ଆଜିଠୁ ଓଡ଼ିଶା ଏଫ୍‌ସିର ନୂଆ ଋତୁ: କଳିଙ୍ଗରେ ମୋହନ ବାଗାନ ବିପକ୍ଷରେ ଖେଳିବ ଏଏଫ୍‌ସି କପ୍‌ ମ୍ୟାଚ୍‌

Advertisment
ଆଜିଠୁ ଓଡ଼ିଶା ଏଫ୍‌ସିର ନୂଆ ଋତୁ: କଳିଙ୍ଗରେ ମୋହନ ବାଗାନ ବିପକ୍ଷରେ ଖେଳିବ ଏଏଫ୍‌ସି କପ୍‌ ମ୍ୟାଚ୍‌

ଭୁବନେଶ୍ବର: ଭୁବନେଶ୍ବର ଭିତ୍ତିକ ଫୁଟ୍‌ବଲ୍‌ ଦଳ ଓଡ଼ିଶା ଏଫ୍‌ସି ମଙ୍ଗଳବାର ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରୁ ନୂଆ ଋତୁ ଆରମ୍ଭ କରିବ। ଚଳିତ ଋତୁର ନିଜର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ଏଏଫ୍‌ସି କପ୍‌ ମ୍ୟାଚ୍‌ରେ ମୋହନ ବାଗାନ ସୁପର ଜ‌ାଏଣ୍ଟସ୍‌ ବିପକ୍ଷରୁ ଏହି ଅଭିଯାନ ଆରମ୍ଭ କରିବ। ଷଷ୍ଠ ସ୍ଥାନରେ ରହି ଆଇଏସ୍‌ଏଲ୍‌ ପ୍ଲେ ଅଫ୍‌ରୁ ବିଦାୟ ନେଇଥିବା ଓଡ଼ିଶା ସୁପର କପ୍‌ ବିଜେତା ହୋଇ ସିଧାସଳଖ ଏଏଫ୍‌ସି କପ୍‌ ଯୋଗ୍ୟତା ଅର୍ଜନ କରିଥିଲା। ଏଏଫ୍‌ସି କପ୍‌ ପୂର୍ବରୁ ଓଡ଼ିଶାର ବରିଷ୍ଠ ଦଳ ଥାଇଲାଣ୍ଡରେ ଅଭ୍ୟାସ କରି ନିଜକୁ ପ୍ରସ୍ତୁତ କରିଛି।

‌ହେଲେ ଚଳିତ ଋତୁରେ ଏପର୍ଯ୍ୟନ୍ତ ପ୍ରତିଯୋଗିତାମୂଳକ ମ୍ୟାଚ୍‌ ଖେଳିନି। ଡୁରାଣ୍ଡ କପ୍‌ରେ ଦଳ ତା’ର ଦ୍ବିତୀୟ ଦଳ ପଠାଇଥିଲା ଏବଂ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ତେଣୁ ଓଡ଼ିଶାର ଏହା ହେବ ପ୍ରଥମ ପ୍ରତିଯୋଗିତାମୂଳକ। ଘରୋଇ ପଡ଼ିଆରେ ଖେଳୁଥିବାରୁ ଦଳର ମନୋବଳ ଦୃଢ଼ ରହିଛି। ‘ମଙ୍ଗଳବାର ଆମେ ଭଲ ଫଳାଫଳ ଅପେକ୍ଷାରେ ରହିଛୁ। ଦଳରେ ନାମକରା ଖେଳାଳି ରହିଛନ୍ତି। ରୟ କ୍ରିଷ୍ଣ, ଅହମଦ ଜାହୋଉ ଓ ମୌର୍ତାଦା ଫଲଙ୍କ ଭଲି ଅଭିଜ୍ଞ ଖେଳାଳି। ଏମାନଙ୍କ ବୟସ ୩୫ ବର୍ଷରୁ ଊର୍ଧ୍ବ ହୋଇଥି‌ଲେ ମଧ୍ୟ ଆଇଏସଏଲ୍‌ ନିଜ ନିଜ ଦଳ ପକ୍ଷରୁ ଚମତ୍କାର ପ୍ରଦର୍ଶନ ଦେଇଛନ୍ତି। ଏମାନଙ୍କ ସହ ଯୁବ ଖେଳାଳିଙ୍କୁ ନେଇ ଦଳ ଦୃଢ଼ ରହିଛି। ଆମେ ‌ଯେ କୌଣସି ଦଳକୁ ମାତ୍‌ ଦେବାକୁ ସକ୍ଷମ। ମୋହନ ବାଗାନ ଭଲ ଦଳ। ସେମାନେ ଡୁରାଣ୍ଡ କପ୍‌ ‌ଜିତିଥିବାରୁ ଉତ୍ସାହିତ ଅଛନ୍ତି। ଘରୋଇ ପଡ଼ିଆରେ ଖେଳୁଥିବାରୁ ପ୍ରଶଂସକଙ୍କ ସମର୍ଥନ ରହିବ। ଏହା ଆଗକୁ ଯିବାକୁ ବଳ ଯୋଗାଇବ। ପୂରା ୯୦ ମିନିଟ୍‌ ଆମର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବୁ’’ ବୋଲି ମୁଖ୍ୟ ପ୍ରଶିକ୍ଷକ ସର୍ଜିଓ ଲୋବେରା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ମୋହନ ବାଗାନ ଗତ ବର୍ଷ ପ୍ରଥମ ଥର ଆଇଏସ୍‌ଏଲ୍‌ ବିଜେତା ହୋଇଥିଲା ବେଳେ ନିକଟରେ ୧୭ ଥର ଲାଗି ଡୁରାଣ୍ଡ କପ୍‌ ଜିତିଛି। ଦଳ ଚଳିତ ଋତୁରେ ୫ ଜଣ ନୂଆ ଖେଳାଳିକୁ ନେଇଛି। ଏଥିରେ କାତାର ବିଶ୍ବକପ୍‌ ଖେଳିଥିବା ଅଷ୍ଟ୍ରେଲିଆର ଜାସନ କମିଙ୍ଗ୍ସ ରହିଛନ୍ତି। ଏହି ଅଷ୍ଟ୍ରେଲିଆ ତାରକା ଡୁରାଣ୍ଡ ଓ ଏଏଫ୍‌ସି କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ୪ ଗୋଲ୍‌ ଦେଇ ନିଜକୁ ପ୍ରମାଣିତ କରିଛନ୍ତି। ମୋହନ ବାଗାନ ଚଳିତ ଋତୁରେ ୮ ମ୍ୟାଚ୍‌ ଖେଳି ୭ଟିରେ ବିଜୟୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe