ଏବେ ମୋ କୀର୍ତ୍ତିମାନ ପ୍ରତି ବିପଦ ନାହିଁ: ବୋଲ୍ଟ

Advertisment
ଏବେ ମୋ କୀର୍ତ୍ତିମାନ ପ୍ରତି ବିପଦ ନାହିଁ: ବୋଲ୍ଟ

ନ୍ୟୁୟର୍କ: ବିଶ୍ବ ଦୌଡ଼କୁଦରେ ସୁପରହ୍ୟୁମାନ ଆଖ୍ୟା ପାଇଥିବା ଜାମାଇକା ଧାବକ ଉସେନ୍‌ ବୋଲ୍ଟ ୮ ବର୍ଷ ପରେ ପୁଣି ଅଲିମ୍ପିକ୍ସକୁ ଫେରୁଛନ୍ତି। କିନ୍ତୁ ଏ‌ଥର ସେ ପ୍ରତିଦ୍ବନ୍ଦ୍ବିତା କରୁ ନାହାନ୍ତି ବରଂ ପ୍ରତିଯୋଗିତାକୁ ଉପଭୋଗ କରିବାକୁ ଆସୁଛନ୍ତି। ୧୦୦ ଓ ୨୦୦ ମିଟରରେ ସେ ଲଗାତାର ତିନିଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପାଇ କୀର୍ତ୍ତିମାନ ରଚିଥିଲା ବେଳେ ୨୦୦୯ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ୧୦୦ ମିଟରରେ ୯.୫୮ ସେକେଣ୍ଡ ଓ ୨୦୦ ମିଟରରେ ୧୯.୧୯ ସେକେଣ୍ଡ ସମୟ ନେଇଥିଲେ, ଏହି କୀର୍ତ୍ତିମାନ ଏବେବି ଅତୁଟ ଅଛି। କିନ୍ତୁ ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସରେ ବୋଲ୍ଟଙ୍କ କୌଣସି କୀର୍ତ୍ତିମାନ ପ୍ରତି ବିପଦ ନଥିବା ସେ ଏକ ସାକ୍ଷାତକାରରେ କହିଛନ୍ତି। ଆସନ୍ତା ମାସରୁ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଆରମ୍ଭ ହେବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ମଧ୍ୟ ବୋଲ୍ଟ ଆମ୍ବାସଡର ଭାବେ ନିୟୋଜିତ ହୋଇଛନ୍ତି।

ବିଶ୍ବ ଦୌଡ଼କୁଦ ଚିତ୍ରରେ ଏବେ ୫ଜଣ ଧାବକ ବୋଲ୍ଟଙ୍କ ନିକଟତର ହୋଇଛନ୍ତି। ଯାହାମଧ୍ୟରେ ଆମେରିକାର ଖ୍ରୀଷ୍ଟିଆନ୍‌ ମିଲର ଓ କେଣ୍ଡାଲ୍‌ ୱିଲିୟମ୍ସ (ଉଭୟଙ୍କ ସମୟ ୯.୯୩ ସେକେଣ୍ଡ) ୧୦ ସେକେଣ୍ଡ ତଳେ ଦୌଡ଼ିଛନ୍ତି। ସେହିପରି ଚଳିତ ଋତୁରେ ୨୦୦ ମିଟରରେ ଆମେରିକାର କେନିଥ୍‌ ବେଡ୍‌ନାରେକ୍‌ (୧୯.୬୭ ସେକେଣ୍ଡ) ଦ୍ରୁତତମ ଧାବକ ହୋଇଛନ୍ତି। ଏବେ ଏମାନଙ୍କୁ ବୋଲ୍ଟ ସବୁବେଳେ ନିରୀକ୍ଷଣ କରୁଛନ୍ତି। କିନ୍ତୁ ଫଳାଫଳ କ’ଣ ଆସୁଛି, ସେଥିପାଇଁ ଜୁଲାଇ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏବେ କିନ୍ତୁ ଏହି ଧାବକମାନେ ପ୍ରଦର୍ଶନରେ ଉନ୍ନତି କରୁଥିବା ଦେଖିପାରୁଛି। କିନ୍ତୁ ତାଙ୍କ କୀର୍ତ୍ତିମାନ ଏସବୁଠୁ ବହୁ ଦୂରରେ ବୋଲି ବୋଲ୍ଟ କହିଛନ୍ତି।

ଭାରତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ସ ସ୍ବର୍ଣ୍ଣ କଥା ମନେପକାଇ ବୋଲ୍ଟ କହିଛନ୍ତି, ଯେତେବେଳେ ସେ ସ୍ବର୍ଣ୍ଣ ଜିତିବା ଦେଖିଲି, ସେତେବେଳେ ଏହା ତାଙ୍କ ପାଇଁ ଓ ଭାରତ ପାଇଁ ବହୁତ ବଡ଼ କଥା। ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ବହୁତ ଗୌରବର ବିଷୟ। ଏତେବାଟ ପର୍ଯ୍ୟନ୍ତ ଆସିବା ପାଇଁ‌ ନୀରଜ ଯେଉଁ କଠିନ ପରିଶ୍ରମ କରିଛନ୍ତି ସେଥିପାଇଁ ସେ ଗର୍ବିତ ହେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe