜିତ ୮୯* ରନ୍‌ ଭାରତୀୟ ୱିକେଟ୍‌ରକ୍ଷକ ଭାବେ ଚତୁର୍ଥ ପାଳିର ତୃତୀୟ ସର୍ବାଧିକ ସ୍କୋର୍‌। ପ୍ରଥମ ଓ ଦ୍ବିତୀୟ ବି ତାଙ୍କ ନାମରେ ରହିଛି। ୨୦୧୮ (ଓଭାଲ)ରେ ତାଙ୍କ ୧୧୪ ରନ୍‌ ‌ଶ୍ରେଷ୍ଠ ହୋଇଥିଲା ବେଳେ ଗତ ମ୍ୟାଚ୍‌ର ୯୭ ରନ୍ ଦ୍ବିତୀୟରେ ରହିଛି। ଚତୁର୍ଥ ପାଳିରେ ପନ୍ତଙ୍କ ହାରାହାରି ୮୭ ରହିଥିଲା ‌ବେଳେ ଅନ୍ୟ ପାଳିଗୁଡ଼ିକରେ ୩୫.୨୩ ରହିଛି।

ମାସେ ଭିତ‌େର ପରିବର୍ତ୍ତନ
ଭାରତୀୟ କ୍ରିକେଟ୍‌ର ଭାଗ୍ୟ ଗୋଟିଏ ମାସ ଭିତରେ ବଦଳିଯାଇଥିଲା। ଆଡିଲେଡ୍‌ରେ ଠିକ୍‌ ୧୯ ଡିସେମ୍ବର ୨୦୨୦ରେ ଭାରତ ୩୬ ରନ୍‌ରେ ଅଲ୍ ଆଉଟ୍ ହୋଇ ମ୍ୟାଚ୍ ହାରିଥିଲା। କିନ୍ତୁ ୧୯ ଜାନୁଆରି ୨୦୨୧ରେ ବ୍ରିସବେନ୍‌ରେ ୩୨୮ରନ୍‌କୁ ସଫଳ ପଶ୍ଚାତଧାବନ କରି ୧୨ ବର୍ଷ ପରେ ସର୍ବଶ୍ରେଷ୍ଠ ବିଜୟ ପାଇଥିଲା। ଯାହାକି ଭାରତ ପାଇଁ ତୃତୀୟ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe