ମୁମ୍ବାଇକୁ ହରାଇ ନର୍ଥଇଷ୍ଟର ଅଭିଯାନ

Advertisment
ମୁମ୍ବାଇକୁ ହରାଇ ନର୍ଥଇଷ୍ଟର ଅଭିଯାନ

ପଣଜୀ: କରୋନା ମହାମାରୀ ସଙ୍କଟ ପାଇଁ କଡ଼ା କଟକଣା ଏବଂ କଠୋର ଜୈବ ବଳୟ ଭିତରେ ଖେଳାଯାଉଥିଲେ ମଧ୍ୟ ଚଳିତ ଆଇଏସ୍‌ଏଲ୍‌ ପେସାଦାର ଫୁଟ୍‌ବଲ୍ ଲିଗ୍‌ର ଦ୍ବିତୀୟ ମ୍ୟାଚ୍ ମଧ୍ୟ ପ୍ରଥମ ଭଳି ତୀବ୍ର ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚଭରା ରହିଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଲୋକପ୍ରିୟ ପ୍ରତିଯୋଗିତାର ଉଦ୍‌ଘାଟନୀ ମୁକାବିଲାରେ ଏଟିକେ ମୋହନ ବାଗାନ ୧-୦ ଗୋଲ୍‌ରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଥିଲା। ଶନିବାର ପ୍ରତିଯୋଗିତାର ଦ୍ବିତୀୟ ମୁକାବିଲାରେ ଅନୁରୂପ ଭାବେ ନର୍ଥଇଷ୍ଟ ୟୁନାଇଟେଡ୍ ସେହି ୧-୦ ଗୋଲ୍‌ରେ ମୁମ୍ବାଇ ସିଟିକୁ ପରାସ୍ତ କରିଛି। ଉଭୟ ମ୍ୟାଚ୍‌ର ବିଜୟ ସୂଚକ ଓ ଏକମାତ୍ର ଗୋଲ୍ ବି ଦ୍ବିତୀୟାର୍ଧରେ ଦେଖିବାକୁ ମିଳିଛି।

ମୁମ୍ବାଇ ସିଟି ଓ ନର୍ଥଇଷ୍ଟ ୟୁନାଇଟେଡ୍ ମ୍ୟାଚ୍‌ରେ ଆଜି ଉଭୟ ଦଳ ପ୍ରଥମାର୍ଧରେ କେହି କାହାରିକୁ ଗୋଲ୍ ଦେଇ ପାରିନଥିଲେ। ତେବେ ଦ୍ବିତୀୟାର୍ଧର ଚତୁର୍ଥ ମିନିଟ୍‌ରେ ହିଁ ନର୍ଥଇଷ୍ଟ ଆଗୁଆ ହୋଇଯାଇଥିଲା। ଏହି ଗୋଲ୍‌ଟିକୁ କେସି ଆପିୟା ଦେଇଥିଲେ। ବହୁ ଚେଷ୍ଟା ପରେ ବଳକା ୪୧ ମିନିଟ୍ ସହ ଆହତ ସମୟରେ ମଧ୍ୟ ମୁମ୍ବାଇ ଏହି ଗୋଲ୍‌ଟିକୁ ଶୁଝି ପାରିନଥିଲା। ଫଳରେ ନର୍ଥଇଷ୍ଟ ଏହି ଦଳ ବିପକ୍ଷରେ ଚତୁର୍ଥ ବିଜୟ ପାଇଥିଲା। ପୂର୍ବରୁ ଉଭୟ ଦଳ ୧୨ ଥର ମୁହାଁମୁହିଁ ହୋଇଥିଲା ବେଳେ ସେଥିମଧ୍ୟରୁ ମୁମ୍ବାଇ ୭, ନର୍ଥଇଷ୍ଟ ୩ ମ୍ୟାଚ୍ ଜିତିଥିଲେ। ୨ ମ୍ୟାଚ୍ ଅମୀମାଂସିତ ରହିଥିଲା। ରବିବାର ମ୍ୟାଚ୍‌ରେ ଗୋଆ ଏଫ୍‌ସି ଓ ବାଙ୍ଗାଲୋର ଏଫ୍‌ସି ମୁହାଁମୁହିଁ ହେବେ। ଓଡ଼ିଶା ଏଫ୍‌ସି ସୋମବାର ହାଇଦ୍ରାବାଦ ଏଫ୍‌ସିକୁ ଭେଟି ତା’ର ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe