ଟି-୨୦ ବିଶ୍ବକପ୍‌: ଭାରତର ପୁଣି ଶୋଚନୀୟ ପରାଜୟ, ୮ ୱିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ

Advertisment
ଟି-୨୦ ବିଶ୍ବକପ୍‌: ଭାରତର  ପୁଣି ଶୋଚନୀୟ ପରାଜୟ, ୮ ୱିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ

ଦୁବାଇ: ଭାରତ ପୁଣି ଥରେ ପରାଜିତ ହୋଇଛି। ଆଇସିସି ଦ୍ୱାରା ପରିଚାଳିତ ଚଳିତ ଟି-୨୦ ପୁରୁଷ ବିଶ୍ୱକପ୍‌ର ଅନ୍ୟତମ ମୁକାବିଲାରେ ନ୍ୟୁଜିଲାଣ୍ଡ ୮ ୱିକେଟ୍‌ରେ ରବିବାର ବିରାଟ ବାହିନୀକୁ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ  କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିଥିଲା। ତେବେ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଭାରତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୧୦ ରନ୍‌ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ୧୧୧ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଏହାକୁ ନ୍ୟୁଜିଲାଣ୍ଡ ୧୪.୩ ଓଭରରେ ୨ଟି ୱିକେଟ ହରାଇ ହାସଲ କରିଛି। ସୂଚନାଯୋଗ୍ୟ, ଭାରତ ଗତ ୨୪ ତାରିଖରେ ପାକିସ୍ତାନ ଠାରୁ ୧୦ ୱିକେଟ୍‌ରେ ପରାସ୍ତ ହୋଇଥିଲା।

publive-image Photo:ICCT20WorldCup Twitter

ନ୍ୟୁଜିଲାଣ୍ଡ ପାଇଁ ମାର୍ଟିନ ଗପଟିଲ ଓ ଡାରିଏଲ ମିଚେଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ଆରମ୍ଭରୁ ଭଲ ଖେଳିଥିଲେ। କ୍ବିୱି ଦଳ ୨୪ ରନ୍‌ରେ ଗପ୍‌ଟିଲ (୨୦ ରନ୍‌)ଙ୍କୁ ହରାଇଥିଲା। ଜସପ୍ରୀତ ବୁମରାଙ୍କ ବଲ୍‌ରେ ଶାର୍ଦ୍ଦୁଲ ଠାକୁରଙ୍କ ଦ୍ବାରା  କ୍ୟାଚ ଆଉଟ୍‌ ହେବା ପୂର୍ବରୁ ଗପଟିଲ ୧୭ଟି ବଲ୍‌ ଖେଳି ୩ଟି ଚୌକା ସହାୟତାରେ ଏହି ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ଦ୍ବିତୀୟ ଝଟକା ଲାଗିଥିଲା। ମିଚେଲ ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ ଜସପ୍ରୀତ ବୁମରାଙ୍କ ବଲ କେଏଲ୍‌ ରାହୁଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। କିନ୍ତୁ ସେ ପାଭଲିଅନକୁ ଫେରିବା ପୂର୍ବରୁ ଦଳକୁ ମଜବୁତ ସ୍ତରକୁ ନେଇଯାଇଥିଲେ। ସେ ୩୫ଟି ବଲ ଖେଳି ୪ ଚୌକା ଓ ୩ ଛକା ବଳରେ ୪୯ ରନ୍‌ କରିଥିଲେ।

ତେବେ ଓପନର ଦ୍ବୟଙ୍କ ଭଲ ପ୍ରଦର୍ଶନ ଫଳରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ସହଜରେ ଜିତିଛି। ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଅପରାଜିତ ୩୩ ରନ୍‌ କରିଥିଲେ। ଏଥିରେ ସେ ୩୧ଟି ବଲ ଖେଳି ୩ଟି ଚୌକା ମାରିଥିଲେ। ସାଥୀ ଖେଳାଳି ଡେଭନ କେନୱେ ୪ଟି ବଲ୍‌ ଖେଳି ୨ ରନ୍‌ କରିଥିଲେ ଓ ଅପରାଜିତ ପାଭଲିଅନ୍‌ ଫେରିଥିଲେ।

publive-image Photo: BCCI twitter

ଟିମ୍‌ ଇଣ୍ଡିଆ ପକ୍ଷରୁ ଇନିଂସ ଆରମ୍ଭ କରିଥିଲେ କେଏଲ୍‌ ରାହୁଲ ଓ ଇଶନ କିଶନ। ଭାରତ ୧୧ ରନ୍‌ରେ ନିଜର ପ୍ରଥମ ୱିକେଟ ଭାବେ ଇଶନ କିଶନଙ୍କୁ ହରାଇଥିଲା। ଯୁବ କ୍ରିକେଟର ଇଶନ କିଶନ ୮ଟି ବଲ୍‌ର ସାମ୍ନା କରି କେବଳ ଗୋଟିଏ ଚୌକା ସହାୟତାରେ ୪ ରନ୍‌ କରି ପାଭଲିଅନ୍‌ ଫେରିଯାଇଥିଲେ। ନ୍ୟୁଜିଲାଣ୍ଡର ୨ୟ ଶିକାର ହୋଇଥିଲେ କେଏଲ୍‌ ରାହୁଲ। ‌୧୬ ଟି ବଲ ଖେଳି ରାହୁଲ ଦଳ ପାଇଁ ୧୮ ରନ୍‌ ଯୋଡ଼ିଥିଲେ। ଏଥିରେ ୩ଟି ଚୌକା ସାମିଲ ଥିଲା। ରୋହିତ ଶର୍ମା ୧୪ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ପରେ କ୍ରିଜକୁ ଆସି ଅଧିନାୟକ ବିରାଟ କୋହଲି ମଧ୍ୟ ନ୍ୟୁଜିଲାଣ୍ଡର ବୋଲରଙ୍କ ଆଗରେ ବିଫଳ ହୋଇଥିଲେ। କୋହଲି ୧୭ଟି ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୯ ରନ୍‌ ସଂଗ୍ରହ କରିଥିଲେ। ଏଥିରେ କୌଣସି ଚୌକା ଅଥବା ଛକା ମଧ୍ୟ ସାମିଲ ନଥିଲା। ଟିମ୍‌ ଇଣ୍ଡିଆ ପାଇଁ ଋଷଭ ପନ୍ତ ବ୍ୟକ୍ତିଗତ ଭାବେ ୧୨ ରନ୍‌ କରିଥିଲେ। ଏଥି ପାଇଁ ସେ ୧୯ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୪ଟି ବଲ୍‌ ଖେଳି ୨୩ ରନ୍‌ କରିଥିଲେ। ଏଥିରେ ସ‌େ ‌ଗୋଟିଏ ଚୌକା ମାରିଥିଲେ। ଶାର୍ଦ୍ଦୁଲ ଠାକୁର ୩ଟି ବଲ୍‌ ଖେଳି କୌଣସି ରନ୍‌ ନକରି ପାଭଲିଅନ୍‌କୁ ଫେରିଥିଲେ। ରବୀନ୍ଦ୍ର ଜାଦେଜା ଦଳପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୨୬ ରନ୍‌ ସଂଗ୍ରହ କରିଥିଲେ। ସେ ଅପରାଜିତ ରହି ପାଭଲିଅନ୍‌କୁ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe