ହୁବ୍ଲି: ଜମ୍ମୁ କାଶ୍ମୀର ପାଇଁ ୬୭ ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି। ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଜିତି ଐତିହାସିକ ସଫଳତା ହାସଲ କରିଛି ପାରସ୍ ଡୋଗ୍ରାଙ୍କ ନେତୃତ୍ବାଧୀନ ଦଳ। କର୍ଣ୍ଣାଟକର ହୁବ୍ଲିଠାରେ ଖେଳାଯାଇଥିବା ଫାଇନାଲ୍ର ଶନିବାର ଥିଲା ଶେଷ ଦିନ। ଶେଷ ଦିନରେ ଜମ୍ମୁ କାଶ୍ମୀର ୪ ୱିକେଟ୍ ହରାଇ ୩୪୨ ରନ୍ କରି ନିଜର ଦ୍ବିତୀୟ ପାଳି ଘୋଷଣା କରିଥିଲା। କାମରାନ ଇକ୍ବାଲ ଓ ସାହିଲ ଲୋଟ୍ରା ଅପରାଜିତ ଶତକ ଅର୍ଜନ କରିଥିଲେ। ଏହା ସହିତ ମ୍ୟାଚ୍ ଡ୍ର ହୋଇଥିଲା ଓ ପ୍ରଥମ ପାଳି ଅଗ୍ରଣୀ ଅନୁସାରେ ଜମ୍ମୁ କାଶ୍ମୀରକୁ ଚାମ୍ପିଅନ ଘୋଷଣା କରାଯାଇଥିଲା। ଏହି ଐତିହାସିକ ବିଜୟର ସାକ୍ଷୀ ହେବାକୁ ଖୋଦ୍ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା ସେଠାରେ ଉପସ୍ଥିତ ଥିଲେ।
ଅବଦୁଲ୍ଲା ଦେବେ ୨ କୋଟି
ଜମ୍ମୁ କାଶ୍ମୀର ପ୍ରଥମ ଥର ରଣଜୀ ଟ୍ରଫି ଜିତି ଇତିହାସ ରଚିଛି। ଫଳରେ ଏହି ଦଳର ୬୭ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଏଭଳି ବିରଳ ସଫଳତା ପରେ କେନ୍ଦ୍ର ଶାସିତ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଗଦ୍ଗଦ ହୋଇଯାଇଛନ୍ତି। ନିଜ ଖେଳାଳିଙ୍କ ଐତିହାସିକ ପ୍ରଦର୍ଶନରେ ଉଲ୍ଲସିତ ଅବଦୁଲ୍ଲା ୨ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ସେହିଭଳି ଜମ୍ମୁ କାଶ୍ମୀର ଦଳର ଖେଳାଳିଙ୍କୁ ଉତ୍କୃଷ୍ଟ କ୍ରୀଡ଼ାବିତ୍ କୋଟାରେ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରିଛନ୍ତି। ରଣଜୀ ଟ୍ରଫି ବିଜୟ ଜମ୍ମୁ କାଶ୍ମୀର କ୍ରୀଡ଼ା ଦୁନିଆର ସ୍ମରଣୀୟ ମୁହୂର୍ତ୍ତ ଏବଂ ମାଇଲ୍ଖୁଣ୍ଟ ମୋଡ଼ ବୋଲି ଅବଦୁଲ୍ଲା ନିଜ ପ୍ରତିକ୍ରିୟାରେ କହିଛନ୍ତି।
Narendra Modi: ଆମ ସରକାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
ଫେବ୍ରୁଆରି ୨୪ରୁ ଆରମ୍ଭ ହୋଇଥିବା ଫାଇନାଲ୍ରେ ଜମ୍ମୁ କାଶ୍ମୀର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ପାଳିରେ ଶୁଭମ ପୁନ୍ଦିରଙ୍କ ଶତକ (୧୨୧ ରନ୍), ୟାୱର ହାସାନ (୮୮), ପାରସ ଡୋଗ୍ରା (୭୦), ଅବଦୁଲ ସମଦ (୬୧), କହ୍ନେୟା ୱାଧୱାନ (୭୦) ଓ ସାହିଲ ଲୋଟ୍ରା (୭୨)ଙ୍କ ଅର୍ଦ୍ଧଶତକ ବଳରେ ଜମ୍ମୁ କାଶ୍ମୀର ୫୮୪ ରନ୍ କରିଥିଲା। କର୍ଣ୍ଣାଟକ ପକ୍ଷରୁ ପ୍ରସିଦ୍ଧ କୃଷ୍ଣ ୫ଟି ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ କର୍ଣ୍ଣାଟକ ନିଜର ପ୍ରଥମ ପାଳିରେ ମୟଙ୍କ ଅଗ୍ରୱାଲଙ୍କ ଶତକ (୧୬୧) ସତ୍ତ୍ବେ ୨୯୩ ରନ୍ରେ ସୀମିତ ରହିଯାଇଥିଲା। ଏହା ଫଳରେ ଜମ୍ମୁ କାଶ୍ମୀର ପ୍ରଥମ ପାଳିରେ ୨୯୧ ରନ୍ର ଅଗ୍ରଣୀ ନେଇଥିଲା। ଜମ୍ମୁ କାଶ୍ମୀର ପକ୍ଷରୁ ଆକ୍ବିବ୍ ନବି ୫ଟି ୱିକେଟ୍ ନେଇଥିଲେ।
GDP: ସହରୀକରଣ ରାଜ୍ଯ ଜିଡିପିର ଏକ ତୃତୀୟାଂଶ ଅଭିବୃଦ୍ଧି କରିବ: ଉଷା ପାଢୀ
ସଂକ୍ଷିପ୍ତ ସ୍କୋର୍: ଜମ୍ମୁ କାଶ୍ମୀର ପ୍ରଥମ ପାଳି ୧୭୩.୧-ଓଭରରେ-୫୮୪ (ଶୁଭମ ପୁନ୍ଦିର ୧୨୧, ୟାୱେର ହାସନ ୮୮, ସାହିଲ ଲୋତ୍ରା ୭୨, ପାରସ ଡୋଗ୍ରା ୭୦, ଅବଦୁଲ ସମଦ ୬୧, ପ୍ରସିଦ୍ଧ କୃଷ୍ଣ ୫/୯୮, ବିଜୟକୁମାର ବୈଶାକ ୧/୭୫)। କର୍ଣ୍ଣାଟକ ପ୍ରଥମ ପାଳି ୯୩.୩ ଓଭରରେ-୨୯୩ (ମୟଙ୍କ ଅଗ୍ରୱାଲ ୧୬୦, କୃତିକ କୃଷ୍ଣ ୩୬, ଶ୍ରେୟସ୍ ଗୋପାଳ ୨୭, ଆକ୍ବିବ ନବି ୫/୫୪, ସୁନିଲ କୁମାର ୨/୫୧, ଯୁଦ୍ଧବୀର ସିଂହ ୨/୫୫)। ଜମ୍ମୁ କାଶ୍ମୀର ଦ୍ବିତୀୟ ପାଳି ୧୧୩ ଓଭରରେ-୩୪୨/୪ (କାମରାନ ଇକ୍ବାଲ ୧୬୦*, ସାହିଲ ଲୋଟ୍ରା ୧୦୧*, ଅବ୍ଦୁଲ ସମଦ ୩୨, ପ୍ରସିଦ୍ଧ କୃଷ୍ଣ ୨/୪୨)।
Follow Us