ଓସିଏ ନିର୍ବାଚନ: ଲଢ଼ିବେନି ପ୍ରଦୀପ, ପ୍ରସ୍ତୁତ ହେଉଛନ୍ତି ନବ

Advertisment
ଓସିଏ ନିର୍ବାଚନ: ଲଢ଼ିବେନି ପ୍ରଦୀପ, ପ୍ରସ୍ତୁତ ହେଉଛନ୍ତି ନବ

ଭୁବନେଶ୍ବର : ଆସନ୍ତା ୨୮ ତାରିଖରେ ଓଡ଼ିଶା କ୍ରିକେଟ ସଂଘ (ଓସିଏ)ର ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ନିର୍ବାଚନୀ ମ‌ାହୋଲ ଯେତିକି ସରଗରମ ହେବା କଥା ତାହା ଦେଖିବାକୁ ମିଳୁନାହିଁ। ନିର୍ବାଚନର ମାସେ ଆଗରୁ ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ଯେଉଁ ଉନ୍ମାଦନା ରହିବା କଥା ତାହା ଚଳିତ ନିର୍ବାଚନରେ ହେଲାଭଳି ମନେହେଉନାହିଁ। ଏହାର ପ୍ରମୁଖ କାରଣ ହେଲା ବିରୋଧୀଙ୍କ ଶାନ୍ତ ସ୍ବଭାବ। ବତ୍ତର୍ମାନର ସମ୍ପାଦକ ସଂଜୟ ବେହେରାଙ୍କ ଟିମ୍‌ର ବିରୋଧୀ ଭାବେ ଜଣାଶୁଣା ତଥା ପୂର୍ବତନ କୋଷାଧ୍ୟକ୍ଷ ପ୍ରଦୀପ ଚୌହାନ ଚଳିତ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ କିମ୍ବା କାହାରିକୁ ଖୋ‌ଲାଖୋଲି ସମର୍ଥନ କରିବେନି ବୋଲି ସ୍ପଷ୍ଟ କରିସାରିଛନ୍ତି। ବିଭିନ୍ନ କାରଣ ଦର୍ଶାଇ ସେ ନିର୍ବାଚନ ମଇଦାନକୁ ଓହ୍ଲାଉନଥିବା କହିଛନ୍ତି। ହେଲେ ଗତ ନିର୍ବାଚନରେ ସବୁଠୁ କମ୍‌ ଭୋଟ୍‌ ପାଇ ପରାଜିତ ହୋଇଥିବା ନବରଂଜନ ପଟ୍ଟନାୟକ ଚଳିତ ବର୍ଷ ପୁଣି ଥରେ ପ୍ରତିଦ୍ବନ୍ଦ୍ବିତା କିରିବାକୁ ଅଣ୍ଟା ଭିଡ଼ିଲେଣି। ଏଥର ସେ ସନସାଇନ୍‌ କ୍ଲବ୍‌ରୁ ପ୍ରତିନିଧି ଭାବେ ଓସିଏ ବାର୍ଷିକ ସାଧାରଣ ବୈଠକକୁ ଯାଉଛନ୍ତି। କିନ୍ତୁ ସଭାପତି ନା ସମ୍ପାଦକ, କେଉଁ ପଦବି ପାଇଁ ସେ ଲଢିବେ ତାହା ସ୍ପଷ୍ଟ କରିନାହାନ୍ତି। ଏପରିକି ତାଙ୍କ ପ୍ୟାନେଲ୍‌ରେ ସେ କାହାକୁ ଅନ୍ୟାନ୍ୟ ପଦବି ପ୍ରାର୍ଥୀ ଭାବେ ବାଛିବେ ତାହା ମଧ୍ୟ ସ୍ଥିର ହୋଇନାହିଁ। ଭୋଟର ତାଲିକା ପ୍ରକାଶ ପାଇବା ପରେ ପ୍ୟାନେଲ୍‌ ବିଷୟରେ ଜଣାଇବେ ବୋଲି ନବ ସୂଚନା ଦେଇଛନ୍ତି।

