ହଫିଜଙ୍କ ୯୯* ସତ୍ତ୍ବେ ପାକିସ୍ତାନ ପରାସ୍ତ, ନ୍ୟୁଜିଲାଣ୍ଡ୍‌ ଜିତିଲା ଶୃଙ୍ଖଳା

Advertisment
ହଫିଜଙ୍କ ୯୯* ସତ୍ତ୍ବେ ପାକିସ୍ତାନ ପରାସ୍ତ, ନ୍ୟୁଜିଲାଣ୍ଡ୍‌ ଜିତିଲା ଶୃଙ୍ଖଳା

Samaa TV

ହାମିଲଟନ୍: ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ହାଫିଜଙ୍କ ଆକର୍ଷଣୀୟ ୯୯* ରନ୍ ସତ୍ତ୍ବେ ପାକିସ୍ତାନ ପୁଣି ପରାଜୟ ବରଣ କରିଛି। ରବିବାର ଅନୁଷ୍ଠିତ ନ୍ୟୁଜିଲାଣ୍ଡ୍ ବିପକ୍ଷ ଦ୍ବିତୀୟ ଟି-୨୦ରେ ସଦାବ ଖାନ୍‌ଙ୍କ ଦଳ ୯ ୱିକେଟ୍‌ରେ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ଘରୋଇ ନ୍ୟୁଜିଲାଣ୍ଡ୍‌ ଆଉ ଏକ ସହଜ ବିଜୟ ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି। ହାଫିଜଙ୍କ ୯୯* ରନ୍‌କୁ ଟିମ୍ ସିଫର୍ଟଙ୍କର ୮୪* ରନ୍‌ ଫିକା ପକାଇ ଦେଇଥିଲା। ତେବେ ସୁନ୍ଦର ବୋଲିଂ କରିଥିବା ଟିମ୍ ସାଉଦି (୪-୦-୨୧-୪) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ରବିବାର ପାକିସ୍ତାନ ଟସ୍ ଜିତି ପ୍ରଥମ‌େ ବ୍ୟାଟିଂ କରିଥିଲା। ମାତ୍ର ୫୬ ରନ୍ ବେଳକୁ ପାକିସ୍ତାନ ୪ ୱିକେଟ୍ ହରାଇ ଦେଇଥିଲା। ୪୦ ବର୍ଷୀୟ ମହମ୍ମଦ ହାଫିଜ୍‌ ଗୋଟିଏ ପାର୍ଶ୍ବରେ ଲଢ଼େଇ ଜାରି ରଖି ୫୭ ବଲ୍‌ରୁ ୯୯* ରନ୍ କରିଥିଲେ। ଏହା ମଧ୍ୟରେ ୧୦ ଚୌକା ଓ ୫ ଛକା ମଧ୍ୟ ସାମିଲ ଥିଲା। ପାକିସ୍ତାନ ପାଳିର ଦ୍ବିତୀୟ ସର୍ବାଧିକ ୨୨ ରନ୍‌ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜୱାନ କରିଥିଲେ। ଟିମ୍ ସାଉଦିଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ପାକିସ୍ତାନ ବଡ଼ ସ୍କୋର୍‌ କରିପାରିନଥିଲା। ନିର୍ଧାରିତ ୨୦ ଓଭରରେ ଭ୍ରମଣକାରୀ ଦଳ ୧୬୩/୬ରେ ସୀମିତ ରହିଥିଲା। ହାଫିଜ୍‌ (୯୯*) ନିଜ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ଶତକରୁ ବଞ୍ଚିତ ରହିଥିଲେ।

ଜବାବରେ ନ୍ୟୁଜିଲାଣ୍ଡ୍‌ ୧୯.୨ ଓଭରରେ ୧ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରି ନେଇଥିଲା। ମାର୍ଟିନ ଗପ୍ଟିଲ୍‌ (୨୧, ୧୧ ବଲ୍‌) ସଅଳ ଆଉଟ୍ ହୋଇଯାଇଥିଲେ ମଧ୍ୟ ପ୍ରଥମ ୱିକେଟ୍ ପାଇଁ ୩୫ ରନ୍‌ ଉଠାଇଥିଲେ। ଏହା ପରେ ପିତୃତ୍ବ ଅବକାଶରୁ ଫେରିଥିବା ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ପାଳି ଗଢ଼ିବା କାମରେ ଲାଗି ୪୨ ବଲରୁ ୫୭* ରନ୍ କରିଥିଲେ। ପାଳି ସାରା ବ୍ୟାଟିଂ କରି ଟିମ୍ ସିଫର୍ଟ କିନ୍ତୁ ମାତ୍ର ୩୨ ବଲ୍‌ରୁ ଅର୍ଧଶତକ ହାସଲ କରି ୮୪* ରନ୍‌ରେ ଅଭିଯାନ ଶେଷ କରିଥିଲେ। ୬୩ ବଲ୍ ସମ୍ମୁଖୀନ ହୋଇ ୮ ଚୌକା ଓ ୩ ଛକାର ସହାୟତା ନେଇଥିଲେ। ଗତବର୍ଷ ଭାରତ ବିପକ୍ଷରେ ହାସଲ କରିଥିବା ୮୪ ରନ୍ ସହ ମଧ୍ୟ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପାଳିର ସମକକ୍ଷ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୨୦ ଓଭରରେ ୧୬୩/୬ (ମହମ୍ମଦ ହାଫିଜ୍‌-୯୯*, ମହମ୍ମଦ ରିଜୱାନ-୨୨, ଟିମ୍ ସାଉଦି-୪/୨୧, ଜେମ୍ସ ନିଶାମ-୧/୧୦, ଈଶ‌ ସୋଢ଼ୀ-୧/୨୧)। ନ୍ୟୁଜିଲାଣ୍ଡ୍‌ ୧୯.୨ ଓଭରରେ ୧୬୪/୧ (ମାର୍ଟିନ ଗପ୍ଟିଲ୍-୨୧, ଟିମ୍ ସିଫର୍ଟ-୮୪*, କେନ୍‌ ୱିଲିୟମ୍‌ସନ୍‌-୫୭*, ଫହିମ୍ ଅସ୍ରଫ-୧/୧୯)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe