ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ଓସିଏର ଅଗ୍ନି ନିରାପତ୍ତା ବ୍ୟବସ୍ଥା

Advertisment
ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ଓସିଏର ଅଗ୍ନି ନିରାପତ୍ତା ବ୍ୟବସ୍ଥା

କଟକ : ଆସନ୍ତା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ଓସିଏ ପକ୍ଷରୁ ନିଜସ୍ବ ଅଗ୍ନିକାଣ୍ତ ଜନିତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନ୍ୟାସନାଲ ବିଲ୍ଡି˚ କୋଡ୍‌‌(ଏନ୍‌ବିସି)ର ପାର୍ଟ-୪ ନିୟମ ଅନୁପାଳନ କରାଯାଇ ଷ୍ଟାଡିୟମରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବ। ମ୍ୟାଚ୍‌ ସମୟରେ ଷ୍ଟାଡିୟମର ବିଭିନ୍ନ ଗ୍ୟାଲେରୀରେ ପ୍ରାୟ ୫୦ଟି ଅଗ୍ନି ନିର୍ବାପକ ସିଲିଣ୍ତର ରଖାଯିବ। ପ୍ରତି ୧୫ ମିଟର ଦୂରତାରେ ଗୋଟିଏ ଲେଖାଏଁ ଅଙ୍ଗାରକାମ୍ଳ ପୂର୍ଣ୍ଣ ଥିବା ସିଲିଣ୍ତର ରହିବ। ଏହାବାଦ୍‌ ଷ୍ଟାଡିୟମ ଭିତରେ ଥିବା ଟ୍ରାନ୍ସଫର୍ମର, ଡିଜି ସେଟ୍‌ ନିକଟରେ ୬ କିଲୋଗ୍ରାମର ଏବିସି ସିଲିଣ୍ତର ରଖାଯିବ। ଓସିଏ ପକ୍ଷରୁ ପ୍ରଥମ ଥର ୩୦ ଟି ଫାୟାର ବଲ୍‌ ଓସିଏ ପକ୍ଷରୁ ଅଣାଯାଇଛି। ଏଥିସହ ୧୦ଟି ୯ ଲିଟର ବିଶିଷ୍ଟ ଵାଟରଟାଇପ୍‌ ନିର୍ବାପକ ଟ୍ୟାଙ୍କ ବ୍ୟବସ୍ଥା ରହିବ।

ଷ୍ଟାଡିୟମ ବାହାରେ ଗୋଟିଏ ଫାୟାର ଟେଣ୍ତର ଗାଡ଼ି ରଖାଯିବ। ୨୦ ଜଣ ଘରୋଇ ଫାୟାରମ୍ୟାନଙ୍କୁ ଓସିଏ ପକ୍ଷରୁ ନିଯୁକ୍ତ କରାଯାଉଛି। ୧୦ଜଣ ଅତିକୁଶଳୀ ଅଗ୍ନିଶମ କର୍ମଚାରୀଙ୍କୁ ସୁପରଭାଇଜର ଭାବେ ନିୟୋଜିତ ହେବେ। ଅଗ୍ନିକାଣ୍ତ ଘଟିଲେ ଗ୍ୟାଲେରିରୁ ଲୋକଙ୍କୁ ତୁରନ୍ତ କିପରି ବାହାରକୁ ବାହାର କରାଯିବ ତାହା ଉପରେ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି। ଷ୍ଟାଡିୟମର ବିଭିନ୍ନ ଗ୍ୟାଲେରିରେ ରେଡିୟମ ସାଇନେଜ୍‌ ଟେପ୍‌ ଲଗାଯିବ। ଅନ୍ଧାର ହୋଇଗଲେ କିମ୍ବା ଜରୁରୀକାଳୀନ ସ୍ଥିତିରେ ଲୋକମାନଙ୍କୁ ଗ୍ୟାଲେରିରୁ ବାହାର କରିବାରେ ଏହି ଟେପ୍‌ ରାସ୍ତା ଦେଖାଇବ। ଏସବୁ ବାଦ୍‌ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଅନ୍ୟାନ୍ୟ ନିର୍ବାପକ ସହାୟତା ଯୋଗାଇ ଦିଆଯିବ ବୋଲି ଓସିଏ ସୂତ୍ରରୁ ଜଣାପଡ଼ିଛି।

କିଲ୍ଲା ପଡ଼ିଆରେ ଫ୍ୟାନ୍‌ କ୍ଲବ
ବାରବାଟୀ ଷ୍ଟାଡିୟମ ଭିତରେ ମ୍ୟାଚ ହେଉଥିଲେ ହେଁ ଷ୍ଟାଡିୟମ ବାହାରେ ଦର୍ଶକମାନେ ମ୍ୟାଚର ମଜା ଉଠାଇପାରିବେ। ଯେଉଁ କ୍ରିକେଟପ୍ରେମୀ ଟିକଟ ନପାଇବେ ସେମାନଙ୍କ ପାଇଁ କିଲ୍ଲା ପଡ଼ିଆରେ 'ଫ୍ୟାନ କ୍ଲବ' କରାଯାଉଛି। ଏଠାରେ ବଡ଼ ପରଦାରେ ମ୍ୟାଚ୍‌ର ସିଧାପ୍ରସାରଣ ପ୍ରଦର୍ଶନ କରାଯିବ। ଦର୍ଶକମାନଙ୍କୁ ଏଠାରେ ଉତ୍ସାହିତ କରିବା ପାଇଁ ଓସିଏ ପକ୍ଷରୁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯିବ ବୋଲି ଜଣାପଡ଼ିଛି। ପ୍ରାୟ ୫୦୦ ଦର୍ଶକ ଏଠାରେ ଖେଳ ଦେଖିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe