ଓଡ଼ିଶାକୁ ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର

Advertisment
ଓଡ଼ିଶାକୁ ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଲଗାତାର ଭାବେ ଜାତୀୟ ସ୍ତରରେ ସମ୍ମାନିତ ହେବାରେ ଲାଗିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ପୋର୍ଟସଷ୍ଟାର୍ ମାଜାଜିନ୍ ଆୱାର୍ଡ ପ୍ରଦାନ କରାଯାଇଥିଲା। ସେହିଭଳି ସିଆଇଆଇ-ଫିଟ୍‌ ଇଣ୍ଡିଆ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏକ ଉତ୍ସବରେ ମଧ୍ୟ ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡ଼ା ବିକାଶ ରାଜ୍ୟ ଲାଗି ପୁରସ୍କୃତ କରାଯାଇଥିଲା। ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବିଶେଷ ଉତ୍ସବରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗକୁ ‘ଫିକି ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡ-୨୦୧୯’ ପ୍ରଦାନ କରାଯାଇଛି। ଓଡ଼ିଶା ପକ୍ଷରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବିଭାଗୀୟ ସଚିବ ବିଶାଲ କୁମାର ଦେବ ଏହି ପୁରସ୍କାର ଗ୍ରହଣ କରିଥିଲେ। ଓଡ଼ିଶା ସରକାର ବିଗତ ୨/୩ ବର୍ଷ ମଧ୍ୟରେ ଏକାଧିକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ପରେ ଏହିସବୁ ସମ୍ମାନ ପାଇବାର ହକ୍‌ଦାର ହୋଇଥିଲା। ଏସୀୟ ଦୌଡ଼କୁଦ, ଏସୀୟ ରଗ୍‌ବି, ବିଶ୍ବକପ୍‌ ହକି, ବିଶ୍ବକପ୍‌ ହକି ଯୋଗ୍ୟତା ପର୍ଯ୍ୟାୟ, ରାଜ୍ୟଗୋଷ୍ଠୀ ‌ଟେବୁଲ୍ ଟେନିସ୍‌ ପ୍ରତିଯୋଗିତାର ଅଦ୍ଭୂତପୂର୍ବ ସଫଳତା ପରେ ୨୦୨୩ ମସିହାର ପୁରୁଷ ହକି ବିଶ୍ବକପ୍ ଅଧିକାର ମଧ୍ୟ ଓଡ଼ିଶାର ଭୁବନେଶ୍ବର ଓ ରାଇରକେଲାରେ ହେବ ବୋଲି ଚୂଡାନ୍ତ ହୋଇଛି।

ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ଏବଂ ୨୦୧୮ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ବଂଧୁକଚାଳକ ସୌରଭ ଚୌଧୁରୀଙ୍କୁ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ସନ୍ଦୀପ ଚୌଧୁରୀଙ୍କୁ ଶ୍ରେଷ୍ଠ ପାରା ଆଥ୍‌ଲେଟ୍‌, ପଙ୍କଜ ଆଡ଼ଭାନୀଙ୍କୁ ଜୀବନ‌ବ୍ୟାପୀ ସେବା ସମ୍ମକାନ, ସତ୍ୟନାରାୟଣଙ୍କୁ ବର୍ଷର ଶ୍ରେଷ୍ଠ ପ୍ରଶିକ୍ଷକ, କମଲେଶ ଶୀନିବାସନଙ୍କୁ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଏବଂ ଏକାଧିକ କମ୍ପାନି ଓ ଅନୁଷ୍ଠାନକୁ କ୍ରୀଡ଼ା ବିକାଶ ଦିଗରେ ଯୋଗଦାନ ଲାଗି ପୁରସ୍କୃତ କରାଯାଇଥିଲା। ଏହା ମଧ୍ୟରେ ଦେଶର ଶ୍ରେଷ୍ଠ ଜାତୀୟ କ୍ରୀଡ଼ା ସଂଘ ଭାବେ ନ୍ୟାସନାଲ୍‌ ରାଇଫଲ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଏନଆରଏଆଇ)କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe