ନାଟକୀୟ ମୋଡ଼ରେ ନଟିଂହାମ ଟେଷ୍ଟ୍: ଆଣ୍ଡରସନ୍‌ଙ୍କ ୬୫୦ ୱିକେଟ୍ ପୂରଣ

Advertisment
ନାଟକୀୟ ମୋଡ଼ରେ ନଟିଂହାମ ଟେଷ୍ଟ୍: ଆଣ୍ଡରସନ୍‌ଙ୍କ ୬୫୦ ୱିକେଟ୍ ପୂରଣ

News18

ନଟିଂହାମ: ନଟିଂହାମ ଟେଷ୍ଟ୍‌ ନାଟକୀୟ ମୋଡ଼ ନେଇଛି। ସୋମବାର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଉଭୟ ପାଳିକୁ ମିଶାଇ ୨୩୮ ରନ୍‌ରେ ଆଗୁଆ ରହିଛି। ହାତରେ ଆଉ ତିନି ୱିକେଟ୍ ବାକି ଥିବାରୁ ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନରେ ଏଥି‌ରେ ଅଧିକରୁ ଅଧିକ ରନ୍ ଯୋଡ଼ିବାକୁ ଲକ୍ଷ୍ୟ ରଖିବ କିୱି ଦଳ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ବଳକା ୩ ୱିକେଟ୍ ସଅଳ ନେଇ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଘରୋଇ ଇଂଲଣ୍ଡ।

ଆଜି ଷ୍ଟମ୍ପ୍ସ ଅପସାରଣ ବେଳକୁ ନ୍ୟୁଜିଲାଣ୍ଡ ତାର ଦ୍ବିତୀୟ ପାଳିରେ ୭ ୱିକେଟ୍ ବିନିମୟରେ ୨୨୪ ରନ୍ କରିଛି। ଡାରେଲ ମିଚେଲ ୩୨ ଏବଂ ମ୍ୟାଟ୍ ହେନରି ୮ ରନ୍ କରି ଅପରାଜିତ ରହିଛନ୍ତି। ୱିଲ୍ ୟଙ୍ଗ (୫୬) ଏବଂ ଡେଭନ୍ କନ‌ୱେ (୫୨) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟପକ୍ଷରେ ଅଧିନାୟକ ଟମ୍ ଲାଥାମ (୪) ଓ ହେନରି ନିକୋଲାସ (୩) ବିଫଳ ହୋଇଥିଲେ। ପୂର୍ବରୁ ରବିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍‌ରେ ୪୭୫ ରନ୍ କରିନେଇ ଦୃଢ଼ ସ୍ଥିତିରେ ଥିବା ଘରୋଇ ଇଂଲଣ୍ଡର ବଳକା ୫ ୱିକେଟ୍ ମାତ୍ର ୬୪ ରନ୍‌ରେ ଝାଡ଼ି ଏହି ଦଳ ୧୪ ରନ୍‌ର ଛୋଟିଆ ଅଗ୍ରଣୀ ଲାଭ କରିଥିଲା। ପ୍ରକାଶଯୋଗ୍ୟ ଯେ ମିଚେଲ ଏବଂ ଟମ୍ ବ୍ଲଣ୍ଡେଲଙ୍କ ଲଢ଼ୁଆ ଶତକ ବଳରେ ନ୍ୟୁଜିଲାଣ୍ଡ ତାର ପ୍ରଥମ ପାଳିରେ ୫୫୩ ରନ୍ କରିଥିଲା।

ଆଣ୍ଡରସନ୍‌ଙ୍କ ୬୫୦ ୱିକେଟ୍ ପୂରଣ
ଇଂଲଣ୍ଡର ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ୍ ଏହି ମ୍ୟାଚ୍‌ରେ ୬୫୦ତମ ଟେଷ୍ଟ୍ ୱି‌କେଟ୍ ହାସଲ କରିବାର ମାଇଲଖୁଣ୍ଟ ଛୁଇଁଛନ୍ତି। ଚତୁର୍ଥ ଦିନରେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାଥାମଙ୍କ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରି ଆଣ୍ଡରସନ୍ ଏହି ଅନନ୍ୟ ସଫଳତା ଲାଭ କରିଥିଲେ। ଏଥିଲାଗି ସେ ୧୭୧ ଟେଷ୍ଟ୍ ମ୍ୟାଚ୍ ନେଇଛନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍ ନେବାରେ ସଂପ୍ରତି ଆଣ୍ଡରସନ୍ ଶ୍ରୀଲଙ୍କାର ସ୍ପିନ୍ କିଂବଦନ୍ତି ମୁଥୟା ମୁରଲୀଧରନ୍ (୮୦୦) ଏବଂ ଅଷ୍ଟ୍ରେଲିଆର ସେନ୍ ୱର୍ଣ୍ଣ (୭୦୮)ଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe