ଭୁବନେଶ୍ୱର: ଓଡ଼ିଶାରେ ଚେସ୍‌ର ପରିଚାଳନା ନେଇ ଅଲ୍‌ ଓଡ଼ିଶା ଚେସ୍‌ ସଂଘର ସଭାପତି ସତ୍ୟରଞ୍ଜନ ପଟ୍ଟନାୟକଙ୍କ ସହ କାର୍ଯ୍ୟକାରିଣୀ କମିଟିର ଏକାଧିକ ସଦସ୍ୟ ଏବଂ ସଂପାଦକ ଦେବବ୍ରତ ଭଟ୍ଟଙ୍କ ମଧ୍ୟରେ ଲାଗିଥିବା କଳି ଓ ଟଣାଓଟରା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ସଭାପତି ଶ୍ରୀ ସତ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଗତ କାର୍ଯ୍ୟକାରିଣୀ ବୈଠକରେ ସଂପାଦକ ଶ୍ରୀ ଦେବବ୍ରତ ଭଟ୍ଟଙ୍କ ବିରୋଧରେ ଘୋର ଆର୍ଥିକ ଅନିୟମିତତା ଅଭିଯୋଗ ଆସିଥିଲା। କିଟ୍‌ସ୍ଥିତ ବିଶ୍ବନାଥନ ଆନନ୍ଦ ଚେସ୍‌ ହଲ୍‌ରେ ବସିଥିବା ଏହି ବୈଠକରେ ୨୦୨୪-୨୫ ସହ ଚଳିତ ବର୍ଷର ଆୟବ୍ୟୟର ହିସାବ ପ୍ରଦାନ ନକରିବା ଏବଂ ସଭାପତିଙ୍କୁ ନଜଣାଇ ସାଧାରଣ ପରିଷଦ ବୈଠକ ଡାକିବା ଆଦି ଅଭିଯୋଗ ପରିପ୍ରେକ୍ଷୀରେ ସଂପାଦକଙ୍କୁ ସର୍ବସମ୍ମତିକ୍ରମେ ନିଲମ୍ବନ କରାଗଲା ବୋଲି ସଭାପତି ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇଥିଲେ। ସଂପାଦକ ଦେବବ୍ରତ ଭଟ୍ଟ ଗୁରୁବାର ଏହାର ଜବାବ ରଖିଛନ୍ତି। 

Advertisment

Meeting: ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡର ବୈଠକରେ ପ୍ରଶାସନିକ ଓ କଲ୍ୟାଣକାରୀ ସଂସ୍କାର ପାଇଁ ନିଷ୍ପତ୍ତି

ନିଲମ୍ବନ ଅସାମ୍ବିଧାନିକ: ସଂପାଦକ
‘‘ସଭାପତି ଏବଂ ତାଙ୍କ ଗୋଷ୍ଠୀ ମୋତେ ବ୍ଲାକ୍‌ମେଲ୍‌ କରୁଛନ୍ତି। ଏକ ପ୍ରତିଯୋଗିତା ଆୟୋଜନ ବେଳେ ସଂଘରୁ ଆର୍ଥିକ ସହାୟତା ଦେବାକୁ ସେମାନେ ମୋ ଉପରେ ଚାପ ପକାଇଥିଲେ। ଏକ ଘରୋଇ ସ୍ମାରକୀ ପ୍ରତିଯୋଗିତା ଲାଗି ସଂଘ ଅର୍ଥ ଦେଇ ପାରିବ ନାହିଁ ବୋଲି ମୁଁ କହିଥିଲି। ସେବେଠାରୁ ସେମାନେ ଜଣେ ପୂର୍ବତନ କୋଷାଧ୍ୟକ୍ଷଙ୍କୁ ଧରି ମୋ ବିରୋଧରେ ଷଡ଼ଯନ୍ତ୍ର କରିବା ଆରମ୍ଭ କରି ଦେଇଛନ୍ତି। ବାରବାଟୀ ଷ୍ଟାଡିୟମ୍‌ ପରିସରରେ ସଂଘର ନିଜସ୍ବ କାର୍ଯ୍ୟାଳୟ ରହିଛି। ସେଠାରେ ବୈଠକ ନକରି ଏକ ଘରୋଇ ଅନୁଷ୍ଠାନରେ କାର୍ଯ୍ୟକାରିଣୀ ବୈଠକ କରିବାର କିଛି ମାନେ ନାହିଁ। ସେମାନଙ୍କ ସହ ୪ଜଣ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି। ମୋ ସହ ବି  ୫ଜଣ ସଦସ୍ୟ ରହିଛନ୍ତି। ଏଣୁ ଏହି ନିଲମ୍ବନ ସଂପୂର୍ଣ୍ଣ ଅସାମ୍ବିଧାନିକ। ସଭାପତିଙ୍କର ମୋତେ ନିଲମ୍ବନ କରିବାର କୌଣସି ଅଧିକାର ବି ନାହିଁ। ମୁଁ ନିଜ ପକେଟରୁ ପଇସା ଖର୍ଚ୍ଚ କରି ପ୍ରତିଯୋଗିତା କରେ। ସେମାନଙ୍କୁ ମୁଁ ଚ୍ୟାଲେଞ୍ଜ୍‌ କରୁଛି, ଗୋଟିଏ ବି ଜାତୀୟସ୍ତରୀୟ ପ୍ରତିଯୋଗିତା କରି ଦେଖାନ୍ତୁ’’ ବୋଲି ସଂପାଦକ ଶ୍ରୀ ଭଟ୍ଟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେହିଭଳି ତାଙ୍କ ବିରୋଧରେ ହୋଇଥିବା ନିଲମ୍ବନ ନିଷ୍ପତ୍ତିକୁ ସର୍ବଭାରତୀୟ ଚେସ୍‌ ମହାସଂଘ ନାକଚ କରି ଦେଇଛି ବୋଲି ସେ ଦାବି କରିଛନ୍ତି । 

