କଟକ: ବହୁ ବର୍ଷଧରି ସରକାରୀ ଜମିକୁ ଅନଧିକୃତ ଭାବେ ଦଖଲରେ ରଖିଥିଲେ ବି ଜବରଦଖଲକାରୀ ଏହା ଉପରେ ଆଇନଗତ ଅଧିକାର ପାଇ ପାରିବେ ନାହିଁ। ସରକାରୀ ଜମିରୁ ଜବରଦଖଲ ନିଶ୍ଚିତ ଭାବେ ଉଚ୍ଛେଦ କରାଯିବ। ଏଭଳି ବେଆଇନ ଦଖଲ ପ୍ରସଙ୍ଗରେ ସହଯୋଗ କରୁଥିବା ଓ ପ୍ରଶ୍ରୟ ଦେଉଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ସ୍ଥଳେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜବରଦଖଲ ବିଶେଷ କରି ବହୁ ଅବଧି ପାଇଁ ଅନୁମତି ଦିଆଯିବା ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଉତ୍ତରଦାୟିତ୍ବ ଧାର୍ଯ୍ୟ କରାଯିବା ଉଚିତ। ଅତୀତରେ ହୋଇଥିବା ତ୍ରୁଟି ପାଇଁ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ବହୁ ସମୟରେ ପ୍ରାରମ୍ଭିକ ସ୍ତରରେ ଜବରଦଖଲ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପ୍ରସଙ୍ଗରେ ରାଜସ୍ବ ନିରୀକ୍ଷକ ଓ କ୍ଷେତ୍ରସ୍ତରର ଅଧିକାରୀ ବିଫଳ ହେଉଛନ୍ତି। ସଂଶୋଧନ କରିବା କଷ୍ଟକର ଭଳି ସ୍ଥିତି ଆସିବା ପରେ ପଦକ୍ଷେପ ଗ୍ରହଣ କରାଯାଉଛି।

Advertisment

ଜବରଦଖଲକୁ ପ୍ରଶ୍ରୟ ଦେଉଥିବା ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ସରକାରଙ୍କ ମାଲିକାନାରେ ଥିବା ଜମିର ସୁରକ୍ଷା ସଂପୃକ୍ତ ସରକାରୀ ଅଧିକାରୀଙ୍କ କର୍ତ୍ତବ୍ୟ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଜୟପୁର ପୁରୁଣା ବସଷ୍ଟାଣ୍ଡ ନିକଟ ତଥା ଏସ୍‌ଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସରକାରୀ ଜମିରୁ ଉଚ୍ଛେଦ ସପକ୍ଷରେ ଜଣିକିଆ ଖଣ୍ଡପୀଠ ପ୍ରଦାନ କରିଥିବା ରାୟକୁ ହାଇ‌କୋର୍ଟ କାଏମ ରଖିଛନ୍ତି। ଜଣିକିଆ ଖଣ୍ଡପୀଠଙ୍କ ୨୦୨୫ ଅକ୍ଟୋବର ୩୧ର ରାୟ ବିରୋଧରେ କୋରାପୁଟ ଜିଲ୍ଲା ଘରୋଇ ବସ୍‌ କର୍ମଚାରୀ ୟୁନିୟନ୍‌ ପକ୍ଷରୁ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ୧୦ ଦିନ ଭିତରେ ସଂପୃକ୍ତ ଜମିକୁ ଖାଲି କରି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଥିରେ ଅବହେଳା ହୁଏ ତେବେ ସଂପୃକ୍ତ ଜମିରୁ ଉଚ୍ଛେଦ ସୁନିଶ୍ଚିତ ପାଇଁ ରାଜସ୍ବ କର୍ତ୍ତୃପକ୍ଷଙ୍କୁ କୋରାପୁଟ ଏସ୍‌ପି ଆବଶ୍ୟକ ସହାୟତା ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଓ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ କୋରାପୁଟ ଜିଲ୍ଲା ଘ‌‌ରୋଇ ବସ୍‌ କର୍ମଚାରୀ ୟୁନିୟନ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

Droupadi Murmu: ‘ଆୟୁଷ ବ୍ୟବସ୍ଥା ସାମଗ୍ରିକ ସୁସ୍ଥତା ପାଇଁ ବ୍ୟାପକ ଜୀବନଶୈଳୀ ଢାଞ୍ଚା ପ୍ରଦାନ କରେ’

ମାମଲାର ବିବରଣୀରୁ ପ୍ରକାଶ ଯେ ସଂପୃକ୍ତ ସରକାରୀ ଜମି ଖାଲି କରିବାକୁ ଜୟପୁର ତହସିଲଦାର ୨୦୨୨ ମେ ୧୮ରେ ନୋଟିସ୍‌ ଜାରି କରିଥିଲେ। ଏହି ନୋଟିିସ୍‌କୁ ଚ୍ୟାଲେଞ୍ଜ କରି ସଂପୃକ୍ତ ସଂଘ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। କିନ୍ତୁ ଜମିକୁ ୧୫ ଦିନ ଭିତରେ ଖାଲି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆବେଦନକାରୀଙ୍କୁ ନୂଆ ବସ୍‌ଷ୍ଟାଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଜାଗା ପ୍ରଦାନ ପ୍ରସଙ୍ଗରେ କୋରାପୁଟ ଜିଲ୍ଲାପାଳ ବିଚାର କରିବେ ବୋଲି କହିଥିଲେ। ଜଣିକିଆ ଖଣ୍ଡପୀଠଙ୍କ ୨୦୨୫ ଅକ୍ଟୋବର ୩୧ର ଏହି ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍‌ ଅପିଲ ଦାୟର କରିଥିଲେ।