ଗାଁ ପରିମଳକୁ ସୁଧାରୁଛନ୍ତି ନିର୍ମଳ

Advertisment
ଗାଁ ପରିମଳକୁ ସୁଧାରୁଛନ୍ତି ନିର୍ମଳ

ମେଲି: ଦିନ ଥିଲା ଫୁଟବଲ୍ ପଡ଼ିଆରେ ସେ ନିଜ ଯାଦୁ ଦେଖାଉଥିଲେ। କ୍ରୀଡ଼ା ଦକ୍ଷତା ମାଧ୍ୟମରେ ଦେଶ ସେବା କରୁଥିଲେ। ଏବେ ବି ସେ ଦେଶ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ହେଲେ ଟିକିଏ ନିଆରା ଢଙ୍ଗରେ। କରୋନା ଯୋଦ୍ଧା ଭାବେ  ଗାଁ ପରିମଳ ବ୍ୟବସ୍ଥାକୁ ସୁଧାରିବାରେ ଲାଗିଛନ୍ତି। ଅନ୍ୟକୁ ଅନୁପ୍ରେରିତ ମଧ୍ୟ କରୁଛନ୍ତି। ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ରକ୍ଷଣଭାଗ ଖେଳାଳି ନିର୍ମଳ ଛେତ୍ରୀ ସିକିମର ମେଲି ସହରରେ ତିନି ଦିନିଆ ପରିମଳ ଅଭିଯାନ ଆୟୋଜନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ମେଲି ତାଙ୍କ ନିଜ ସହର ହୋଇଥିଲା ବେଳେ ନିର୍ମଳ ଏହାକୁ ସ୍ବଚ୍ଛ  ଓ ସୁରକ୍ଷିତ ରଖିବା ଲାଗି ଅଣ୍ଟା ଭିଡ଼ିଛନ୍ତି। କିଛି ପୂର୍ବତନ ବରିଷ୍ଠ ଖେଳାଳି ତଥା ସାଙ୍ଗସାଥୀଙ୍କୁ ନେଇ ସେ ଏହି ଅଭିଯାନ ଚଳାଇଛନ୍ତି। ମିଳିମିଶି ରାସ୍ତା ଘାଟ, ଗଳି କନ୍ଦି, ବ୍ୟାଙ୍କ, ଏଟିଏମ୍, ପୁଲିସ ଥାନା, ମୁଖ୍ୟ ବଜାର ସହ ମେଲି ସହରର ପ୍ରତ୍ୟେକ ୱାର୍ଡରେ ଥିବା ଘରର ପରିସରକୁ ସଫାସୁତରା କରୁଛନ୍ତି। ମେଲି ସହରରେ ଫୁଟ୍‌ବଲ୍‌ ପ୍ରତିଭାର ଚିହ୍ନଟ ଓ ସେମାନଙ୍କ ବିକାଶ ଲାଗି ଦୁଇ ବର୍ଷ ତଳେ ନିର୍ମଳଙ୍କ ଉଦ୍ୟମରେ ଏଫ୍‌ସି ମେଲି ନାମକ ଏକ ଫୁଟବଲ୍ କ୍ଲବ୍ ଗଠିତ ହୋଇଥିଲା। ଏହି କ୍ଲବ୍‌ର ଖେଳାଳିମାନେ ଏବେ ତାଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ନିଜ ଗାଁ ଓ ସହରକୁ ସ୍ବଚ୍ଛ, ଅଳିଆ ମୁକ୍ତ କରିବାରେ ଲାଗି ପଡ଼ିଛନ୍ତି। ୨୯ ବର୍ଷୀୟ ନିର୍ମଳ ୨୦୧୧ ମସିହାରେ ଭାରତୀୟ ବରିଷ୍ଠ ଫୁଟବଲ୍ ଦଳରୁ ଖେଳିବା ଆରମ୍ଭ କରିଥିଲେ। ଭାରତ ପକ୍ଷରୁ ସେ ୧୯ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ମଧ୍ୟ  ମୋହନ ବାଗାନ, ଇଷ୍ଟବେଙ୍ଗଲ, ମହମ୍ମଡାନ୍, ଏଫ୍‌ସି ଗୋଆ ଭଳି ଦଳର ପ୍ରତିନିଧିତ୍ବ କରିଛନ୍ତି।

ପରିମଳ ଅଭିଯାନ ସହ କୋଭିଡ୍-୧୯ର ସଙ୍କଟଜନକ ପରିସ୍ଥିତିରେ ଗରିବ ଲୋକଙ୍କୁ ଆର୍ଥିକ ସହଯୋଗ ମଧ୍ୟ କରୁଛନ୍ତି। ସିକିମର ଫୁଟବଲ୍ ଖେଳାଳି ସଞ୍ଜୁ ପ୍ରଧାନ, ବିକାଶ ଜାଇରୁ, ରବିନ ଗୁରୁଙ୍ଗ ଓ ନିର୍ମଳ ମିଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ପରିମଳ ଅଭିଯାନ ବିଷୟରେ ମତ ରଖିବାକୁ ଯାଇ ସେ କହିଛନ୍ତି ଯେ ଆମେ ଚଳିତ ମାସ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ। ଏହା ସଫଳତାର ସହ ଶେଷ ହୋଇଥିବାରୁ ମୋତେ ବହୁତ ଖୁସି ଲାଗୁଛି।  ମୋର ପିଛି ବନ୍ଧୁ ଓ ପରିବାରବର୍ଗ ଏଥିରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଆମେ ମଧ୍ୟ ସ୍ଥାନୀୟ ଅଞ୍ଚଳର କିଛି ଫୁଟ୍‌ବଲ୍ ପଡ଼ିଆକୁ ସଫା କରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe