ଏଥର ବି ଆଶଙ୍କାରେ ଓସିଏ ଘରୋଇ ପ୍ରତିଯୋଗିତା

Advertisment
ସମ୍ବିଧାନ ନଆସିବା ପର୍ଯ୍ୟନ୍ତ ନିର୍ବାଚନ ନକରିବାକୁ ଓସିଏକୁ ସିଓଏର ନିର୍ଦ୍ଦେଶ

କଟକ: ଗତ ଋତୁ ପରି ଏଥର ବି ଓସିଏର ଘରୋଇ ପ୍ରତିଯୋଗିତା ବନ୍ଦ ହୋଇଯିବା ସମ୍ଭାବନା ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ଓସିଏର କୌଣସି ବୈଠକ ଡକାଯାଇ ଏ ବିଷୟରେ ଆଲୋଚନା କରାଯାଇନାହିଁ। ଡିସେମ୍ବର ମାସ ବେଳଠୁ ଘରୋଇ ପ୍ରତିଯୋଗିତା ସମ୍ପର୍କରେ ଓସିଏ ବୈଠକ ଡକାଇ ଖେଳସୂଚୀ ନିର୍ଧାରଣ କରିଥାଏ। ହେଲେ ଜାନୁଆରି ମାସ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଏନେଇ କୌଣସି ଆଭାସ ମିଳିନାହିଁ। ବିସିସିଆଇର ୧୬ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଲିଗ୍‌ ପର୍ଯ୍ୟାୟ ଶେଷ ହେବାର କିଛି ଦିନ ପରେ ଓସିଏର ଘରୋଇ ପ୍ରତିଯୋଗିତା ଆରମ୍ଭ ହୋଇଥାଏ। ଅନ୍ତଃଜିଲ୍ଲା ପ୍ରତିଯୋଗିତାର ୧୪ ବର୍ଷରୁ କମ୍‌ ବିଭାଗରୁ ଘରୋଇ ଖେଳସୂଚୀ ଆରମ୍ଭ ହୋଇଥାଏ। ପର୍ଯ୍ୟାୟକ୍ରମେ ବିଭିନ୍ନ ବୟସ ବର୍ଗର ପ୍ରତିଯୋଗିତା ଶେଷ ହେବା ପରେ ଶେଷକୁ କଳାହାଣ୍ଡି କପ୍‌ ଆୟୋଜନ ହୋଇଥାଏ।

କିନ୍ତୁ ଗତ ଋତୁରେ ଓସିଏର ଘରୋଇ ପ୍ରତିଯୋଗିତା ଆୟୋଜନ କରିବାକୁ ପରିଚାଳନା ସମିତି ଅସମର୍ଥ ହୋଇଥିଲା। ପ୍ରଥମେ ମାର୍ଚ ଓ ଅପ୍ରେଲ୍‌ ମାସରେ ଏହାକୁ କରାଯିବାକୁ ସ୍ଥିର ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ପ୍ରବଳ ଖରାକୁ ନଜରରେ ରଖି ତାହାକୁ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା। ହେଲେ ସେପ୍ଟେମ୍ବର ବେଳକୁ ପ୍ରବଳ ବର୍ଷା ହେବାରୁ ଆଉ ମ୍ୟାଚ୍‌ ଖେଳାଯିବା ସମ୍ଭବ ହୋଇନଥିଲା। ତେଣୁ ରଣଜୀ ଋତୁ ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ବିଭିନ୍ନ ଜିଲ୍ଲାରୁ ୪ ଜଣ ଲେଖାଏଁ ବିଭିନ୍ନ ବୟସ ବର୍ଗର ଖେଳାଳିଙ୍କୁ ଡକାଇ କଟକରେ ଟ୍ରାଏଲ୍ସ ମ୍ୟାଚ୍‌ କରାଯାଇଥିଲା। ସେଥିରୁ ରାଜ୍ୟ ଦଳ ଚୟନ କରାଯାଇଥିଲା। ହେଲେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଘରୋଇ ପ୍ରତିଯୋଗିତା ହୋଇଥିଲେ ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଚୟନକର୍ତ୍ତାଙ୍କ ଦୃଷ୍ଟି ରହିଥାନ୍ତା। କିନ୍ତୁ ଟ୍ରାଏଲ୍ସ ମ୍ୟାଚ୍‌ରେ ସମସ୍ତ ଖେଳାଳିଙ୍କୁ ସମାନ ସୁଯୋଗ ମିଳିପାରିନଥିଲା। କେବଳ ପୂର୍ବ ବର୍ଷର ପ୍ରଦର୍ଶନକାରୀଙ୍କ ସହିତ ଚିହ୍ନାଜଣାରେ କିଛି ଖେଳାଳିଙ୍କୁ ରାଜ୍ୟ ଦଳରେ ନିଆଯାଇଥିଲା। ଯାହାର ପରିଣାମ ସ୍ୱରୂପ ଓଡ଼ିଶା ଚଳିତ ଋତୁରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଗତି କରୁଛି।

ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଓଡ଼ିଶା ଗୋଟିଏ ବି ମ୍ୟାଚ୍‌ ଜିତିପାରିନଥିଲା ବେଳେ ୨ଟିରେ ପରାସ୍ତ ହୋଇଥିଲା। ବିନୁମଙ୍କଡ଼ ଟ୍ରଫିରେ ଏ ଆଣ୍ଡ ଏ’ ଦଳକୁ ଛାଡ଼ିଦେଲେ ଓଡ଼ିଶା ୪ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। କୁଚ୍‌ବେହାର ଟ୍ରଫିରେ ବର୍ତ୍ତମାନ ସୁଦ୍ଧା ୫ ମ୍ୟାଚ୍‌ ଖେଳିସାରିଥିଲା ବେଳେ ସେଥିରୁ ୩ଟିରେ ପରାସ୍ତ ହୋଇଛି। ସିକେ ନାୟୁଡୁ ଟ୍ରଫିରେ କୌଣସି ମ୍ୟାଚ୍‌ ଜିତିନଥିଲା ବେଳେ ୨ଟିରେ ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ରଣଜୀ ଟ୍ରଫିରେ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ଓଡ଼ିଶା ଗୋଟିଏ ହେଲେ ମ୍ୟାଚ୍‌ ଜିତିପାରିନଥିଲା। ମାତ୍ର ଗୋଟିଏ ମ୍ୟାଚ୍‌ରେ ପାଳି ଅଗ୍ରଣୀ ପାଇଥିଲା ବେଳେ ତିନିଟିରେ ୧ ପଏଣ୍ଟ ଲେଖାଏଁ ପାଇଥିଲା। ସେହିପରି ମହିଳାରେ ଓଡ଼ିଶାର ପ୍ରଦର୍ଶନ ବିଷୟରେ ନକହିଲେ ଭଲ। ଏବେ ଆଗକୁ ସୟଦ ମୁସ୍ତାକ ଅଲ୍ଲୀ ଟେ୍ଵଣ୍ଟି-୨୦ ଓ ବିଜୟ ହଜାରେ ଟ୍ରଫି ଖେଳାଯିବାକୁ ବାକି ରହିଛି। ଟେ୍ଵଣ୍ଟି-୨୦ ପାଇଁ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଓଡ଼ିଶାର ଯୁବ ଦଳ ଚୟନ ହୋଇଥିବାରୁ ତାହା ରଣଜୀ ପ୍ରଦର୍ଶନକୁ କେତେ ମାତ୍ରାରେ ଭରଣା କରିପାରିବ ତାହାକୁ ଅପେକ୍ଷା କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe