ପିତାଙ୍କ ଅପହରଣ କଥା ଜାଣି ବି ଖେଳିଥିଲେ ନାଇଜେରିଆ ଅଧିନାୟକ

Advertisment
ପିତାଙ୍କ ଅପହରଣ କଥା ଜାଣି ବି ଖେଳିଥିଲେ ନାଇଜେରିଆ ଅଧିନାୟକ

ସେଣ୍ଟପିଟର୍ସବର୍ଗ: ଗତ ସପ୍ତାହର ଆର୍ଜେଣ୍ଟିନା ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ର ଠିକ୍‌ ଚାରି ଘଣ୍ଟା ପୂର୍ବରୁ ନାଇଜେରିଆ ଅଧିନାୟକ ଜନ୍‌ ଓବି ମିକେଲଙ୍କ ପିତାଙ୍କୁ କିଛି ଅସାମାଜିକ ତତ୍ତ୍ୱ ଅପହରଣ କରି ନେଇଥିଲେ। ମିକେଲ ଏକଥା ଜାଣିମଧ୍ୟ କାହାକୁ କିଛି ନ କହି ପଡ଼ିଆକୁ ଓହ୍ଲାଇ ୯୦ ମିନିଟ୍‌ ଧରି ମ୍ୟାଚ୍‌ ଖେଳିଥିଲେ। ମନର କୋହ ସେ ମନରେ ଚାପି ରଖିଥିଲେ। ମଙ୍ଗଳବାର ନିଜେ ମିକେଲ ଏହି ଚାଞ୍ଚଲ୍ୟକର ତଥ୍ୟ ଉପରୁ ପରଦା ଉଠାଇଛନ୍ତି। ମୋ ପିତା ବଦମାସଙ୍କ ପାଖରେ ବନ୍ଧକ ଥିଲା ବେଳେ ମୁଁ ମ୍ୟାଚ୍‌ ଖେଳିଥିଲି। ଦୁଃଖ ଏବଂ ମାନସିକ ଆଘାତକୁ ଚାପି ରଖିଥିଲି। ମ୍ୟାଚ୍‌ ଆରାମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଅପହରଣକାରୀ ଫୋନ୍‌ କରି ମୋତେ ଏହି ବିଷୟରେ ଜଣାଇଥିଲେ। ଏକ ନିର୍ଦିଷ୍ଟ ଅଙ୍କର ଅର୍ଥ ନଦେଲେ ସେମାନେ ମୋ ପିତାଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ। ଟିମ୍‌ ବସ୍‌ରେ ବସି ମନେ ମନେ ବହୁତ କାନ୍ଦିଥିଲି।

ହେଲେ ଖେଳିବାକୁ ନିଜ କର୍ତବ୍ୟ ଭାବି ପଡ଼ିଆକୁ ଓହ୍ଲାଇଥିଲି। କାରଣ ମୁଁ ୧୮ କୋଟି ନାଇଜେରୀୟଙ୍କ ଆଶା ଏବଂ ଆକଂକ୍ଷାକୁ ପୂରଣ କରିବାକୁ ଚାହୁଁଥିଲି। ମୋ ଦେଶର ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠାରୁ ବଡ଼ କଥା ବୋଲି ସେହି ଦିନର ଦୁଃଖଦ ଅଧ୍ୟାୟ କଥା ବର୍ଣ୍ଣନା କରି ମିକେଲ କହିଛନ୍ତି। ଏପରିକି ଏହି ବିଷୟରେ ନାଇଜେରିଆ ଫୁଟବଲ୍‌ ସଂଘର କୌଣସି ଅଧିକାରୀଙ୍କୁ ମଧ୍ୟ ସେ ଜଣାଇ ନଥିବା ସୂଚନା ଦେଇଥିଲେ। ତେବେ ସୌଭାଗ୍ୟବଶତଃ ପୁଲିସର ହସ୍ତକ୍ଷେପ ପରେ ପରଦିନ ଅପରାହ୍ନରେ ମିକେଲଙ୍କ ପିତା ଅପହରଣକର୍ତାଙ୍କ କବଳରୁ ମୁକୁଳି ଯାଇଥିଲେ। ସେଥିପାଇଁ ସେ ପୁଲିସକୁ ଧନ୍ୟବାଦ ଦେଇଛନ୍ତି। ତାଙ୍କ ପିତା କିନ୍ତୁ ଏହି ମାନସିକ ଆଘାତରୁ ସହଜରେ ବାହାରି ପାରୁ ନାହାନ୍ତି। ସେ ସଂପ୍ରତି ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି। ଦୁର୍ଭାଗ୍ୟଜନକ ଭାବେ ନାଇଜେରିଆ ସେହି ମ୍ୟାଚକୁ ୧-୨ ଗୋଲ୍‌ରେ ହାରି ଯାଇଥିଲା। ତା’ ସହ ନାଇଜେରିଆ ଚଳିତ ବିଶ୍ୱକପରୁ ବିଦାୟ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe