ଆଇସିସି ଇଭେଣ୍ଟ୍‌ରେ ଭାରତ ପାଇଁ ନ୍ୟୁଜିଲାଣ୍ଡ ବିପଜ୍ଜନକ

Advertisment

୨୦୦୩ ପରଠୁ ଜିତିନି ଭାରତ, ଟ୍ବେଣ୍ଟି-୨୦ରେ ବି ପଛୁଆ

୨୦୦୩ ପରଠୁ ଜିତିନି ଭାରତ, ଟ୍ବେଣ୍ଟି-୨୦ରେ ବି ପଛୁଆ

ଆଇସିସି ଇଭେଣ୍ଟ୍‌ରେ ଭାରତ ପାଇଁ ନ୍ୟୁଜିଲାଣ୍ଡ ବିପଜ୍ଜନକ

howtowatch.co.nz

ଦୁବାଇ : ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ୍ ଦଳ ତା’ର ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଚଳିତ ଅକ୍ଟୋବର ୩୧ ଅର୍ଥାତ୍ ଆସନ୍ତା ରବିବାର ଖେଳାଯିବାକୁ ଥିବା ଏହି ମୁକାବିଲା କୋହଲି ବାହିନୀ ପାଇଁ ଢେର ଗୁରୁତ୍ବ ରଖିବ। କାରଣ ସାଧାରଣତଃ ଚର୍ଚ୍ଚାରୁ ଦୂରେଇ ରହୁଥିବା ନ୍ୟୁଜିଲାଣ୍ଡ ଆଇସିସି ଇଭେଣ୍ଟ ଗୁଡ଼ିକରେ ଭାରତ ପାଇଁ ସବୁବେଳେ ବଡ଼ ବିପଦ ଭାବେ ଉଭା ହୋଇଛି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ହେଉକି ୨୦୧୯ ବିଶ୍ବକପ୍ ସେମିଫାଇନାଲ୍, ନ୍ୟୁଜିଲାଣ୍ଡ ବଡ଼ ମ୍ୟାଚ୍‌ରେ ଭାରତକୁ ହରାଇବାର ଅନେକ ଉଦାହରଣ ରହିଛି। ଏଣୁ ନିଜ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନର ପ୍ରଥମ ମୁକାବିଲାରେ ପାକିସ୍ତାନଠାରୁ ୧୦ ୱିକେଟ୍‌ରେ ହାରିଥିବା ଭାରତୀୟ ଦଳକୁ ବିଜୟ ଖାତା ଖୋଲିବାକୁ ହେଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ।

ନ୍ୟୁଜିଲାଣ୍ଡ ସବୁବେଳେ ବ୍ୟକ୍ତିଗତ ଚମକ ଅପେକ୍ଷା ଦଳଗତ ପ୍ରଦର୍ଶନ ଉପରେ ନିର୍ଭରଶୀଳ ଥାଏ। ଯାହା ଏହି ଦଳକୁ ଅଧିକ ବିପଜ୍ଜନକ କରିଥାଏ। ସେଥିପାଇଁ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ନ୍ୟୁଜିଲାଣ୍ଡ ସବୁବେଳେ ସ୍ଥିର ପ୍ରଦର୍ଶନ ଦେଇ ଆସିଛି। ଏପରିକି ୨୦୦୩ ମସିହାରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡକୁ ହରାଇବା ପରଠାରୁ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ଭାରତ ଆଉ ନ୍ୟୁଜିଲାଣ୍ଡକୁ ହରାଇନି। ସେବେ‌ଠାରୁ ନ୍ୟୁଜିଲାଣ୍ଡ ସମ୍ମୁଖରେ ଖେଳିଥିବା ପ୍ରତ୍ୟେକ ଆଇସିସି ଇଭେଣ୍ଟ ମ୍ୟାଚ୍‌ରେ ଭାରତ ପରାଜିତ ହୋଇ ଆସିଛି।

ଟ୍ବେଣ୍ଟି-୨୦‌ରେ ମଧ୍ୟ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଢେର ଭଲ ରହିଛି। ଉଭୟ ଦଳ ପରସ୍ପର ବିପକ୍ଷରେ ୧୬ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ସେଥିମଧ୍ୟରୁ ନ୍ୟୁଜିଲାଣ୍ଡ ୮ ଏବଂ ଭାରତ ମାତ୍ର ୬ ମ୍ୟାଚ୍ ଜିତିଛି। ଗତ କିଛି ବର୍ଷ ହେବ ଆଇସିସି ପ୍ରତିଯୋଗିତାରେ ଭାରତୀୟ ଦଳର ଦୁର୍ବଳ ପ୍ରଦର୍ଶନ ନ୍ୟୁଜିଲାଣ୍ଡକୁ ଅଧିକ ଉତ୍ସାହିତ କରିବ। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍-୨ରେ ଭାରତ ସହ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ, ସ୍କଟଲାଣ୍ଡ ଓ ନାମିବ୍ୟା ଅଛନ୍ତି। ସେଥିମଧ୍ୟରୁ ଶୀର୍ଷ ଦୁଇ ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିବେ। ଯଦି ନ୍ୟୁଜିଲାଣ୍ଡକୁ ହରାଇବାକୁ ଭାରତ ଅସମର୍ଥ ହୁଏ, ତାହାଲେ ଶୀର୍ଷ ୪ ଦୌଡ଼ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe