ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ଖରାପ ବ୍ୟାଟିଂ ପ୍ରଦର୍ଶନ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଭାରତୀୟ ଟିମ୍ରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିପାରେ। ହାଇଦ୍ରାବାଦରେ ଗୁରୁବାର ଚୟନ କମିଟି ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ଟିମ୍ରେ କିଏ ସାମିଲ ହେବେ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ନାହିଁ। ୫ଟି ଦିନିକିଆ ଶୃଙ୍ଖଳା ଅକ୍ଟୋବର ୨୧ରୁ ଆରମ୍ଭ ହେବ। ଏହା ପରେ ୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ।
ଅଧିନାୟକ ବିରାଟ କୋହଲିଙ୍କ ମୁଣ୍ଡ ଉପରେ ବୋଝ ବଢ଼ିଛି। ଧୋନି ଖେଳିବେ ନାଁ ନାହିଁ, ତାହା ଚୟନ କମିଟି ବୈଠକରେ ଆଲୋଚନା ହୋଇପାରେ। ଧୋନିଙ୍କ ଓ୍ଵିକେଟକିପର ଭୂମିକା ଭଲ ଥିଲେ ମଧ୍ୟ ବ୍ୟାଟିଂ ଫର୍ମ ପୂର୍ବ ଭଳି ଆଉ ନାହିଁ ବୋଲି ବିଭିନ୍ନ ସମୟରେ ଆଲୋଚନା ଓ ସମାଲୋଚନା ହେଉଛି।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ବୁଧବାର କହିଛନ୍ତି, ଆମ ସମସ୍ତଙ୍କୁ ଜଣା ଅଛି ଯେ, ଧୋନି ବିଶ୍ୱକପ ପର୍ଯ୍ୟନ୍ତ ଖେଳିବେ କିନ୍ତୁ ପନ୍ତଙ୍କୁ ଖେଳାଇବାରେ କୌଣସି ଅସୁବିଧା ନାହିଁ। କାରଣ ସେ ୬ଷ୍ଠ ଅଥବା ୭ମ କ୍ରମରେ ବ୍ୟାଟିଂ କରିବାକୁ ଆସିବେ। ତାଙ୍କ ପାଖରେ ମଧ୍ୟ ମ୍ୟାଚ ଶେଷ କରିବାର ଦକ୍ଷତା ରହିଛି।
Follow Us