ରୋହିତ-ବିରାଟଙ୍କୁ କେହି ଅବସର ଦେଇପାରିବେ ନାହିଁ: ଯୋଗରାଜ ସିଂହ

ରୋହିତ-ବିରାଟଙ୍କୁ କେହି ଅବସର ଦେଇପାରିବେ ନାହିଁ। ଦୁବାଇରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ପ୍ରଶଂସା କରିବା ସହ ଏଭଳି କହିଲେ ପୂର୍ବତନ ଭାରତୀୟ କ୍ରିକେଟର ଯୋଗରାଜ ସିଂହ।

trohitwaq

ନୂଆଦିଲ୍ଲୀ: ମାତ୍ର କିଛି ମାସ ଭିତରେ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତୀୟ ଦଳର ଦୁଇ ବରିଷ୍ଠ ଖେଳାଳି ହିଟ୍‌ମ୍ୟାନ୍ ରୋହିତ ଶର୍ମା ଏବଂ କିଂବଦନ୍ତି ବିରାଟ କୋହଲି ସବୁଠୁ ଅଧିକ ସମାଲୋଚିତ ହୋଇଥିଲେ। ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ନେଇ ମଧ୍ୟ ଘୋର ଆଶଙ୍କା ସୃଷ୍ଟି ହୋଇଥିଲା। ଚାମ୍ପିଅନ୍ସ ଟ୍ରଫିରେ ଭାରତର ଐତିହାସିକ ବିଜୟ କିନ୍ତୁ ରୋହିତ ଓ କୋହଲିଙ୍କ ସହ ଗମ୍ଭୀରଙ୍କ ପାଇଁ ନୂଆ ଜୀବନରେଖା ସଦୃଶ ହୋଇଛି। ଭାରତୀୟ ଟିମର ବିଜୟ ସାରା ଭାରତକୁ ଗୌରବାନ୍ବିତ କରିଥିବା ବେ‌ଳେ ଭାରତର ପୂର୍ବତନ କ୍ରିକେଟର ତଥା ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ନିଜର ମତ ରଖିଛନ୍ତି। ରୋହିତ-ବିରାଟଙ୍କୁ କେହି ଅବସର ଦେଇପାରିବେ ନାହିଁ ବୋଲି ସେ କହିଛନ୍ତି।

ଚାମ୍ପିଅନ୍ସ ଟ୍ରଫି ପରେ ରୋହିତ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ରୋହିତ ଏହି ଚର୍ଚ୍ଚା ଉପରେ ବିରାମ ଲଗାଇ ଏବେ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏହା ଉପରେ ପ୍ରତିକ୍ରିୟା ଦେଇ ଯୋଗରାଜ କହିଛନ୍ତି ଯେ, "ସବୁଠାରୁ ଭଲ କଥା ହେଉଛି ଯେ ରୋହିତ ଶର୍ମା କହିଛନ୍ତି ସେ ଅବସର ନେଉନାହାଁନ୍ତି। ବହୁତ ଭଲ, ମୋ ପୁଅ। ରୋହିତ ଏବଂ ବିରାଟଙ୍କୁ କେହି ଅବସର ଦେଇପାରିବେ ନାହିଁ। ସେମାନେ ୨୦୨୭ ଦିନିକିଆ ବିଶ୍ୱକପ୍ ଜିତିବା ପରେ ଅବସର ବିଷୟରେ ଚିନ୍ତା କରିବା ଉଚିତ। ଭାରତ ଜିତିବା ପୂର୍ବରୁ ମୁଁ ଏହା କହିଥିଲି।"

ନିଜ ଅବସରକୁ ନେଇ ରୋହିତ କହିଥିଲେ ଯେ, "ମୁଁ ଏବେ ଏହି ଫର୍ମାଟରୁ ଅବସର ନେବି ନାହିଁ। ଆଗକୁ ମୋ ଅବସରକୁ ନେଇ କୌଣସି ଗୁଜବ ପ୍ରଚାର ନହେଉ ସେଥିପାଇଁ ସ୍ପଷ୍ଟ କରୁଛି। ମୋର ଭବିଷ୍ୟତକୁ ନେଇ କିଛି ଯୋଜନା ନାହିଁ। ଯାହା ଚାଲୁଛି, ତାହା ଆଗକୁ ଚାଲିବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe