କୋଚି: କୋଚିର ଜବାହର ଲାଲ୍ ନେହରୁ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସମାନ୍ତରାଳ ଭାବେ ଖେଳା ଯାଇଥିବା ଗ୍ରୁପ୍-ଡି’ ମ୍ୟାଚ୍ରେ ନାଇଜର ୧-୦ ଗୋଲ୍ରେ ଉତ୍ତର କୋରିଆକୁ ମାତ୍ ଦେଇଥିଲା। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ଲଢ଼େଇର ପ୍ରଥମାର୍ଧରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ପ୍ରଥମାର୍ଧ ଗୋଲ୍ ଶୁନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ମ୍ୟାଚ୍ର ଏକମାତ୍ର ଗୋଲ୍ ଦେଖିବାକୁ ମିଳିଥିଲା। ଉତ୍ତର କୋରିଆର ତିନି ଜଣ ରକ୍ଷଣଭାଗ ଖେଳିଳିଙ୍କୁ ଚକ୍ମା ଦେଇ ନାଇଜରର ସଲିମ୍ ଆବଦଉରହମାନେ ଏକ ଚମତ୍କାର ଗୋଲ୍ ଦେଇଥିଲେ। ନାଇଜର ଏହି ପ୍ରତୀକ୍ଷିତ ଗୋଲ୍ ବଳରେ ଆଗୁଆ ହୋଇ ଯାଇଥିଲା। ଉତ୍ତର କୋରିଆ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ମଧ୍ୟ ଏହି ଗୋଲଟିକୁ ଶୁଝାଇ ପାରି ନଥିଲା। ଫଳରେ ଗୋଟିଏ ଗୋଲ୍ ବ୍ୟବଧାନରେ ପରାଜିତ ହୋଇଥିଲା।
ପାଣି ପାଇଁ ପିଲା ହଟହଟା
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍ ଫୁଟ୍ବଲ୍ ବିଶ୍ୱକପ୍ ଅବସରରେ ସ୍ଥାନୀୟ ଜବାହାର ଲାଲ ନେହରୁ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଯାଇଥିବା କୁନି କୁନି ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ପିଲାମାନଙ୍କୁ ସର୍ବଭାରତୀୟ ଫୁଟବଲ୍ ମହାସଂଘ ମାଗଣା ଟିକେଟ ଯୋଗାଇ ଦେଇଥିଲେ ମଧ୍ୟ ପାଣିର କୌଣସି ବ୍ୟବସ୍ଥା କରି ନଥିଲା। ଫଳରେ ପିଲାମାନେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହୋଇଥିଲେ। ପିଲାମାନଙ୍କୁ ନିଜ ସହ ପାଣି ବୋତଲ ନେବାକୁ ମଧ୍ୟ ଦିଆ ଯାଇ ନଥିଲା। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Follow Us