NewsBytes
ନୂଆଦିଲ୍ଲୀ : ଆଗପାଦ ‘ନୋ ବଲ୍’ ଧରିବାରେ ଫିଲ୍ଡ ଅମ୍ପାୟାରଙ୍କୁ ସହଯୋଗ କରିବା ଲାଗି ବିସିସିଆଇ ନୂଆ ଯୋଜନା ଆରମ୍ଭ କରିବ। ଆସନ୍ତା ବର୍ଷ ଆଇପିଏଲ୍ରେ ନୂଆ ବୈଷୟିକ ଜ୍ଞାନ କୌଶଳରେ ଏହି ଯୋଜନାକୁ ପୁରା ମାତ୍ରାରେ କାର୍ଯ୍ୟ କରିବା ଲାଗି ବିସିସିଆଇ ପ୍ରସ୍ତୁତ ହେଉଛି। ବାଂଲାଦେଶ ବିପକ୍ଷ କୋଲ୍କାତା ଟେଷ୍ଟ୍ରେ ବିସିସିଆଇ ପରୀକ୍ଷାମୂଳକ ଭାବେ ଏହାକୁ କାର୍ଯ୍ୟକାରୀ କରିଥିଲା। ଆଗାମୀ ଇଣ୍ଡିଜ୍ ବିପକ୍ଷରେ ମଧ୍ୟ ଏହା ଚାଲୁ ରହିବ ବୋଲି ଜଣାପଡ଼ିଛି। ନୋ’ ବଲକୁ ଧରିବା ପାଇଁ ବିସିସିଆଇ ରନ୍ଆଉଟ୍ କ୍ୟାମେରାର ବ୍ୟବହାର କରୁଛି। ଯଦ୍ବାରା ଅମ୍ପାୟାର୍ ବୋଲରଙ୍କ ପାଦ ପଡ଼ୁଥିବା ସ୍ଥାନକୁ ଭଲ ଭାବରେ ଦେଖିପାରିବେ। ଫଳରେ ନୋ’ ବଲ୍କୁ ନେଇ ଉପୁଜୁଥିବା ସମସ୍ୟା ଦୂର ହେବ। ଆଇପିଏଲର ଗତ ସଂସ୍କରଣରେ ନୋ’ବଲ୍କୁ ନେଇ ବିବାଦ ଦେଖା ଯାଇଥିଲା। କିଛି ମ୍ୟାଚ୍ରେ ଅମ୍ପାୟାର ବୋଲରଙ୍କ ପାଦ ନୋ’ ବଲ୍ ଠିକ୍ ଭାବେ ଧରି ପାରୁନଥିଲେ। କେବଳ ଆଇପିଏଲ୍ ନୁହେଁ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବନ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ମଧ୍ୟ ଏଭଳି ସମସ୍ୟା ଦେଖା ଦେଇଥିଲା। ଦ୍ୱିତୀୟ ଦିନର ଦୁଇ ଅଧିବେଶନରେ ଅମ୍ପାୟାର ୨୧ ନୋ’ ବଲ୍ ଧରିପାରିନଥିଲେ।
ବର୍ତ୍ତମାନ ଆମେ ଏହା ଉପରେ କାମ କରୁଛୁ। କୌଣସି ନୂଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆଇପିଏଲ୍ ହିଁ ଉପଯୁକ୍ତ। ଆଇପିଏଲ୍ର ପ୍ରତି ସଂସ୍କରଣରେ ନୂଆ ବୈଷୟିକ ଜ୍ଞାନ କୌଶଳ ଆଣିବା ଏବଂ ଖେଳକୁ ଆଗକୁ ନେବା ପାଇଁ ଆମେ ସର୍ବଦା କାମ କରିଆସିଛୁ। ନୂଆ ବୈଷୟିକ ଜ୍ଞାନ କୌଶଳ ନୋ’ ବଲ୍ ଅସୁବିଧାକୁ ଦୂର କରିପାରିବ। ଖେଳାଳିମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେନି। ଅତୀତରେ ନୋ’ ଏକ ବଡ଼ ବିବାଦୀୟ ପ୍ରସଙ୍ଗ ଥିଲା। ଆମର ଏହି ନୂଆ ଯୋଜନା ପାଦର ନୋ’ ବଲକୁ ଧରିବା ପାଇଁ ସଠିକ୍ ସାବ୍ୟସ୍ତ ହୋଇପାରେ। ତେବେ ଏଥିପାଇଁ ବଡ଼ ପରୀକ୍ଷା ଶେଷ ହୋଇଛି ଏବଂ ଆମେ ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ମଧ୍ୟ ଏହା ଜାରି ରଖିବୁ ବୋଲି କହିଛନ୍ତି ବିସିସିଆଇ ଯୁଗ୍ମ ସମ୍ପାଦକ ଜୟେଶ ଜର୍ଜ।
Follow Us