Horoscope 2026 February 27: ଜାଣନ୍ତୁ ଆଜିର ରାଶିଫଳ

ଭୟ ଛାଡ଼ି ସଂପାଦକ ତଦନ୍ତର ସମ୍ମୁଖୀନ ହୁଅନ୍ତୁ: ସଭାପତି
ସଂପାଦକ ଗଣମାଧ୍ୟମ ଜରିଆରେ ଏଣୁତେଣୁ କହିବା ପରିବର୍ତ୍ତେ ତଦନ୍ତ କମିଟିର ସମ୍ମୁଖୀନ ହୁଅନ୍ତୁ। ମୁଁ ତାଙ୍କୁ ନିଲମ୍ବନ କରିନି। କାର୍ଯ୍ୟକାରିଣୀ କମିଟି କରିଛି। ସେହିଭଳି ସର୍ବଭାରତୀୟ ଚେସ୍‌ ମହାସଂଘ କାର୍ଯ୍ୟକାରିଣୀର ନିଷ୍ପତ୍ତିକୁ ନାକଚ କରିଥିବା ନେଇ ସଂପାଦକ ଯେଉଁ ଦାବି କରୁଛନ୍ତି ସେଥିରେ ସତ୍ୟତା ନାହିଁ। ଆମ ପାଖକୁ ଏଥିନେଇ କୌଣସି ପତ୍ର କିମ୍ବା ସୂଚନା ଆସିନାହିଁ ବୋଲି କହିଛନ୍ତି ସଭାପତି ସତ୍ୟ ରଞ୍ଜନ ପଟ୍ଟନାୟକ। ସେହିଭଳି ସର୍ବଭାରତୀୟ ଚେସ୍‌ ମହାସଂଘ ଓ ରାଜ୍ୟ କ୍ରୀଡ଼ା ବିଭାଗକୁ ସଂପାଦକଙ୍କ କଳା କାରନାମା ବିଷୟରେ ଜଣାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି। ସେହିଭଳି ଆଉ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସଂପାଦକ ମାର୍ଚ୍ଚ ପହିଲାରେ ଡାକିଥିବା ସାଧାରଣ ପରିଷଦ ବୈଠକକୁ ଅବୈଧ ଘୋଷଣା କରିଛନ୍ତି।  ସେ ମଧ୍ୟ ଏହି ବୈଠକରୁ ନିବୃତ୍ତ ରହିବାକୁ  ସମସ୍ତ ଜିଲ୍ଲା ଚେସ୍‌ ସଂଘ ଓ ଅନୁବନ୍ଧିତ ସଂଘକୁ ସେ ଆହ୍ବାନ କରିଛନ୍ତି। ଜଣେ ନିଲମ୍ବିତ ସଂପାଦକଙ୍କର କୌଣସି ବୈଠକ ଡାକିବାର ଅଧିକାର ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଶ୍ରୀ ପଟ୍ଟନାୟକ।

ସବୁ ପଇସାର ଖେଳ
ସଂପାଦକ ଭଟ୍ଟ ସୂଚନା ଦେଇଛନ୍ତି ଯେ ଅଲ ଓଡ଼ିଶା ଚେସ୍‌ ସଂଘ (ଏଓସିଏ)ର ବାର୍ଷିକ ବ୍ୟୟ ଅଟକଳ ଏବେ ୧ କୋଟି ଟଙ୍କାରୁ ଅଧିକ। ଗତ ତିନି ବର୍ଷ ମଧ୍ୟରେ ରାଜ୍ୟ ସରକାର ସଂଘକୁ ପ୍ରାୟ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସର୍ବଭାରତୀୟ ଚେସ୍‌ ସଂଘ (ଏଆଇସିଏଫ୍‌) ଗତବର୍ଷ ୭ ଲକ୍ଷ ଟଙ୍କା ଦେଇଥିଲା। ଏହାର ଅର୍ଥ ହେଉଛି ତିନି ବର୍ଷ ମଧ୍ୟରେ ଏଓସିଏ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି, କିନ୍ତୁ ସରକାର ଏବଂ ଏଆଇସିଏଫ୍‌ଠାରୁ ମିଳିତ ଭାବେ ମାତ୍ର ୬୦ ଲକ୍ଷ ଟଙ୍କା ପାଖାପାଖି ମିଳିଛି। ତେବେ କେହି କେବେ ଚିନ୍ତା କରିଛନ୍ତି କି ବିନା ପ୍ରାୟୋଜକରେ ଏତେ ସବୁ ପ୍ରତିଯୋଗିତା କରିବା ସମ୍ଭବ ନୁହେଁ। ବହୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଗୁଡ଼ିକ ଏବଂ ଜିଲ୍ଲା ପ୍ରଶିକ୍ଷଣ ଶିବିର ଆୟୋଜନ କରିଛୁ। ଏହିଭଳି ଅନେକ ପଦକ୍ଷେପ ନିଆଯାଇଛି ଏବଂ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି। ପ୍ରତିଥର ଆମେ ସଫଳତା ହାସଲ କରିଛୁ, ଯଦିଓ କିଛି ଛୋଟମୋଟ ତ୍ରୁଟି ରହିଛି। କେବଳ ସେହି ବ୍ୟକ୍ତି ହିଁ ଏହି ଯନ୍ତ୍ରଣା, ପରିଶ୍ରମ ଏବଂ ଆର୍ଥିକ ବିପଦ ବିଷୟରେ ଜାଣନ୍ତି, ଯିଏ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରନ୍ତି।