ଓସିଏ ନିର୍ବାଚନ ପାଇଁ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୭୩। ଗତ ୨୦୧୯ ନିର୍ବାଚନରେ ୭୦ ଜଣ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଭୋଟ ଦେଇଥିଲା ବେଳେ ଆଶୀର୍ବାଦ ବେହେରା, ସଂଜୟ ରାଉଳ ଓ ରେଳବାଇ ପକ୍ଷରୁ ଚିଠି ମାଧ୍ୟମରେ ଭୋଟ ଦିଆଯାଇଥିଲା। ହେଲେ ପ୍ରତ୍ୟକ୍ଷ ଭୋଟ୍‌ରୁ ବହୁମତ ଆସିଯିବାରୁ ଚିଠି ଭୋଟ୍‌ଗୁଡ଼ିକୁ ଖୋଲାଯାଇନଥିଲା। ନିର୍ବାଚନ ଶେଷରେ ନବଙ୍କ ବିପକ୍ଷରେ ସଂଜୟ ବେହେରା ସର୍ବାଧିକ ୪୫ ଭୋଟ ପାଇ ସମ୍ପାଦକ ନିର୍ବାଚିତ ହୋଇଥିଲା ବେଳେ ପ୍ରଦୀପଙ୍କ ବିପକ୍ଷରେ ପଙ୍କଜ ଲୋଚନ ମହାନ୍ତି ୩୮ ଭୋଟ୍‌ ପାଇ ସଭାପତି ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରୁ ଅକ୍ଷୟ ସାମନ୍ତ, ମେହତାବ ଖାନ୍‌, ବିକାଶ ପ୍ରଧାନ, ସୁବାଶିଷ ସେନାପତି ୪୦ ଲେଖାଏଁ ଭୋଟ ପାଇ ଯଥାକ୍ରମେ ଉପସଭାପତି, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ କାଉନସିଲ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ ସମୟରେ କ୍ଲବ୍‌, ସ୍କୁଲ୍‌, କଲେଜମାନଙ୍କୁ ସଦସ୍ୟତାରୁ ବାଦ୍‌ ଦିଆଯିବା ପ୍ରସଙ୍ଗକୁ ନେଇ ପ୍ରଦୀପ ଓ ନବଙ୍କ ନେତୃତ୍ବରେ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚିଥିଲା ବେଳେ କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏସମସ୍ତଙ୍କୁ ଓସିଏର ସଦସ୍ୟତା ମିଳିଥିଲା।

ଏହାକୁ ପ୍ରମୁଖ ପ୍ରସଙ୍ଗ କରି ଗତବର୍ଷ ନିର୍ବାଚନରେ ଉଭୟଙ୍କ ନେତୃତ୍ବରେ ଲଢେଇ କରାଯାଇଥିଲା। ହେଲେ ବହୁମତ ସଂଜୟଙ୍କ ଟିମ୍‌ ସପକ୍ଷରେ ଯାଇଥିଲା। କିନ୍ତୁ ଏଥର ପ୍ରଦୀପ ଶାନ୍ତ ପଡ଼ିଯାଇଥିବାରୁ ଅନ୍ୟମାନେ କେହି ନିର୍ବାଚନରେ ଲଢିବାକୁ ଆଗକୁ ଆସିବାକୁ ସାହସ ଜୁଟାଇ ପାରୁନାହାନ୍ତି। ତଥାପି ସଂଜୟଙ୍କ ଟିମ୍‌ ବିପକ୍ଷରେ ପ୍ରାର୍ଥୀ ଦେବାକୁ ନବ ସବୁପ୍ରକାରର ପ୍ରୟାସ ଜାରି ରଖିଛନ୍ତି। ଏବେ ବି ବିଭିନ୍ନ ଜିଲ୍ଲାମାନଙ୍କ ସହିତ ସେ ଯୋଗାଯୋଗରେ ଥିବାବେଳେ ପ୍ରଦୀପଙ୍କ ପରୋକ୍ଷ ସମର୍ଥନକୁ ସେ ଆଶା ରଖିଛନ୍ତି।
ଭୋଟର୍‌ଙ୍କ ନାମ ପଠାଇବା ଅବଧି ୧୦କୁ ବଢିଲା

ଓସିଏ ନିର୍ବାଚନ ପାଇଁ‌ ଭୋଟରଙ୍କ ନାମ ପଠାଇବାର ଶେଷ ସମୟ ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟାକୁ ବଢାଇ ଦିଆଯାଇଛି। ପୂର୍ବରୁ ୫ ତାରିଖ ସୁଦ୍ଧା ନାମ ପଠାଇବାକୁ କୁହାଯାଇଥିଲା ବେଳେ ୬ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ହେବ ବୋଲି ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରିଥିଲେ। ହେଲେ ସୁପ୍ରିମ୍‌କୋର୍ଟରେ ବିସିସିଆଇର କୁଲିଂ ଅଫ୍‌ ଅବଧିକୁ ନେଇ ଆସିଥିବା ରାୟ ପରେ ଓସିଏ ସମ୍ବିଧାନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହାକୁ ଆଧାରକରି ଭୋଟରଙ୍କ ନାମ ପଠାଇବା ତାରିଖ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୧୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ୧୨ ଓ ୧୩ ତାରିଖରେ ତାଲିକା ଉପରେ ଆପତ୍ତି ଗ୍ରହଣ କରାଯିବା ସହ ସେଗୁଡ଼ିକର ଶୁଣାଣି ହେବା ପରେ ୧୬ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ୨୧ ତାରିଖରେ ନାମାଙ୍କନ ଦାଖଲ, ୨୨ରେ ଯାଞ୍ଚ, ୨୩ରେ ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ୨୮ ତାରିଖରେ ନିର୍ବାଚନ ହେବ ବୋଲି ସଂଶୋଧିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe