Image courtesy: tkbsen
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ) ଓ ଶ୍ରୀଲଙ୍କା ପରେ ନ୍ୟୁଜିଲାଣ୍ଡ୍ ମଧ୍ୟ ଆଇପିଏଲ୍ ଆୟୋଜନ ଦୌଡ଼ରେ ସାମିଲ ହୋଇଛି। କୋଭିଡ୍-୧୯ ମହାମାରୀ ପାଇଁ ଏହି ବିଲିଅନ୍ ଡଲାର୍ ଲିଗ୍ର ଭାଗ୍ୟ ଅନିଶ୍ଚିତତାରେ ରହିଛି। କିନ୍ତୁ ବିସିସିଆଇ କୌଣସି ଆୟୋଜକ ରାଷ୍ଟ୍ର ଚୟନ ପୂର୍ବରୁ ଆଇସିସିର ଟି-୨୦ ବିଶ୍ବକପ୍ ନିଷ୍ପତ୍ତିକୁ ଅପେକ୍ଷା କରିଛି। ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ବିଶ୍ବକପ୍ ହେବାର ରହିଛି। କିନ୍ତୁ ସଦ୍ୟତମ ସୂଚନା ଅନୁସାରେ ବିଶ୍ବକପ୍ ବାତିଲ ହେବା ସମ୍ଭାବନା ବଢ଼ିଛି। ଏଭଳି କ୍ଷେତ୍ରରେ ବିସିସିଆଇ ସେପ୍ଟେମ୍ବର ଶେଷରୁ ନଭେମ୍ବର ପ୍ରାରମ୍ଭ ମଧ୍ୟରେ ଆଇପିଏଲ୍ କରାଇନେବା ଯୋଜନାରେ ରହିଛି। କାରଣ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ସର୍ବାଧିକ କରୋନା ସଂକ୍ରମିତ ଦେଶ ରହିଛି। ନିଜ ନାମକୁ ଗୋପନ ରଖି ଜଣେ ବିସିସିଆଇ ଅଧିକାରୀ କହିଛନ୍ତି ‘ଭାରତରେ ଆଇପିଏଲ୍ କରାଇବା ପ୍ରଥମ ପସନ୍ଦ ରହିଛି, କିନ୍ତୁ ଏହା ସୁରକ୍ଷିତ ନଥିବାରୁ ଆମେ ବିଦେଶ ବିକଳ୍ପ ଉପରେ ନଜର ରଖିଛୁ। ୟୁଏଇ, ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ୍ ଆମକୁ ପ୍ରସ୍ତାବ ଦେଇଛନ୍ତି। ପ୍ରାୟୋଜକ, ଦଳ ଆଦି ସହିତ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଖେଳାଳିଙ୍କ ସୁରକ୍ଷା ପ୍ରାଥମିକତା ପାଇବ।’
ସୂଚନାଯୋଗ୍ୟ, ଅତୀତରେ ମଧ୍ୟ ଆଇପିଏଲ୍ ୨ ଥର ବିଦେଶରେ ଆୟୋଜିତ ହୋଇଥିଲା। ୨୦୦୯ରେ ସାଧାରଣ ନିର୍ବାଚନ ପାଇଁ ଦକ୍ଷିଣ ଆଫ୍ରିକାରେ ଏବଂ ୨୦୧୪ରେ ସମାନ କାରଣରୁ ଅଂଶିକଭାବେ ୟୁଏଇରେ ଖେଳାଯାଇଥିଲା। ଗତବର୍ଷର ସାଧାରଣ ନିର୍ବାଚନ ସତ୍ତ୍ବେ ବିସିସିଆଇ ବିଭିନ୍ନ ରାଜ୍ୟର ନିର୍ବାଚନ ତାରିଖକୁ ନଜରରେ ରଖି ସଫଳତାର ସହ କରାଇ ନେଇଥିଲା। ଚଳିତ ବର୍ଷର ସଂସ୍କରଣ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାର ଥିଲେ ମଧ୍ୟ କୋଭିଡ୍-୧୯ ପାଇଁ ଅନିଶ୍ଚିତତା ଭିତରେ ରହିଛି। ବିଦେଶରେ ହେଲେ ୟୁଏଇ କିନ୍ତୁ ଦୃଢ଼ ଦାବିଦାର ରହିବ। ନ୍ୟୁଜିଲାଣ୍ଡ୍ରେ କରାଗଲେ ମ୍ୟାଚ୍କୁ ଅପରାହ୍ନ ୧୨.୩୦ରୁ ଖେଳାଯିବ। ଯଦ୍ବାରା କର୍ମକ୍ଷେତ୍ରରେ ଥିବା ଲୋକମାନେ ଦେଖିବାରୁ ବଞ୍ଚିତ ହେବେ। ହାମିଲଟନ୍ରୁ ଅକଲାଣ୍ଡ୍ ସଡକ ଯୋଗାଯୋଗରେ ସମ୍ଭବ ହୋଇପାରିବ। କିନ୍ତୁ ୱେଲିଂଟନ୍, ଖ୍ରୀଷ୍ଟଚର୍ଚ, ନାପିଏର୍ ଓ ଡୁନେଡିନ୍ରେ ଖେଳାଗଲେ ବିମାନ ଭ୍ରମଣର ଆବଶ୍ୟକତା ରଖିବ। ଖୁବ୍ ଶୀଘ୍ର ଆଇପିଏଲ୍ ପରିଚାଳନା ପରିଷଦ ବୈଠକ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଯାଉଛି। ବୈଠକରେ ମଧ୍ୟ ଆଇପିଏଲ୍ର ମୁଖ୍ୟ ପ୍ରାୟୋଜକ ଭିଭୋ ସହ ଚୁକ୍ତିକୁ ନେଇ ଆଲୋଚନା ହେବ। ଭାରତ-ଚୀନ ସୀମା ଉତ୍ତେଜନା କାରଣରୁ ଚାଇନିଜ୍ ପ୍ରାୟୋଜକ ଭିଭୋର ଭାଗ୍ୟ ମଧ୍ୟ ନିର୍ଣ୍ଣୟ କରାଯିବ। ୨୦୨୨ ମସିହା ପର୍ଯ୍ୟନ୍ତ ବାର୍ଷିକ ୪୪୦ କୋଟିରେ ଭିଭୋ ଚୁକ୍ତିବଦ୍ଧ ରହିଛି। ସେହିଭଳି ଆଇପିଏଲ୍ ସହିତ ସମ୍ପୃକ୍ତ ପେଟିଏମ୍ ଭାରତୀୟ କମ୍ପାନି ହୋଇଥିଲେ ମଧ୍ୟ ଏଥିରେ ଚାଇନିଜ୍ ପୁଞ୍ଜି ନିବେଶ ରହିଛି।
ଲାହୋର: ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ବାତିଲ କିମ୍ବା ସ୍ଥଗିତ ହେବାର ସମ୍ଭାବନା ଦିନକୁ ଦିନ ବଢ଼ି ଚାଲିଛି। ତା’ ସହ ଏହି ସମୟରେ ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ଆୟୋଜନ କରିବାକୁ ବିସିସିଆଇକୁ ଆଇସିସି ଅନୁମତି ଦେବାର ସମ୍ଭାବନା ବି ବଢ଼ି ବଢ଼ି ଚାଲିଛି। ବିଶ୍ବକପ୍ ପାଇଁ ନିର୍ଦ୍ଧାରିତ ହୋଇଥିବା ସମୟ ବା ଝରକାକୁ ଆଇପିଏଲ୍କୁ ପ୍ରଦାନ କରିବାକୁ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ ଉଲ୍ ହକ୍ କିନ୍ତୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି। ଆଇସିସି ଏଭଳି କଲେ ନାନା ପ୍ରଶ୍ନ ଉଠିବ ବୋଲି ସେ ଚେତାବନୀ ଦେଇଛନ୍ତି। ‘‘ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ଓ ଆଇପିଏଲ୍ ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ବାତିଲ କରିଦିଆଯିବାର ଖବର ପ୍ରକାଶ ପାଇଛି। ବିସିସିଆଇ ବହୁତ ଶକ୍ତିଶାଳୀ। ଆଇସିସି ଉପରେ ମଧ୍ୟ ଏହାର ନିୟନ୍ତ୍ରଣ ରହିଛି। ଅଷ୍ଟ୍ରେଲିଆ ଯଦି କୁହେ, କୋଭିଡ୍-୧୯ ମହାମାରୀ ପାଇଁ ଆମେ ବିଶ୍ବକପ୍ ଆୟୋଜନ କରିବାକୁ ସମର୍ଥ ହେବୁନୁ। ତାହାଲେ ଏହାକୁ ଅତି ସହଜରେ ଗ୍ରହଣ କରି ନିଆଯିବ। ଯଦି ଏହି ସମୟ ଭିତରେ ଅନ୍ୟ କୌଣସି ପ୍ରତିଯୋଗିତା ଆୟୋଜିତ ହୁଏ, ତାହାଲେ ପ୍ରଶ୍ନ ଉଠିବା ସ୍ବାଭାବିକ। ଲୋକମାନେ ଭାବିବେ କୌଣସି ଦେଶ ୧୨ କିମ୍ବା ୧୪ ଦଳକୁ (ପ୍ରକୃତରେ ୧୬) ଆତିଥେୟତା ପ୍ରଦାନ କରିପାରେ, ତାହାଲେ ଆଇସିସି କାହିଁକି ସେମାନଙ୍କ ଦେଖାଶୁଣା କରି ପାରିବ ନାହିଁ। ଅଷ୍ଟ୍ରେଲିଆ ଭଳି ବିକଶିତ ଦେଶରେ ଏହା ବହୁତ ବଡ଼ ସମସ୍ୟା ହେବ ବୋଲି ମୁଁ ଭାବୁନି। ଆଉ ଏକ କଥା ହେଲା ଆଇସିସିକୁ କୌଣସି ଘରୋଇ ଲିଗ୍କୁ ଅଗ୍ରାଧିକାର ଦେବାକୁ ଅନୁମତି ମିଳିବା ଉଚିତ ନୁହେଁ। ଏହା ଦ୍ବାରା ଯୁବ ଖେଳାଳିମାନେ ଅନ୍ତର୍ଜାତୀୟ କ୍ରିକେଟ୍ ଅପେକ୍ଷା ଘରୋଇ ଲିଗ୍ ଖେଳିବାକୁ ଅଧିକ ଆକର୍ଷିତ ହେବେ’’ ବୋଲି ଇଞ୍ଜମାମ ନିଜ ଯୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି। ତେବେ ସାଂପ୍ରତିକ ସ୍ଥିତିରେ ୧୬ଟି ଅନ୍ତର୍ଜାତୀୟ ଦଳକୁ ଆତିଥେୟତା ପ୍ରଦାନ କରିବା ସହଜ ହେବନି ବୋଲି ଶେଷରେ ସ୍ବିକାର କରିଥିଲେ ସେ। ସେପ୍ଟେମ୍ବର ମାସରେ ହେବାକୁ ଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ନେଇ ମଧ୍ୟ ଇଞ୍ଜି ମୂଲ୍ୟବାଦ ମନ୍ତବ୍ୟ ଦେଇଛନ୍ତି। ଏଥିନେଇ ସେ କହିଛନ୍ତି ଯେ ଆଇସିସି, ଏସୀୟ କ୍ରିକେଟ୍ ପରିଷଦ ଏବଂ ସମସ୍ତ ଦେଶର କ୍ରିକେଟ୍ ବୋର୍ଡ ଏକାଠି ହୋଇ କୌଣସି ଘରୋଇ କ୍ରିକେଟ୍ ଲିଗ୍କୁ ଅଗ୍ରାଧିକାର ଦିଆଯିବ ନାହିଁ ବୋଲି ସ୍ପଷ୍ଟ ବାର୍ତ୍ତା ଦେବା ଦରକାର। ଏସିଆ କପ୍କୁ ବାତିଲ କିମ୍ବା ସ୍ଥଗିତ ରଖିବା ସପକ୍ଷରେ ସେ ନଥିବା ସଙ୍କେତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏସିଆ କପ୍ ଆୟୋଜନ ଅଧିକାର ପାକିସ୍ତାନ ପାଇଛି।
Follow Us