ଭୁବନେଶ୍ବର: ନିଆରା ପ୍ରତିଭା ଦେଖାଇ ଚର୍ଚ୍ଚାରେ ଓଡ଼ିଆ ପୁଅ ଆଦ୍ଭିକ୍ ପଟ୍ଟନାୟକ। ଖୁବ୍ କମ୍ ବୟସରୁ ମରୁଭୂମିର ଦୁର୍ଗମ ରାସ୍ତାରେ ଦ୍ରୁତ କାର ଚାଳନା ଭଳି ଏକ ଦୁଃସାଧ୍ୟ ଓ ସାହସିକ କ୍ରୀଡ଼ା ପ୍ରତିଯୋଗିତା ‘ଅଲ୍ଟିମେଟ୍ ଡେଜର୍ଟ ଚାମ୍ପିୟନ୍ସିପ୍’ରେ ଅଂଶ ଗ୍ରହଣ କରି ୫୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ପଞ୍ଚମ ସ୍ଥାନ ଅଧିକାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସେ । ତାଙ୍କୁ ଚାମ୍ପିୟନ୍ସିପର ଆମେଚର ବର୍ଗରେ ଚମ୍ପିୟାନ୍ ଘୋଷଣା କରାଯାଇଛି। ମାତ୍ର ୧୩ ବର୍ଷ ବୟସରେ ଏଭଳି ସଫଳତା ହାସଲ କରି ଆଦ୍ଭିକ୍ ପୂରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି। ମରୁପଥର ବନ୍ଧୁର ରାସ୍ତାରେ ସ୍ପୋଟର୍ସ୍ କାର ଚଳାଇ ନିଜ ଠାରୁ ଢ଼େର ଅଧିକ ବୟସର ପ୍ରତିଯୋଗୀଙ୍କୁ ମାତ୍ ଦେଇଛନ୍ତି ଆଦଭିକ୍।
ରାଜସ୍ଥାନରେ ଆୟୋଜିତ ହିରୋ ଅଲ୍ଟିମେଟ୍ ଡେଜର୍ଟ ଚ୍ୟାଲେଞ୍ଜ୍-୨୦୨୧ରେ ସେ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ଚାମ୍ପିୟନ୍ ହୋଇଛନ୍ତି। ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଆଦ୍ଭିକ୍ଙ୍କ ସ୍ପୋର୍ଟସ ଗାଡ଼ି ଚାଳନା ସମସ୍ତଙ୍କୁ ଚମକାଇ ଦେଇଛି। ପ୍ରଥମ ଥର ପାଇଁ ଅଲ୍ଟିମେଟ୍ ଡେଜର୍ଟ ଚ୍ୟାଲେଞ୍ଜ୍ ବା ୟୁଡିସିରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଆଦ୍ଭିକ୍। ରାଜସ୍ଥାନରେ ଆୟୋଜିତ ହିରୋ ୟୁଡିସିର ସପ୍ତମ ସଂସ୍କରଣର ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ଚାମ୍ପିୟନ୍ ହୋଇଛନ୍ତି ଆଦ୍ଭିକ୍। ଏହି ସଫଳତା ପାଇବାରେ ଆଦ୍ଭିକ୍ ହେଉଛନ୍ତି ପ୍ରଥମ ଓଡ଼ିଆ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୧୪ ମସିହାରୁ ଡ୍ୟୁନ୍ ଆଡ୍ଭେଞ୍ଚର୍ ସ୍ପୋର୍ଟସ କ୍ଲବ୍ ଏହି ପ୍ରତିଯୋଗିତାର ଆୟୋଜନ କରିଆସୁଛି।
ଚଳିତବର୍ଷ ଫେବ୍ରୁଆରି ୪ରୁ ୭ ତାରିଖ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୟୁଡିସି ଏକ ଏପରି ପ୍ରତିଯୋଗିତା, ଯେଉଁଥିରେ ଅଣପାରମ୍ପରିକ ଓ ଦୁର୍ଗମ ରାସ୍ତାରେ ଗାଡ଼ି ଚାଳନା କ୍ଷେତ୍ରରେ ପ୍ରତିଯୋଗୀମାନଙ୍କର ଦକ୍ଷତାକୁ ବିଚାର କରାଯାଏ। ଏହି ପ୍ରତିଯୋଗିତା ପ୍ରଥମେ ୨୦୧୪ ମସିହାରେ ଡ୍ୟୁନ୍ ଆଡ୍ଭେଞ୍ଚର୍ ସ୍ପୋର୍ଟସ କ୍ଲବ୍ ଦ୍ବାରା ଆୟୋଜିତ ହୋଇ ପରେ ରାଜସ୍ଥାନର ବିକାନେରରେ ନିୟମିତ ଭାବେ ହୋଇଚାଲିଛି।
ନିଜର ସଫଳତା ନେଇ ଆଦ୍ଭିକ୍ କହନ୍ତି, ‘ମୁଁ ବହୁତ ଖୁସୀ। ପ୍ରତିଯୋଗିତାରେ ୫୬ ଜଣ ପ୍ରତିଯୋଗୀ, ୫୬ଟି କାର୍, ୫୬ ଜଣ ଡ୍ରାଇଭର୍ ଓ ୫୬ ନାଭିଗେଟର୍ ଥିଲେ। ଆମେଚର ବର୍ଗର ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ମୁଁ ୫ ଜଣଙ୍କ ଭିତରେ ଅଛି। ମୁଁ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ଭାଗ ନେଇଛି।’ ଉଲ୍ଲେଖଯୋଗ୍ୟ, ଆଦ୍ଭିକ୍ ହେଉଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାତି।
Follow Us