୩ ନମ୍ବର ଗ୍ୟାଲେରିରେ ଏଲ୍‌ଇଡି ପରଦା:ମ୍ୟାଚ୍‌ ଦେଖିବାରୁ ବଞ୍ଚିତ ହେବେ ୧୮୦ ଦର୍ଶକ

Advertisment
୩ ନମ୍ବର ଗ୍ୟାଲେରିରେ ଏଲ୍‌ଇଡି ପରଦା:ମ୍ୟାଚ୍‌ ଦେଖିବାରୁ ବଞ୍ଚିତ ହେବେ ୧୮୦ ଦର୍ଶକ

କଟକ: ଶୃଙ୍ଖଳିତ ଭାବେ ମ୍ୟାଚ ଦେଖିବା ପାଇଁ ଦର୍ଶକମାନଙ୍କ ଆଗରେ ନେଟ୍‌ ବନ୍ଧାଯାଇଛି। ଏଥିସହିତ ସିଟ୍‌ ନମ୍ବର ମଧ୍ୟ କରାଯାଇଛି। କିନ୍ତୁ ଏତେସବୁ ବ୍ୟବସ୍ଥା ସତ୍ତ୍ୱେ ପ୍ରାୟ ୧୮୦ ଜଣ ଦର୍ଶକ ମ୍ୟାଚ ଦେଖିବାରୁ ବଞ୍ଚିତ ହେବେ। ବାରବାଟୀ ଷ୍ଟାଡିୟମର ୩ ନମ୍ବର ଗ୍ୟାଲେରୀରେ ଏଲ୍‌ଇଡି ପରଦା ଲଗାଯାଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ୟାଲେରୀର ଡବ୍ଲୁ, ଏକ୍ସ, ଓ୍ଵାଇ, ଜେଡ୍‌, ଏଏ, ଏବି, ଏସି ଓ ଏଡି ଧାଡ଼ିର ୧୫ରୁ ୩୭ ନମ୍ବର ପର୍ଯ୍ୟନ୍ତ ବସିବା ସ୍ଥାନ ଉପରେ ଉକ୍ତ ଏଲ୍‌ଇଡି ପରଦା ଲଗାଯାଇଛି।

ଫଳରେ ପ୍ରାୟ ୧୮୦ଜଣ ଦର୍ଶକ ଏଠାରେ ଆଉ ବସିବାର ସୁଯୋଗ ପାଇବେ ନାହିଁ। ପୂର୍ବରୁ ଟିକେଟ ବିକ୍ରିରେ ହେର୍‌ଫେର୍‌ କରି ଓସିଏ କର୍ତ୍ତୃପକ୍ଷ ବିବାଦୀୟ ହୋଇପଡ଼ିଥିଲାବେଳେ ଏବେ ଦର୍ଶକଙ୍କ ବସିବା ସ୍ଥାନରେ ଏଲ୍‌ଇଡି ଲାଇଟ୍‌ ଲଗାଯାଇଥିବାରୁ ସେମାନଙ୍କୁ କେମିତି ବସାଇବା ବ୍ୟବସ୍ଥା କରାଯିବ ତାହା ବି ଚିନ୍ତା କରାଯାଉନାହିଁ। ବାରବାଟୀ ମ୍ୟାଚରେ ୩ନମ୍ବର ଗ୍ୟାଲେରୀର ଚାହିଦା ସବୁଠୁ ଅଧିକ ଥାଏ। ଏହା ନେଟ୍ସର ପାଖ ହୋଇଥିଲାବେଳେ ପଡ଼ିଆ ମଧ୍ୟ ଗ୍ୟାଲେରିଠୁ ନିକଟତର ଥାଏ। ଏଥିପାଇଁ ଏହି ଗ୍ୟାଲେରୀ ଟିକେଟର ଦାମ୍‌ ୬୦୦ ଟଙ୍କା ରଖାଯାଇଛି। ହେଲେ ଟିକେଟ କିଣି ମ୍ୟାଚ ଦେଖିବାକୁ ଆସିଥିଲେ ବି ଉକ୍ତ ସିଟ୍‌ର ଦର୍ଶକମାନେ ନିରାଶ ହେବା ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe