Sportstar - The Hindu
ନୂଆଦିଲ୍ଲୀ : ଟେକନିକ୍ ହେଉ କି ରନ୍ ସ୍କୋରିଂ, ଚାପ ପରିସ୍ଥିତି ହେଉ କି ପଶ୍ଚାତଧାବନ। ଶତକ ହାସଲ କରିବାର କଳା ସମ୍ଭବତଃ ସଚିନ ତେନ୍ଦୁଲକରଙ୍କଠାରୁ ଅଧିକ କେହି କରିପାରିନାହାନ୍ତି। ଏଥିପାଇଁ ତାଙ୍କୁ ସର୍ବତ୍ର ଆଧୁନିକ ଯୁଗ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିବେଚନା କରାଯାଏ। ସଚିନଙ୍କ ସମ୍ପର୍କରେ ନିଜ ବ୍ୟକ୍ତିଗତ ମତ ରଖି ଅନ୍ୟତମ କିଂବଦନ୍ତି ବ୍ୟାଟ୍ସମ୍ୟାନ୍ ସୁନିଲ ଗାଭାସ୍କର କହିଛନ୍ତି, 'ମୁଁ ଅନେକ ଖେଳାଳିଙ୍କୁ ଦେଖିଛି, କିନ୍ତୁ ସଚିନଙ୍କ ଭଳି ଜଣେ ସମ୍ପୂର୍ଣ୍ଣ କ୍ରିକେଟର୍ ଦେଖିନାହିଁ। ଏପରିକି ତାଙ୍କ ନିକଟତର କେହି ହୋଇପାରିନାହାନ୍ତି। ମୁଁ ଖେଳିବା ଦିନଠାରୁ ଦେଖିଛି, ପରେ କ୍ରିକେଟ୍କୁ ବି ପାଖରୁ ପରଖିଛି। କିନ୍ତୁ ସଚିନଙ୍କ ବ୍ୟାଟିଂ ପରଫେକ୍ସନ୍ ଅନ୍ୟ କାହାରି ନିକଟରେ ପାଇନାହିଁ ବୋଲି ନିଜ ସମୟରେ ମହାନ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଥିବା ସୁନିଲ ପ୍ରକାଶ କରିଥିଲେ। ସୁନିଲ ଗାଭାସ୍କର ବିଶ୍ବର ପ୍ରଥମ ଖେଳାଳି ଭାବେ ୧୦,୦୦୦ ରନ୍ ପୂର୍ଣ୍ଣ କରିଥିଲେ, ସର୍ବାଧିକ ଶତକ (୩୪)ର ଅଧିକାରୀ ଥିଲେ। ଉଭୟ କୀର୍ତ୍ତିମାନ ଏବେ ସଚିନଙ୍କ ନାମରେ ରହିଛି। 'ସଚିନଙ୍କ ବ୍ୟାକ୍ଲିଫ୍ଟ, ମୁଣ୍ଡର ପୋଜିସନ୍, ଫ୍ରଣ୍ଟଫୁଟ୍, ଫରୱାର୍ଡ, ବ୍ୟାକ୍ଫୁଟ, ଅନ୍ସାଇଡ୍ ଓ ଅଫସାଇଡ୍ ଖେଳରେ ସନ୍ତୁଳନ ଥିଲା। ଟି-୨୦ କ୍ରିକେଟ୍ ଆସିବା ପରେ ସେ ସ୍କୁପ୍ ସଟ୍ ଓ ପୁଲ୍ ବି ଭଲ ଖେଳିଥିଲେ। ତାଙ୍କ ନିକଟରେ ସବୁକିଛି ଥିଲା ବୋଲି ଗାଭାସ୍କର ପ୍ରକାଶ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ କ୍ରିକେଟ୍କୁ ଆସିଥିବା ସଚିନ ୨୦୦ ଟେଷ୍ଟ୍ ଓ ୪୬୩ ଦିନିକିଆ ଖେଳି ଯଥାକ୍ରମେ ୧୫,୯୨୧ ଓ ୧୮,୪୨୬ ରନ୍ କରିଥିଲେ। ସଚିନଙ୍କ ୧୦୦ ଅନ୍ତର୍ଜାତୀୟ ଶତକ (୫୧ ଟେଷ୍ଟ୍, ୪୯ ଦିନିକିଆ) ଏବେ ବି ଅତୁଟ ରହିଛି।
Follow Us