୩୬ ବର୍ଷ ପରେ ଭାରତରେ ଟେଷ୍ଟ୍‌ ଜିତିଲା ନ୍ୟୁଜିଲାଣ୍ଡ

Advertisment

ନ୍ୟୁଜିଲାଣ୍ଡର ସାଢ଼େ ତିନି ଦଶନ୍ଧି ତଳର ସ୍ବପ୍ନ ଶେଷରେ ପୂରଣ ହୋଇଛି। ବେଙ୍ଗାଲୁରୁର ବର୍ଷା ପ୍ରଭାବିତ ମୁକାବିଲାକୁ ୮ ୱିକେଟ୍‌ରେ ଜିତି କିୱି ବାହିନୀ ୧୯୮୮ ମସିହା ପରେ ପ୍ରଥମ ଥର ଭାରତରେ କୌଣସି ଏକ ଟେଷ୍ଟ୍ ଜିତିବାର ଗୌରବମୟ ସଫଳତା ଲାଭ କରିଛି।

ନ୍ୟୁଜିଲାଣ୍ଡର ସାଢ଼େ ତିନି ଦଶନ୍ଧି ତଳର ସ୍ବପ୍ନ ଶେଷରେ ପୂରଣ ହୋଇଛି। ବେଙ୍ଗାଲୁରୁର ବର୍ଷା ପ୍ରଭାବିତ ମୁକାବିଲାକୁ ୮ ୱିକେଟ୍‌ରେ ଜିତି କିୱି ବାହିନୀ ୧୯୮୮ ମସିହା ପରେ ପ୍ରଥମ ଥର ଭାରତରେ କୌଣସି ଏକ ଟେଷ୍ଟ୍ ଜିତିବାର ଗୌରବମୟ ସଫଳତା ଲାଭ କରିଛି।

gdjgdjgjgj

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡର ସାଢ଼େ ତିନି ଦଶନ୍ଧି ତଳର ସ୍ବପ୍ନ ଶେଷରେ ପୂରଣ ହୋଇଛି। ବେଙ୍ଗାଲୁରୁର ବର୍ଷା ପ୍ରଭାବିତ ମୁକାବିଲାକୁ ୮ ୱିକେଟ୍‌ରେ ଜିତି କିୱି ବାହିନୀ ୧୯୮୮ ମସିହା ପରେ ପ୍ରଥମ ଥର ଭାରତରେ କୌଣସି ଏକ ଟେଷ୍ଟ୍ ଜିତିବାର ଗୌରବମୟ ସଫଳତା ଲାଭ କରିଛି। ଏହି ବହୁପ୍ରତୀକ୍ଷିତ ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ମଧ୍ୟ ୧-୦ରେ ଆଗୁଆ ହୋଇଯାଇଛି। ସେହିଭଳି ଏହା ମଧ୍ୟ ହେଉଛି ଭାରତୀୟ ମାଟିରେ ନ୍ୟୁଜିଲାଣ୍ଡର ତୃତୀୟ ବିଜୟ। ଭାରତ‌ରେ ନ୍ୟୁଜିଲାଣ୍ଡ ୧୯୬୯ ମସିହାରେ ଭାରତକୁ ନାଗପୁରରେ ପ୍ରଥମ ଥର ୧୬୭ ରନ୍‌ରେ ହରାଇଥିଲା। ଏହାର ୧୯ ବର୍ଷ ପରେ ୧୯୮୮ ମସିହାରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଦ୍ବିତୀୟ ବିଜୟ ପାଇଥିଲା। 
ବେଙ୍ଗାଲୁରୁରେ ମାତ୍ର ୧୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ବର୍ଷା କିମ୍ବା ଅତ୍ୟନ୍ତ ଖରାପ ପାଗ ଭାରତ ପାଇଁ ଏକମାତ୍ର ଭରସା ଥିଲା।

ହେଲେ ପାଗ କୋହଲା ରହିଥିଲେ ମଧ୍ୟ ଠିକଣା ସମୟରେ ସୂର୍ଯ୍ୟ ଦେବତା ନ୍ୟୁଜିଲାଣ୍ଡକୁ ସହାୟତାର ହାତ ବଢ଼ାଇଥିଲେ। ଥରେ ଖେଳ ଆରମ୍ଭ ହେବା ପରେ କଅଁଳ ଖରା ଲାଗି ରହିଥିଲା। ସେହିଭଳି ଯଶପ୍ରୀତ ବୁମ୍‌ରା ଆଜି ପ୍ରଥମ ଓଭରର ଶେଷ ବଲ୍‌ରେ ଟମ୍ ଲଥାମଙ୍କୁ ଆଉଟ୍ କରି ଭାରତ ଶିବରରେ ଯେଉଁ ଖୁସି ଭରିଥିଲେ। ତାହା ୱିଲ୍ ୟଙ୍ଗ (୪୮*) ଏବଂ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ରଙ୍କ ଦୃଢ଼ ଆତ୍ମବିଶ୍ବାସ ଓ ଏକାଗ୍ରତା ଭରା ପାଳିରେ ଖୁବଶୀଘ୍ର ଉଭେଇ ଯାଇଥିଲେ। ଅନ୍ୟତମ ଓପନର୍‌ ଡେଭନ୍ କନୱେ (୧୭)ଙ୍କୁ ବୁମ୍‌ରା ନିଜ ଦ୍ବିତୀୟ ଶିକାର କରିଥିଲେ। ‌ସେତେବେଳକୁ ନ୍ୟୁଜିଲାଣ୍ଡର ସ୍କୋର୍ ଥିଲା ୩୫ ରନ୍। ତେବେ ୟଙ୍ଗ ଓ ରାଚିନ ଅଭିଜ୍ଞସଂପନ୍ନ ତାରକାଙ୍କ ଭଳି ବ୍ୟାଟିଂ କରି ଅବିଭାଜିତ ତୃତୀୟ ୱିକେଟ୍‌ରେ ୭୫ ରନ୍ ଯୋଡ଼ିଥିଲେ। ଫଳରେ ନ୍ୟୁଜିଲାଣ୍ଡ ମାତ୍ର ୨୭.୪ ଓଭରରେ ୧୦୭ ରନ୍‌ର ଲକ୍ଷ୍ୟକୁ ସଗୌରବେ ହାସଲ କରି ନିଜ କ୍ରିକେଟ୍‌ ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଥିଲା। ୨୦୦୦ ମସିହା ପରେ ପ୍ରଥମ ଥର କୌଣସି ଭ୍ରମଣକାରୀ ଦଳ ବି ଭାରତରେ ୧୦୦ରୁ ଅଧିକ ରନ୍‌କୁ ସଫଳତାର ସହ ପଶ୍ଚାତଧାବନ କରିଥିଲା। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବୀମୀ ଷ୍ଟାଡିୟମ୍‌ରେ ନିଜ ଅଭୁଲା ଛାପ ଛାଡ଼ି ରାଚିନ (୧୩୪, ୩୯*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥି‌ଲେ। 

ବେଙ୍ଗାଲୁରୁ ରାଚିନଙ୍କ ପିତା ରବି କୃଷ୍ଣମୂର୍ତ୍ତିଙ୍କ ଜନ୍ମସ୍ଥଳୀ ହୋଇଥିବାରୁ ଏହି ପୁରସ୍କାର ସବୁବେଳେ ତାଙ୍କ ହୃଦୟର ନିକଟତର ହୋଇ ରହିବ ବୋଲି ଉଲ୍ଲସିତ ରାଚିନ କହିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ପାଳିରେ ୪୬ ରନ୍‌ରେ ଅଲଆଉଟ୍ ହେବା ହିଁ ଭାରତ ପରାଜୟର ମୁଖ୍ୟ କାରଣ ବୋଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ସ୍ବୀକାର କରିଛନ୍ତି। ମହାରାଷ୍ଟ୍ରର ପୁଣେଠାରେ ଚଳିତ ଅକ୍ଟୋବର ୨୪ରୁ ୨୮ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ରେ ଭାରତ ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ  ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପରାଜୟ ପରେ କିନ୍ତୁ ଭାରତର ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍‌ ପ୍ରବେଶ ପଥ କିନ୍ତୁ ବଂଧୁର ହୋଇଛି। ଆଗାମୀ ୭ଟି ଟେଷ୍ଟ୍‌ (ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଏବଂ ଅଷ୍ଟ୍ରେଲିଆ ବିପକ୍ଷ ୫ଟି)ରୁ ଅନ୍ୟୂନ ଚାରିଟି ଜିତିବା ଭାରତ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇଯାଇଛି। ସୂଚନାଯୋଗ୍ୟ, ଅପ୍ରତ୍ୟାଶିତ ଫଳାଫଳ ମିଳିଥିବା ବେଙ୍ଗାଲୁରୁ ଟେଷ୍ଟ୍‌ରେ ଭାରତ ଟସ୍ ଜିତି ବ୍ୟାଟିଂ କରିବା ବୁମେରାଂ ସାବ୍ୟସ୍ତ ହୋଇଥିଲା।

ଘରୋଇ ମାଟିରେ ସର୍ବନିମ୍ନ ଦଳଗତ ସ୍କୋର୍ କରିବାର ଅଲୋଡ଼ା ରେକର୍ଡ କରି ରୋହିତ ବାହିନୀ ମାତ୍ର ୪୬ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ରାଚିନଙ୍କ ଶତକୀୟ ପାଳି ବଳରେ ୪୦୨ ରନ୍ କରି ୩୫୬ ରନ୍‌ରେ ଆଗୁଆ ରହିଥିଲା। ଦ୍ବିତୀୟ ପାଳିରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୪୬୨ ରନ୍‌ ସମ୍ମାନଜନକ ସ୍କୋର୍ ହାସଲ କରିଥିଲା। ତେବେ ନ୍ୟୁଜିଲାଣ୍ଡଠାରୁ ମାତ୍ର ୧୦୬ ରନ୍‌ରେ ଆଗୁଆ ରହି ଚତୁର୍ଥ ଦିନରେ ହିଁ ଏକପ୍ରକାର ମ୍ୟାଚ୍ ହାରିଥିଲା। ରବିବାର ବେଙ୍ଗାଲରୁରେ ବର୍ଷା ହେବାର ୭୦ ପ୍ରତିଶତ ସମ୍ଭାବନା ଥିଲା। ସକାଳ ୯ଟା ପୂର୍ବରୁ କିଛି ମିନିଟ୍ ପାଇଁ ବର୍ଷା ବି ହୋଇଥିଲା। ଏଥିଲାଗି ଖେଳ ପାଖାପାଖି ୪୫ ମିନିଟ୍ ବିଳମ୍ବରେ ଆରମ୍ଭ ‌ହୋଇଥିଲା। ତେବେ ଥରେ ଖେଳ ଆରମ୍ଭ ହେବା ପରେ ଆଉ କୌଣସି ବ୍ୟାଘାତ ‌ହୋଇ ନଥିଲା। ଫଳରେ ନ୍ୟୁଜିଲାଣ୍ଡ‌ ସୁରୁଖୁରୁରେ ବିଜୟର ଔପଚାରିକତା ପୂରଣ କରିଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୪୬। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୪୦୨। ଭାରତ ଦ୍ବିତୀୟ ପାଳି: ୪୬୨। ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳି: ୨୭.୪ ଓଭରରେ ୧୧୦/୨ (ୱିଲ୍ ୟଙ୍ଗ ୪୮*, ରାଚିନ ରବୀନ୍ଦ୍ର ୩୯*, ଯଶପ୍ରୀତ୍ ବୁମ୍‌ରା ୨/୨୯)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe