ୱେଲିଂଟନ୍ ଟେଷ୍ଟ୍‌: ଈଶାନ୍ତ ଲଢ଼ିଲେ, ତଥାପି ନ୍ୟୁଜିଲାଣ୍ଡ୍‌ ଦୃଢ଼

Advertisment

ପନ୍ତ୍‌ଙ୍କ ରନ୍‌ ଆଉଟ୍ ଟର୍ନିଂ ପଏଣ୍ଟ୍‌

ପନ୍ତ୍‌ଙ୍କ ରନ୍‌ ଆଉଟ୍ ଟର୍ନିଂ ପଏଣ୍ଟ୍‌

ୱେଲିଂଟନ୍ ଟେଷ୍ଟ୍‌: ଈଶାନ୍ତ ଲଢ଼ିଲେ, ତଥାପି ନ୍ୟୁଜିଲାଣ୍ଡ୍‌ ଦୃଢ଼

Hindustan Times

ୱେଲିଂଟନ୍‌: ଭାରତୀୟ ବୋଲରଙ୍କ ବି‌ଳମ୍ବିତ ସଫଳତା ସତ୍ତ୍ବେ ୱେଲିଂଟନ୍ ଟେଷ୍ଟ୍‌ରେ ଘରୋଇ ନ୍ୟୁଜିଲାଣ୍ଡ୍ ନିଜ ସ୍ଥିତି ଦୃଢ଼ ରଖିଛି। ଭାରତର ପ୍ରଥମ ପାଳିକୁ ମାତ୍ର ୧୬୫ ରନ୍‌ରେ ଶେଷ କରିଦେବା ପରେ ଦ୍ବିତୀୟ ଦିନ ଖେଳ ସୁଦ୍ଧା ୫ ୱିକେଟ୍‌ ବିନିମୟରେ ୨୧୬ ରନ୍ କରିନେଇଛି ଘରୋଇ ଦଳ। ଈଶାନ୍ତ ଶର୍ମା ୩ ୱିକେଟ୍‌ ନେଇ ଭ୍ରମଣକାରୀ ଦଳର ଆଶା ଉଜ୍ଜୀବିତ କରିଛନ୍ତି। କେନ୍ ୱିଲିୟମ୍‌ସନଙ୍କ ଦଳ କିନ୍ତୁ ହାତରେ ୫ ୱିକେଟ୍‌ ଥାଇ ୫୧ ରନ୍‌ର ଅଗ୍ରଣୀ ନେଇସାରିଛି।

ପ୍ରଥମ ଦିନ ଭଳି ଶନିବାର ବର୍ଷା କିନ୍ତୁ ବାଧା ଆଣିନଥିଲା। ଆଲୋକ ଅଭାବରୁ ଅବଶ୍ୟ ଶେଷ ଭାଗରେ ଆଗୁଆ ଖେଳ ବନ୍ଦ ରଖିବାକୁ ପଡ଼ିଥିଲା। ଦିନସାରା ମୋଟ ୮୪.୨ ଓଭର ବୋଲିଂ ସମ୍ଭବ ହୋଇଥିଲା। ଶନିବାର ଭାରତ ୧୨୨/୫ରୁ ଖେଳିଥିଲା। ରାହାଣେ (୪୬, ୧୩୮ ବଲ୍‌, ୫ ଚୌକା) ମାତ୍ର ୮ ରନ୍ ଯୋଡ଼ିପାରିଥିଲେ। ରାହାଣେଙ୍କ ପୂର୍ବରୁ କିନ୍ତୁ ଋଷବ ପନ୍ତ୍ (୧୯, ୫୩ ବଲ୍‌, ୧ ‌ଚୌକା, ୧ ଛକା)ଙ୍କ ରନ୍‌ ଆଉଟ୍ ଭାରତ ପାଳିକୁ ବଡ଼ ଝଟ୍‌କା ଦେଇଥିଲା। ପରବର୍ତୀ ବଲ୍‌ରେ ହିଁ ଅଶ୍ବିନଙ୍କୁ ସାଉଦି ବୋଲ୍ଡ କରି‌ ଦେଇଥିଲେ। ପନ୍ତ୍‌ଙ୍କ ରନ୍‌ ଆଉଟ୍ ସହିତ ଭାରତ ନିଜର ଶେଷ ୫ ୱିକେଟ୍‌କୁ ମାତ୍ର ୩୩ ରନ୍‌ ଭିତରେ ହରାଇ ଦେଇଥିଲା। ଈଶାନ୍ତ ଶର୍ମାଙ୍କୁ ଜାମିସନ୍‌ ନିଜ ଚତୁର୍ଥ ଶିକାର କରିଥିଲେ। ମହମ୍ମଦ ସାମି (୨୧, ୨୦ ବଲ୍‌, ୩ ଚୌକା)ଙ୍କୁ ସାଉଦି ଶେଷ ଖେଳାଳି ଭାବେ ଆଉଟ୍ କରି ଭାରତ ପାଳିକୁ ୧୬୫ ରନ୍‌ରେ ସୀମିତ ରଖିଥିଲେ। ପ୍ରଥମ ପଦାର୍ପଣ ପାଳିରେ ୪ ୱିକେଟ୍ ନେଇ କାଇଲ୍ ଜାମିସନ୍‌ ଭାରତର ସର୍ବାଧିକ କ୍ଷତି ଘଟାଇଥିଲେ। ଟିମ୍ ସାଉଦି ମଧ୍ୟ ୪ ୱିକେଟ୍ ସଫଳତା ପାଇଥିଲେ।

ମଧ୍ୟାହ୍ନ ଭୋଜନ ପୂର୍ବରୁ ୮ ଓଭର ଖେଳିଥିବା ନ୍ୟୁଜିଲାଣ୍ଡ୍‌କୁ ବିରତି ପରେ ଯୁଗଳ ଝଟ୍‌କା ଦେଇଥିଲେ ଈଶାନ୍ତ ଶର୍ମା। ଟମ୍ ଲଥାମ (୧୧) ଏବଂ ଟ୍ରେଣ୍ଟ୍‌ ବ୍ଲଣ୍ଡେଲ୍‌ (୩୦)ଙ୍କୁ ଈଶାନ୍ତ ଦଳୀୟ ସ୍କୋର୍‌ ୭୩ ବେଳକୁ ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ। ଏହି ସମୟରେ କିନ୍ତୁ ଅଧିନାୟକ କେନ୍ ୱିଲିୟମସନ୍‌ (୮୯, ୧୫୩ ବଲ୍‌, ୧୧ ଚୌକା) ଏବଂ ପୂର୍ବତନ ଅଧିନାୟକ ରସ୍ ଟେଲର୍ (୪୪, ୭୧ ବଲ୍‌, ୬‌‌ ଚୌକା, ୧ ଛକା) ୯୭ ରନ୍‌ର ଭାଗୀଦାରି କରି ନେଇଥିଲେ। ଚା’ପାନ ବିରତି ପରେ ରସ୍ ଟେଲରଙ୍କୁ ଈଶାନ୍ତ ଶର୍ମା ଆଉଟ୍ କରି ଭାରତକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ୱିଲୟମସନ୍‌ଙ୍କ ପାଳିକୁ ମହମ୍ମଦ ସାମି ଆଗକୁ ବଢ଼ିବାକୁ ଦେଇନଥିଲେ। ହେନରି ନିକୋଲ୍‌ସଙ୍କୁ ଅଶ୍ବିନ୍‌ ନିଜର ଏକମାତ୍ର ଶିକାର କରିଥିଲେ। ୱିକେଟ୍‌ରକ୍ଷକ ବିଜେ ୱାଟଲିଙ୍ଗ୍ (୧୪*, ୨୯ ବଲ୍‌) ଏବଂ କଲିନ୍ ଗ୍ରାଣ୍ଡ୍‌ହୋମ୍‌ (୪*) ଅପରାଜିତ ରହି ନ୍ୟୁଜିଲାଣ୍ଡ୍‌କୁ ବଡ଼ ଅଗ୍ରଣୀ ଦେବା ଆଶାରେ ରହିଛନ୍ତି।

ପନ୍ତ୍‌ଙ୍କ ରନ୍‌ ଆଉଟ୍ ଟର୍ନିଂ ପଏଣ୍ଟ୍‌
ୱେଲିଂଟନ୍‌: ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ଟିମ୍ ସାଉଦିଙ୍କ ବିଶ୍ବାସ ଋଷଭ ପନ୍ତ୍‌ଙ୍କ ରନ୍‌ ଆଉଟ୍ ହିଁ ଭାରତ ପାଳିକୁ ସଅଳ ଶେଷ କରିବାରେ ଟର୍ନିଂ ପଏଣ୍ଟ୍ ହୋଇଥିଲା। ପନ୍ତ୍‌ ସକାଳେ ଛକା ମାରି ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ରାହାଣେଙ୍କ ଦୁର୍ବଳ ଡାକରା ପାଇଁ ରନ୍‌ ଆଉଟ୍ ହୋଇଯାଇଥିଲେ। ରାହାଣେଙ୍କ ୱିକେଟ୍‌ ପାଇଁ କିଛି ଯୋଜନା ଥିଲା ବୋଲି ପ୍ରଶ୍ନ ହେବାରୁ ସାଉଦି କହିଥିଲେ, ‘ସେଭଳି କିଛି ନୁହେଁ, ପନ୍ତ୍‌ଙ୍କ ରନ୍‌ ଆଉଟ୍ ହିଁ ସକାଳର ବଡ଼ ମୋଡ଼ ଥିଲା। ସେ ଜଣେ ବିପଜ୍ଜନକ ଖେଳାଳି। ଦ୍ବିତୀୟ ନୂଆ ବଲ୍‌ରେ ସେ ଦ୍ରୁତ ରନ୍‌ ସଂଗ୍ରହ କରିପାରିଥାନ୍ତେ। ଆମେ ଜାଣିଥିଲୁ ଗୋଟିଏ ୱିକେଟ୍ ନେଇ ଗଲେ ଜିଙ୍କ୍‌ସ (ଅଜିଙ୍କ୍ୟ ରାହାଣେ) ନିଶ୍ଚିତ ଆକ୍ରମଣାତ୍ମକ ଖେଳିବେ। ଦୁଇ ଜଣ ଭଲ‌ ବ୍ୟାଟ୍‌ସମ୍ୟାନ୍‌ ଥିଲେ ମଧ୍ୟ ଆମେ ସକାଳେ ଭଲ ବୋଲିଂ କରିଥିଲୁ। ଏବେ ପ୍ରଥମ ପାଳି ନିଶ୍ଚିତ ନିର୍ଣ୍ଣାୟକ ହେବ। କାରଣ ବେସିନ୍ ରିଜର୍ଭରେ ଟର୍ନ ମିଳିବା ଆରମ୍ଭ ହୋଇଛି। ସାଧାରଣତଃ ଏଠାରେ ଦ୍ବିତୀୟ ଦିନରୁ ମିଳିନଥାଏ। ପରବର୍ତୀ ଦିନଗୁଡିକ ବଲ୍‌ କିଭଳି ଖେଳିବ ‌ମୁଁ ନିଶ୍ଚିତ ନୁହେଁ ବୋଲି ଶନିବାର ୪ ୱିକେଟ୍‌ ସଫଳତା ପାଇଥିବା ସାଉଦି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe